ମେନ୍ ଇନ୍ ବ୍ଳୁରେ ଓଡ଼ିଆ ଦୃଷ୍ଟିବାଧିତ କ୍ରିକେଟର

1 min read

  ଭୁବନେଶ୍ୱର (ଅନୁଜ ଦାସ): ଇନ୍ଦ୍ରଧନୁର ସାତ ରଙ୍ଗ ସେ ଦେଖିନି । ଦେଖିନି ନୀଳ ଆକାଶର ସୌନ୍ଦର୍ଯ୍ୟ ।  ରଙ୍ଗ ବୋଲି କେବଳ କଳା ହିଁ ଜାଣିଛି ।  ହଁ , ସେ ଦୃଷ୍ଟିବାଧିତ ।  ସେଥିପାଇଁତ  ରଙ୍ଗ ବେରଙ୍ଗର ଏହି ଦୁନିଆ ଦେଖିବାକୁ ସେ ଅସମର୍ଥ ।  ବାପା ଛେଉଣ୍ଡ କାଳିଆକୁ ଆଗକୁ ବଢିବା ପାଇଁ ମା’ ହିଁ ସାହାସ ଦେଇଛି ।  ବ୍ରହ୍ମପୁରର ଚିକିଟି ବ୍ଲକର ଆମ୍ବ ଗାଁରେ କାଳିଆର ଘର । ଘର କହିଲେ ସରକାରୀ ଯ଼ୋଜନାରେ ମିଳିଥିବା ଖଣ୍ଡେ ଘର । ମୂଲ ଲାଗିଲେ ପରିବାର ଚଳେ । ଓଳିଏ ଖାଇ ଓଳିଏ ଓପାସ  ରହୁଥିବା ଏହି ପିଲା କ’ଣ ବଡ ସ୍ୱପ୍ନ ଦେଖିପାରିବ ।

ନିସ୍ତବ୍ଧ ରାତିରେ ଶୋଇଗଲା ପରେ ନୁହଁ ବରଂ ରାତି ଦିନ ସବୁବେଳେ ସେ ଦେଖୁଥାଏ  ଏକ ନିଆରା ସ୍ୱପ୍ନ । ‘କ୍ରିକେଟର ହେବି , ଭାରତ ପାଇଁ ଖେଳିବି ‘।  ଗରିବ ପରିବାରରେ ଜନ୍ମ ହୋଇଥିବା ଜଣେ ପିଲା ଏତ ବଡ ସ୍ୱପ୍ନ ଦେଖିବା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଦିନ ମଜୁରିଆ ଘରେ ରହିଲେ ବି ସେ ଦେଖିଥିଲା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବାର ସ୍ୱପ୍ନ ।  ତୁଳସୀ ଦୁଇ ପତ୍ର ରୁ ବାସିଲା ଭଳି କାଳିଆ ପିଲାବେଳୁ ହିଁ କ୍ରିକେଟ ଖେଳିବାକୁ ଆରମ୍ଭ କରିଦେଇଥିଲା ।

2009ରେ ଓଡିଶା ଦୃଷ୍ଟିହୀନ କ୍ରିକେଟ ସଂଘ ଅଧିନରେ ପ୍ରଫେସନାଲ କ୍ରିକେଟ ଖେଳିବା ଆରମ୍ଭ କଲା ।  ସମୟ ଗଡିଚାଲିଥାଏ କିନ୍ତୁ ଅନ୍ତର୍ଜାତୀୟ ଟୂର୍ଣ୍ଣାମେଣ୍ଟରେ ଖେଳିବାର ସୁଯ଼ୋଗ ପାଉନଥିଲେ କାଳିଆ । କିନ୍ତୁ

ହାର ମାନିନଥିଲେ , ଜାରି ରଖିଥିଲେ ଅଭ୍ୟାସ । ବିଳମ୍ବରେ ହେଉ ପଛେ ନିଷ୍ଠାର ଫଳ ପାଇଛନ୍ତି କାଳିଆ ।  ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି କାଳିଆ ।  ନେପାଳ ବିପକ୍ଷରେ ହେବାକୁ ଥିବା ଏକ ଦିବସୀୟ ଓ ଟି-୨୦ ମ୍ୟାଚରେ ନିଜର ଦକ୍ଷତା ଦେଖାଇବେ ଅଲରାଉଣ୍ଡର କାଳିଆ । ଏହା କାଳିଆଙ୍କ ଡେବ୍ୟୁ ସିରିଜ ।  ଦଳରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ଏହି ସିରିଜରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଟାର୍ଗେଟ ରଖିଛି କାଳିଆ ପ୍ରଧାନ ।

Leave a Reply