ଚାନ୍ଦା ଆଦାୟ କରୁଥିବା ମହିଳା କନେଷ୍ଟବଳଙ୍କୁ ଆକ୍ରମଣ !

ବାରିପଦା: ବାରିପଦା ବିଶୋଇ ହାଟରେ ମହିଳା ପୋଲିସ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ହାଟରେ ବ୍ୟବସାୟ କରୁଥିବା କିଛି ମହିଳା, ପୋଲିସ କନେଷ୍ଟବଳଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଆକ୍ରମଣକାରୀ ମହିଳାଙ୍କୁ ପୋଲିସ ଗିରଫ କରିଛି ।

   

ହାଟରେ ବ୍ୟବସାୟ କରୁଥିବା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମହିଳା କନେଷ୍ଟବଳ ମଞ୍ଜୁଲତା ସାହୁ ହାଟରେ ଚାନ୍ଦା ଆଦାୟ କରୁଥିଲେ । ଏହାକୁ ବିରୋଧ କରିବାରୁ ମହିଳା କନେଷ୍ଟବଳ ମଞ୍ଜୁଲତା ସାହୁ ଓ କିଛି ବ୍ୟବସାୟୀ ମହିଳାଙ୍କ ମଧ୍ୟରେ ତୁତୁ ମେଁମେଁ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ପରିସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ, ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରିବାକୁ ବି ପଛେଇ ନଥିଲେ ହାଟରେ ବ୍ୟବସାୟ କରୁଥିବା ମହିଳାମାନେ । ପରେ ଏହି ଘଟଣାରେ ହଟାରୁ ଆକ୍ରମଣ କରିଥିବା ମହିଳାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ତେବେ ପୋଲିସର କହିବାନୁଯାୟୀ ହାଟରେ ମହିଳାମାନେ ମଦ ତଥା ହାଣ୍ଡିଆ ବ୍ୟବସାୟ କରୁଥିଲେ, ଯାହାକୁ ପୋଲିସ ବାରଣ କରିଥିଲା । ତେଣୁ ଏଭଳି ପରିସ୍ଥିତି ଉପୁଜିଥିଲା । ସେପଟେ ହାଟରେ ବ୍ୟବସାୟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି ଯେ, କନେଷ୍ଟବଳ ମଞ୍ଜୁଲତା ସାହୁ ବିଶୋଇ ହାଟରେ ବ୍ୟବସାୟୀଙ୍କଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ ଯାହାଫଳରେ ଏଭଳି ପରିସ୍ଥିତିି ଉପୁଜିଥିଲା । ସୂଚନାଯୋଗ୍ୟ, ସ୍ଥାନୀୟ ଥାନା ଅଧିକାରୀଙ୍କ ପକ୍ଷରୁ ଚାନ୍ଦା ଆଦାୟ ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି ।

Leave a Reply