କଣ ଘଟିଥିଲା ବର୍ଷାଙ୍କ ସହ ବେଙ୍ଗଳୁରୁର ସେହି ଫ୍ଲାଟରେ ?

ବେଙ୍ଗଳୁରୁ : ରହସ୍ୟ ଘେରରେ ବେଙ୍ଗଳୁରୁରେ ଓଡ଼ିଆ ବୋହୂ ବର୍ଷା ପ୍ରିୟଦର୍ଶନୀ ମିଶ୍ରଙ୍କ ମୃତ୍ୟୁ ଘଟଣା । ବର୍ଷା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ? ବର୍ଷାଙ୍କ ଶ୍ୱଶୁର ଘର ଲୋକଙ୍କ କହିବା ଅନୁସାରେ, ସେ ଆତ୍ମହତ୍ୟା କରିଛନ୍ତି ମାତ୍ର ପରିବାର ଲୋକଙ୍କ ଅଭିଯୋଗ ତାଙ୍କୁ ମାରି ଦିଆଯାଇଛି । ଏ ସବୁ ମଧ୍ୟରେ ୧ ମିନିଟ୍ ୪୪ ସେକେଣ୍ଡର ଏକ ଅଡିଓ ଟେପ୍ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ବର୍ଷା ତାଙ୍କ ସାନ ଭଉଣୀଙ୍କ ସହ ଶେଷଥର ପାଇଁ ଅତି ନିମ୍ନ ସ୍ୱରରେ ସେ ଦିନର ଘଟଣାକ୍ରମ ବଖାଣିଛନ୍ତି । ତାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ପଛପଟୁ ମୁଣ୍ଡକୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ପ୍ରୟାସ କରିଥିବା କହିଛନ୍ତି । ତେବେ ୨୧ ତାରିଖ କଣ ଘଟିଥିଲା ସେ ଫ୍ଲାଟରେ । ବର୍ଷା ତାଙ୍କ ମା’ଙ୍କ ସହ ଶେଷ ଥର ପାଇଁ କଣ କଥା ହୋଇଥିଲେ ? ବେଙ୍ଗଳୁରୁରେ ସ୍ୱାମୀଙ୍କ ସହ ନପଡ଼ିବାର କଣ ଥିଲା ମୁଖ୍ୟ କାରଣ ? ସବୁ ଘଟଣା ଉପରୁ ଧିରେ ଧିରେ ରହସ୍ୟ ଉଠାଇବାକୁ ପ୍ରୟାସ ଆରମ୍ଭ କରିବ ବେଙ୍ଗଳୁରୁ ପୋଲିସ ।


ମା’ଙ୍କୁ ଫୋନ୍ କଲ୍

ଡିସେମ୍ବର ୨୦ ତାରିଖ, ଶୁକ୍ରବାର । ରାତି ପ୍ରାୟ ୯ଟା ହେବ । ବେଙ୍ଗଳୁରୁର ବାକିଲ ମଙ୍ଗୋଲିଆ ଆପାର୍ଟମେଣ୍ଟରେ ରହୁଥିବା କର୍ମଜୀବୀ ଓଡ଼ିଆ ବୋହୂ ବର୍ଷା ପ୍ରିୟଦର୍ଶନୀ ମିଶ୍ର, ଓଡ଼ିଶାର କୋଣାର୍କ ଥାନା ଅନ୍ତର୍ଗତ ଅମ୍ବିଲି ଗାଁରେ ରହୁଥିବା ତାଙ୍କ ମା’ଙ୍କ ପାଖକୁ ଫୋନ୍ କରିଥିଲେ । ସବୁଦିନ ଭଳି ସେଦିନ ସ୍ୱାଭାବିକ ଢଙ୍ଗରେ କିନ୍ତୁ ମା’ଙ୍କ ସହ କଥା ହୋଇନଥିଲେ ବର୍ଷା । କହିଥିଲେ, ମା ତାଙ୍କୁ ମୁଁ ଲିଗାଲ୍ ନୋଟିସ୍ ପଠେଇବି । ମୁଁ ଆଉ ରହିପାରିବିନି ସେ ଲୋକ ପାଖରେ । ମା ଆରତୀ ମିଶ୍ର କହିଥିଲେ ବାପାଙ୍କ ଦେହ ଭଲ ନାହିଁ, ବ୍ଲଡ୍ ପ୍ରେସର ରହୁଛି । ତୁ ବ୍ୟସ୍ତ ହଅନା ୧୫ ଦିନ ପରେ ମୁଁ ବେଙ୍ଗଳୁରୁ ଯିବି ତୋ ପାଖରେ ରହିବି । ବାସ୍, ମା ଝିଅଙ୍କ ମଧ୍ୟରେ ଏତକ କଥାବାର୍ତ୍ତାରେ ଶେଷ ହୋଇଥିଲା ସେ ରାତିର ଫୋନ୍ କଲ୍ । ଏହାପରେ ସକାଳ ୯ଟାରେ ବର୍ଷାଙ୍କ ସ୍ୱାମୀ ରତିକାନ୍ତ ରଥ ଫୋନ୍ କରିଥିଲେ ଶାଶୁ ଆରତୀଙ୍କ ପାଖକୁ । କହିଥିଲେ, ମା ପିଙ୍କି କବାଟ୍ ଦେଇଦେଇଛି । ଅସ୍ତବ୍ୟସ୍ତ ହୋଇ ଆରତୀ କହିଥିଲେ ବାପା, କବାଟ୍ ଭାଙ୍ଗିଦିଅ । ଜ୍ୱାଇଁଙ୍କ ସହ କଥା ହେବା ପରେ ସମୁଦୁଣିଙ୍କୁ ଫୋନ୍ କରିଥିଲେ, ମାତ୍ର ସମୁଦୁଣି ମଧ୍ୟ ସମାନ ଉତ୍ତର ଦେଇଥିଲେ । କହିଥିଲେ କବାଟ୍ ଆମେ ଭାଙ୍ଗିପାରିବୁନି, ମାଲିକ ଆସିଲେ କବାଟ୍ ଭଙ୍ଗାହେବ । ଏହାରି ମଧ୍ୟରେ ପୋଲିସକୁ ଖବର ଦେଇଥିଲେ ବର୍ଷାଙ୍କ ଶ୍ୱଶୁର ଘର ଲୋକ । ପୋଲିସ ପହଞ୍ଚିବା ବେଳକୁ ବର୍ଷାଙ୍କର ମୃତ୍ୟୁ ହୋଇସାରିଥିଲା । ବର୍ଷାଙ୍କର ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ଅଡିଓ ଟେପ୍ 

ଅଡ଼ିଓ ଟେପ୍ ସାମ୍ନାକୁ ଆସିବା ପରେ ଶ୍ୱଶୁର ଘର ଲୋକଙ୍କ କାରନାମା ସାମ୍ନାକୁ ଆସିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଯେଉଁଥିରେ ବର୍ଷା ତାଙ୍କ ସାନ ଭଉଣୀଙ୍କ ସହ କଥା ହୋଇଛନ୍ତି । ଏଥିରେ ସେ ବାରମ୍ବାର କହୁଛନ୍ତି ଯେ, ତାଙ୍କ ୩ ବର୍ଷର ପୁଅ ଭଉଣୀଙ୍କୁ ଲାଗିଲା । ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ପଛପଟ ମୁଣ୍ଡକୁ ମାଡ଼ ମାରିଛନ୍ତି । ତାଙ୍କ ମୁଣ୍ଡ ଆଉ କାମ କରୁନି, ସେ କିଛି ଅନୁଭବ କରିପାରୁନାହାନ୍ତି । ଏପଟେ ବର୍ଷାଙ୍କ ମା ଆହୁରି କହିଛନ୍ତି ଯେ, ୨୦୧୫ ଡିସେମ୍ୱର ୬ ତାରିଖରେ ବର୍ଷାଙ୍କର ରତିକାନ୍ତ ରଥଙ୍କ ସହ ବିବାହ ହୋଇଥିଲା । ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଝାଣ୍ଟି ଜାରି ରହିଥିଲା । ତେବେ ଅନେକ ସମୟରେ ବର୍ଷା, ରତିକାନ୍ତଙ୍କ ଠାରୁ ଅଲଗା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଗୋଡ଼ହାତ ଧରି ସମାଧାନ କରିଦିଅନ୍ତି । ଆଉ ମାରପିଟ୍ କରିବେ ନାହିଁ ବୋଲି କୁହନ୍ତି । ଏମିତିରେ ଚାଲିଥିଲା ସେମାନଙ୍କର ସଂସାର । ରତିକାନ୍ତଙ୍କ ଉଭଣୀଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ବର୍ଷାଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି ।

ତଦନ୍ତ ଓ ଗିରଫଦାରୀ 

୨୧ ତାରିଖ ବର୍ଷାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସେହିଦିନ ରାତି ୯.୧୫ ଫ୍ଲାଇଟରେ ତାଙ୍କ ମା ବେଙ୍ଗଳୁରୁ ଯାଇଥିଲେ । ଏହାପରେ ତାଙ୍କର ସଂପର୍କୀୟଙ୍କୁ ମିଶାଇ ୫ ଜଣ ବେଙ୍ଗଳୁରୁ ଗସ୍ତ କରିଛନ୍ତି । ସୂର୍ଯ୍ୟ ନଗର ପୋଲିସ ଷ୍ଟେସନରେ ଏତଲା ଦେବା ପରେ ବର୍ଷାଙ୍କ ସ୍ୱାମୀ, ତାଙ୍କ ଶ୍ୱଶୁର ଓ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୨୩ ତାରିଖରେ ଆମିକଲ୍ ସରକାରୀ ଚିକିତ୍ସାଳୟରେ ବର୍ଷାଙ୍କର ଶବ ବ୍ୟବଚ୍ଛେଦ ପରେ ୨୪ ତାରିଖରେ ବର୍ଣ୍ଣାଲୀ ସ୍ମଶାନରେ ତାଙ୍କର ଶବ ସତ୍କାର କରିଥିଲେ ପରିବାର ଲୋକ । ଏବେବି ବର୍ଷାଙ୍କ ନଣନ୍ଦ ଓ ଭିଣୋଇ ଫେରାର ଥିବା ବେଳେ ସେମାନଙ୍କର ଗିରଫ ଦାବିରେ ପ୍ରତିଦିନ ଥାନାକୁ ଦୌଡ଼ୁଛନ୍ତି ବର୍ଷାଙ୍କ ପରିବାର ଲୋକ । ତେବେ ପୋଷ୍ଟ ମର୍ଟମ୍ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବର୍ଷାଙ୍କ ମୃତ୍ୟୁ କିଭଳି ହୋଇଛି ।

Leave a Reply