ଉପନିର୍ବାଚନ ତାରିଖ ପାଖେଇବା ସହ ଜମୁଛି ପ୍ରଚାର, ଜିତିବା ପାଇଁ ଚାଲିଛି ପ୍ରାର୍ଥୀଙ୍କର ଆପ୍ରାଣ ଉଦ୍ୟମ ଚେଷ୍ଟା

ବାଲେଶ୍ୱର/ତିର୍ତ୍ତୋଲ: ଉପନିର୍ବାଚନ ପ୍ରଚାର ପାଇଁ ମଝିରେ ଆଉମାତ୍ର ୬ଦିନ । ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ସମୀକରଣ ସେତିକି ରୋମାଞ୍ଚକର ହେଉଛି । ତିର୍ତ୍ତୋଲରେ ଆଜି କଂଗ୍ରେସକୁ ସିପିଏମ୍ ସମର୍ଥନ କରିବା ନେଇ ଦୁଇଦଳ ମଧ୍ୟରେ ବୁଝାମଣା ହୋଇଛି । ଏନେଇ ବିଜେଡି କହିଛି ସମର୍ଥନ କୌଣସି ପ୍ରଭାବ ପଡ଼ିବ ନାହିଁ । ସେପଟେ ବାଲେଶ୍ୱରରେ ତିନିଦଳର ନେତା ଓ ପ୍ରାର୍ଥୀ ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡ଼ି ଅଞ୍ଚଳରେ ବିଜେଡିର ରୋଡ୍‌ ଶୋ’ । ରାଜ୍ୟସଭା ସଦସ୍ୟ ମୁନା ଖାନ୍‌ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେଡିରେ ମିଶ୍ରଣ ପର୍ବ ସହ ପ୍ରଚାର ଜୋର ଧରିଛି । ସେପଟେ କଂଗ୍ରେସ ପକ୍ଷରୁ ଆଜି ସିପିଏମ୍‌ ସହିତ ବୁଝାମଣା କରାଯାଇଛି । ତେବେ କଂଗ୍ରେସକୁ ସିପିଏମ୍‌ର ସମର୍ଥନ ଦ୍ବାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ବି କର୍ମୀ ଓ ନେତାଙ୍କ ସହ ପ୍ରଚାର ଜାରି ରଖିଛନ୍ତି ।

ସେପଟେ କମ୍ପୁଛି ବାଲେଶ୍ବର ସଦର । ଘରଘର ବୁଲି ବିଜେପି ପ୍ରାର୍ଥୀ ମାନସ ଦତ୍ତ ଭୋଟ୍‌ଭିକ୍ଷା କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତାଙ୍କ ପାଇଁ ପ୍ରଚାର କରିଛନ୍ତି  । ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଛାନୁଆ ପଞ୍ଚାୟତରେ ରୋଡ୍‌ ଶୋ’ ଓ ସଭା କରିଥିଲେ । ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଦେବୀ ମିଶ୍ର, ପ୍ରଣବ ବଳବନ୍ତରାୟ, ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ଯୋଗଦେଇଥିଲେ । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ଜୋରଦାର ପ୍ରଚାର କରିଛନ୍ତି  । ଦଳର ତୁଙ୍ଗନେତାମାନେ ବାଲେଶ୍ବର ଆସିବା ପରେ କଂଗ୍ରେସର ଜୋସ୍ ବଢ଼ିଛି । ଆସନ୍ତା ନଭେମ୍ବର ୧ତାରିଖ ସଂଧ୍ୟାରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବ ।

 

Leave a Reply