କୋଭିଡ୍ ମୁକାବିଲାରେ ଛଅ ବଡ଼ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା… ସେପଟେ ବ୍ରହ୍ମପୁରରେ କରୋନା ସୁସ୍ଥଙ୍କର ପୁଣି ହେଉଛି ପରୀକ୍ଷା

ଭୁବନେଶ୍ୱର: କରୋନା ସୁସ୍ଥତା ହାର ତାଲିକାର ଶ୍ରେଷ୍ଠ ୬ ମଧ୍ୟରେ ଓଡିଶା । ସମଗ୍ର ଦେଶରେ ପ୍ରଥମ ୬ଟି ରାଜ୍ୟ ଭିତରେ ସ୍ଥାନ ପାଇଛି ଓଡ଼ିଶା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନମୁନା ପରୀକ୍ଷା ସଂଖ୍ୟା ସହିତ ସୁସ୍ଥତା ସଂଖ୍ୟାକୁ ଏଥିରେ ଆଧାର କରାଯାଇଛି । ଓଡିଶାରେ ଦୈନିକ ୫୦ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଥିବା ବେଳେ ସେଥିମଧ୍ୟରୁ ପଜିଟିଭ ସଂଖ୍ୟା ଯଥେଷ୍ଟ କମିଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ଓଡିଶାରେ ପ୍ରତି ୧୦୦ଜଣଙ୍କ ନମୁନା ପରୀକ୍ଷା କରାଯାଉଥିବା ବେଳେ ସେଥିମଧ୍ୟରୁ ମାତ୍ର ୬ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଯାହା କି ଜାତୀୟ ସ୍ତରର ସଂକ୍ରମଣ ହାର ଠାରୁ କମ୍।

ଜାତୀୟ ସ୍ତରରେ ଏହି ହାର ଶତକଡା ୮.୬୯ ପ୍ରତିଶତ ରହିଛି । ତାମିଲନାଡୁ, କେରଳ, ବିହାର, ଆସାମ୍ ଓ ଗୁଜରାଟ ଭଳି ବଡବଡ ରାଜ୍ୟ ଠାରୁ ମଧ୍ୟ ଓଡିଶା ବେଶ୍ ଭଲ କରୁଥିବା ସର୍ଭେରୁ ଜଣାପଡିଛି । କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଓ ପରିଚାଳନା ଯୋଗୁଁ ଏହି ସଫଳତା ମିଳିଥିବା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି ।

ରାଜ୍ୟରେ ୩୦ ଜିଲ୍ଲାରୁ ଗତକାଲି ଆଉ ୨୮ଶହ୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୭୦ହଜାର ଟପିଛି । ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ୪୬ହଜାର ୯୩୫ଜଣ । ସେପଟେ ଭୂତାଣୁ ମୁକାବିଲା ନେଇ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଗଂଜାମରେ ଆରମ୍ଭ ହୋଇଛି କରୋନା ସୁସ୍ଥ ବ୍ୟକ୍ତିଙ୍କ ପୁଣି ସ୍ୱାସ୍ଥ୍ୟ ପରୀକ୍ଷା । ବିଶେଷକରି ଆଶା, ଅଙ୍ଗନବାଡ଼ି ଓ ଆୟୁଷ ଡାକ୍ତରଙ୍କ ଏହି ଟିମରେ ସାମିଲ ଅଛନ୍ତି । ଦଳ ସୁସ୍ଥ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରୁଛନ୍ତି । ବ୍ରହ୍ମପୁର ମ୍ୟୁନିସିପାଲିଟି ଅଞ୍ଚଳ ସମେତ ସମସ୍ତ ବ୍ଲକରେ ଏହି ପକ୍ରିୟା ଆରମ୍ଭ ହୋଇଛି । ଏହି ହେଲଥ ସ୍କ୍ରିନିଂ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଜାରି ରହିବ । ପୁନଃ ଯାଞ୍ଚ ସମୟରେ ପଜିଟିଭ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ।

Leave a Reply