କୋଭିଡ୍‌ ପରିଚାଳନାରେ ଓଡ଼ିଶାକୁ ପୁଣି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସା

1 min read
Cm Naveen

ଭୁବେନଶ୍ୱର: କୋଭିଡ୍‌ ପରିଚାଳନାରେ ଓଡ଼ିଶାକୁ ପୁଣି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସା ମିଳିଛି । କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୂରା ପ୍ରଶାସନିକ କଳ, ଡାକ୍ତର, ନର୍ସ, ପୋଲିସ କର୍ମଚାରୀ ଯେପରି ଦିନରାତି ଏକ ହୋଇ କାମ କରୁଛନ୍ତି, ସେଥିଲାଗି ଓଡ଼ିଶାକୁ ମିଳିଛି ପ୍ରଶଂସା । ଅନ୍ତରାଷ୍ଟ୍ରୀୟ ସଂସ୍ଥା ଓଡ଼ିଶାକୁ ପ୍ରଶଂସା କରିବା ପରେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ମନୋବଳ ଆହୁରି ବୃଦ୍ଧି ପାଇବ ବୋଲି ଶାସକ ଦଳ କହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ରାଜ୍ୟ ସରକାର ନେଉଥିବା ପଦକ୍ଷପକୁ ସ୍ୱାଗତ କରିଛନ୍ତି ।

ଆମେରିକା ଓ ସ୍ୱିଜରଲାଣ୍ଡର ଗବେଷକମାନେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । କୋଭିଡ୍‌ ତଥ୍ୟ ପ୍ରଦାନରେ ଓଡ଼ିଶା ଆଗୁଆ । ୪ଟି ବର୍ଗ ପାଇଁ ମିଳିଛି ମାନ୍ୟ । କୋଭିଡ୍‌- ୧୯ ସଂକ୍ରାନ୍ତରେ ଅଧିକାଂଶ ତଥ୍ୟ ପ୍ରଦାନ, ନିର୍ଭୁଲ ପ୍ରଦର୍ଶନ, କରୋନା ଆକ୍ରାନ୍ତଙ୍କ ତଥ୍ୟ ଗୋପନ ରଖିବା ଓ ବିଭାଗୀକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାମକୁ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଓ ସ୍ୱିଜରଲାଣ୍ଡର ଏରୋସୋଲ ଇଣ୍ଡଷ୍ଟ୍ରିର ଗବେଷକମାନେ ପ୍ରଶଂସା କରିଛନ୍ତି ।

ଓଡ଼ିଶା ସରକାର କୋଭିଡ୍‌ ନେଇ ଉପଯୁକ୍ତ ତଥ୍ୟ ପ୍ରଦାନ କରିଥିବାରୁ ଏହି ମହାମାରୀ ନିୟନ୍ତ୍ରଣ ପାଇଁ ପ୍ରଶାସନ ସଠିକ ନୀତି ନିୟମ ନିର୍ଦ୍ଧାରଣ କରିପାରିଛି । କୋଭିଡ୍‌-୧୯ ଡାଟା ରିପୋର୍ଟିଂ ସ୍କୋର୍‌ରେ ଭାରତର ୪ଟି ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଓଡ଼ିଶାର ହାରାହାରି ସ୍କୋର ୦.୫୧ରହିଛି । ଗବେଷକମାନଙ୍କ ଏହି ରିର୍ପୋଟ ମେଡ୍‌ରିକସିଭରେ ପ୍ରକାଶିତ ହୋଇଛି ।

ରାଜ୍ୟ ସରକାରଙ୍କ କୋଭିଡ୍‌ ମୁକାବିଲା ପଦକ୍ଷେପକୁ ଏହି ପ୍ରଶଂସା ଆହୁରି ଶକ୍ତିଶାଳୀ କରିବ । ମୁଖ୍ୟମନ୍ତ୍ର, ମନ୍ତ୍ରୀ, ପ୍ରଶାସନିକ କଳ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ସମସ୍ତ କରୋନା ଯୋଦ୍ଧାଙ୍କ ପରିଶ୍ରମ ଯୋଗୁ ଓଡ଼ିଶା ଅନ୍ତରାଷ୍ଟ୍ରୀୟ ସ୍ତରରେ ଏପରି ପ୍ରଶଂସା ପାଇଛି ବୋଲି ଶାସକ ଦଳ କହିଛି ।

ଭାରତ ଲକ୍‌ଡାଉନ୍‌ ହେବା ପୂର୍ବରୁ ଓଡ଼ିଶା ଲକ୍‌ଡାଉନ୍‌, ସ୍ୱତନ୍ତ୍ର କୋଭିଡ୍‌ ହସ୍ପପିଟାଲ ନିର୍ମାଣ, ପ୍ରବାସୀଙ୍କ ପାଇଁ ତୃଣମୂଳ ସ୍ତରରେ କ୍ୱାରେଣ୍ଟାଇନ୍‌ ସେଣ୍ଟର କରିବା ସହ ଆର୍ଥିକ ସହାୟତା ପ୍ରଦାନ, କରୋନା ଟେଷ୍ଟିଂ ବୃଦ୍ଧି, ପ୍ରତ୍ୟେକ ଦିନ ପ୍ରଶାସନ କରୋନ ତଥ୍ୟ ଦେବା, ଲୋକଙ୍କୁ ସଚେତନ କରିବା, କେନ୍ଦ୍ର ସରକାରଙ୍କ ନିୟମକୁ କଡ଼ାକଡ଼ି ପାଳନ ସହ କରୋନା ରୋଗୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିଛି ।

କରୋନା ସଂକ୍ରମଣ ରୋକିବାକୁ ନୂଆନୂଆ ପଦକ୍ଷେପ ନେବାରେ ବି ଓଡ଼ିଶା ବେଶ୍‌ ଆଗରେ ଅଛି । ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବା ସହ ସୁସ୍ଥତା ମଧ୍ୟ ବଢିଚାଲିଛି । ରାଜ୍ୟ ସରକାରଙ୍କ ସଠିକ୍‌ କୋଭିଡ୍‌ ପରିଚାଳନା ପାଇଁ ଓଡ଼ିଶା ଭଲ ସ୍ଥିତିରେ ଥିବା ସ୍ଥାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

କରୋନା ମୁକାବିଲା ଦିଗରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇ ସଂକ୍ରମଣ ହ୍ରାସ କରିବାକୁ ସଫଳ ରଣନୀତି ପ୍ରସ୍ତୁତ କରି କାମ କରିଚାଲିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ ସହ କେତେକ ଆଗୁଆ ପଦକ୍ଷେପ ନେଇ ସାରା ଦେଶକୁ ବାଟ ଦେଖାଇଛି ଓଡ଼ିଶା । କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ପାଇଁ ସେମାନଙ୍କ ସାମାଜିକ ନିରାପତ୍ତା ଓ ଆର୍ଥିକ ସହାୟତା ରାଶି ଘୋଷଣା କରିବାରେ ଓଡ଼ିଶା ଆଗରେ ରହିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଦ୍ଧହସ୍ତ । ଯେଉଁଥି ପାଇଁ ସେ ସଭିଁଙ୍କ ପାଇଁ ରୋଲ ମଡେଲ ସାଜିଛନ୍ତି ।

 

(ରିପୋର୍ଟ- ଚିନ୍ମୟ ମହାପାତ୍ର)

Leave a Reply