ଓଡ଼ିଶା ଅଗ୍ନିଶମ ସେବା ପୋର୍ଟାଲ ଉନ୍ମୋଚିତ: ଏଣିକି ଅନ୍‌ଲାଇନ୍‌ରେ ମିଳିପାରିବ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର

1 min read

ଭୁବନେଶ୍ୱର: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଅଗ୍ନିଶମ ସେବା ବିଭାଗର ଅନଲାଇନ୍ ପୋର୍ଟାଲ୍ ଉନ୍ମୋଚନ କରିଛନ୍ତି । ଅନଲାଇନ୍ ମୋଡ୍ ମାଧ୍ୟମରେ ବିଭିନ୍ନ ବର୍ଗର ଅଟ୍ଟାଳିକାକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ ଦିଗରେ ଏହା ଉପଯୋଗୀ । ଏଥିସହିତ ଅନଲାଇନ୍ ମୋଡ୍‌ରେ ଜନସାଧାରଣଙ୍କ ପାଇଁ ଆଉ ଆଠଟି ସେବା ଉପଲବ୍ଧ ହେବ । ଚଳିତ ବର୍ଷ ଅକ୍ଟୋବର ୨ ସୁଦ୍ଧା ଅନ୍ୟ ସମସ୍ତ ସେବାକୁ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନଲାଇନ୍ ପ୍ରକ୍ରିୟାରେ ବିଭିନ୍ନ ବର୍ଗର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ ପାଇଁ ଓଡିଶା ଅଗ୍ନିଶମ ସେବା ଅନ୍‌ଲାଇନ୍‌ ପୋର୍ଟାଲ୍ ଉନ୍ମୋଚନ କରିଥିବାରୁ, ଏ ନେଇ ଖୁସି ବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅନ୍‌ଲାଇନ୍ ସେବା ଦ୍ୱାରା ସମ୍ପୃକ୍ତ ବିଭାଗରେ ଦକ୍ଷତା ବୃଦ୍ଧି ହେବ, ଟ୍ରାନ୍ସଫରେନ୍ସି ଆସିବ ଏଥିସହିତ ସଠିକ୍ ସମୟରେ କାର୍ଯ୍ୟ ସମ୍ପାଦିତ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 5-T ଇନିସେଟିଭ୍ ଅଧୀନରେ ଏହି ସେବା କାର୍ଯ୍ୟକରିବ  ।

            ଏହି ପୋର୍ଟାଲ କାର୍ଯ୍ୟକାରୀ ହେବା ଦ୍ୱାରା ବହୁତଳ ଅଟ୍ଟାଳିକା, ମଲ୍ଟିପ୍ଳେକ୍ସ, ସପିଂ ମଲ୍ ଏବଂ କ୍ଲିନିକାଲ୍ ଏଷ୍ଟାବ୍ଳିସ୍‌ମେଣ୍ଟ ଅନ୍‌ଲାଇନ୍ ମାଧ୍ୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇପାରିବେ । ସମ୍ପୃକ୍ତ ବିଭାଗ ସମ୍ପର୍କିତ ଅନ୍ୟ ସବୁ ସେବାକୁ ଆସନ୍ତା ୨ ଅକ୍ଟୋବର ସୁଦ୍ଧା ଅନ୍‌ଲାଇନ୍ ମୋଡରେ ଯୋଗାଇଦିଆଯିବ ।

            ଏଥିସହିତ ଭୂତାଣୁର ଭୟ ମଧ୍ୟରେ ଅମ୍ଫାନ ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବା କର୍ମଚାରୀଙ୍କ ପକ୍ଷରୁ କରାଯାଇଥିବା ପୁନରୁଦ୍ଧାର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ସୁସ୍ଥ ହୋଇଥିବା ସଂକ୍ରମିତ ରୋଗୀ ପ୍ଳାଜ୍‌ମା ଦାନ ପାଇଁ ଆଗେଇ ଆସି ଅଗ୍ନିଶମ ସେବା କର୍ମଚାରୀଙ୍କ ମାନବିକତାର ପରିଚୟ ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।      ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା ଅଗ୍ନିଶମ ବିଭାଗ ଟେକ୍ନୋଲଜିକୁ ଆପଣାଇଥିବାରୁ ଲୋକଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଉନ୍ମୋଚନ ଅବସରରେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, 5-t ସେକ୍ରେଟାରୀ ଭି.କେ ପାଣ୍ଡିଆନ୍‌, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଅଗ୍ନିଶମ ଡିଜି, ଆଇଜି ଫାୟର ସର୍ଭିସ, ଉନ୍ନୟନ କମିଶନର, ଗୃହ ବିଭାଗ ପ୍ରମୁଖ ସଚିବ, ଇଟି ଏବଂ ଆଇଟି ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply