ସ୍ମାର୍ଟ୍ ସିଟି ଭୁବନେଶ୍ୱରକୁ ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା

1 min read

ଭୁବନେଶ୍ୱର: ତୃତୀୟ ପକ୍ଷ ସମୀକ୍ଷାରେ ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ଓଡିଏଫ୍‌ ପ୍ଲସ୍ ପ୍ଲସରେ ସଫଳତା । ସ୍ୱଚ୍ଛ ଭାରତ ମିଶନର ଏକ ପ୍ରମୁଖ ସୂଚକାଙ୍କ ହେଉଛି ଓଡିଏଫ୍‌ପ୍ଲସ୍ ପ୍ଲସ୍ ମାନ୍ୟତା । ୧୦ ଏବଂ ୧୧ ଡିସେମ୍ବର ୨୦୨୦ରେ କ୍ୟୁସି ଆଇ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଦେଖି, ଆଖି ଦେଖା ସ୍ଥିତିକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଏହି ମୂଲ୍ୟାୟନ କରାଯାଇଛି । କୌଣସି ଏକ ସହରର ଓଡିଏଫ ସ୍ଥିତି ଜାଣିବାକୁ ଯେଉଁ ସବୁ ସୂଚକାଙ୍କ ବା ପରିମଳ ଜନିତ ସ୍ଥିତି ଓ ସେବା ବ୍ୟବସ୍ଥା ଏବଂ ଆଚରଣଗତ ପରିବର୍ତ୍ତନ ଦରକାର, ସେଗୁଡିକ ପୂରଣ କରିଛି ଭୁବନେଶ୍ୱର ମହାନଗର ନିଗମ । କାରଣ, କେବଳ ପ୍ରଶାସନିକ ବା ପୌର ସଂସ୍ଥାର କାର୍ଯ୍ୟ ବା ଭିତ୍ତିଭୂମି ଏଥିପାଇଁ ସମ୍ପୂର୍ଣ୍ଣ ନୁହେଁ । ଏହ ସାଙ୍ଗକୁ ନାଗରିକ ମାନଙ୍କର ସହଯୋଗ ଏବଂ ପରିମଳ ଆଚରଣ ମଧ୍ୟ ମୂଖ୍ୟ ଭୁମିକା ଗ୍ରହଣ କରିଛି ବୋଲି କହିଛନ୍ତି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ODF++ Certification To Bhubaneswar Municipal Corporation BMC

ରାଜ୍ୟର ପ୍ରମୁଖ ପୌର ସଂସ୍ଥାଭାବେ ପରିମଳକୁ ଆମେ ଅଗ୍ରଣୀ ସେବା ଭାବେ ଗୁରୁତ୍ୱ ଦେଉଛୁ । ଏଥିପାଇଁ ‘ମୁଁ ସଫେଇବାଲା’ ଅଭିଯାନ ଏବଂ ଏହି ସମ୍ପର୍କିତ କାର୍ଯ୍ୟକ୍ରମ ଆମକୁ ନାଗରିକ ମାନଙ୍କର ସହଯୋଗ ଲାଭ କରାଇଛି । ଉଦାହରଣ ସ୍ୱରୁପ ଆଜିର ଦିନରେ ସ୍ମାର୍ଟ ସହର ଭୁବନେଶ୍ୱରକୁ ମିଳିଛି ଓଡିଏଫ୍ ପ୍ଲସ୍ ପ୍ଲସ୍‌ର ମାନ୍ୟତା । ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏହି ମାନ୍ୟତା ନିମନ୍ତେ ଗତ ମାର୍ଚ୍ଚ-ଅପ୍ରେଲ ୨୦ରେ ଆବେଦନ କରାଯାଇଥିବା ବେଳେ ସାମ୍ପ୍ରତିକ କୋଭିଡ-୧୯ ମହାମାରୀ ପ୍ରଭାବରେ ଏହି ପ୍ରକ୍ରିୟା କିଛି ମାସ ରହିଥିଲା ଏବଂ ବର୍ତ୍ତମାନର ଅନ୍‌ଲାଇନ୍ ସ୍ଥିତିରେ ଓଡିଏଫ୍ ପ୍ଲସ୍ ପ୍ଲସ୍‌ର ମୂଲ୍ୟାୟନ କରାଯାଇଛି । ଏଥିପାଇଁ ନିୟୋଜିତ ସଂସ୍ଥା ଗତ ମାସରେ ଆସି କ୍ଷେତ୍ର ମୂଲ୍ୟାୟନ କରିଥିଲେ ଏବଂ ଭାରତ ସରକାରଙ୍କ ସମ୍ପୃକ୍ତ ବିଭାଗକୁ ବିବରଣୀ ଦେଇଥିବାର କହିଛନ୍ତି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ।

ODF++ Certification To Bhubaneswar Municipal Corporation BMC

ନିୟମ ଅନୁସାରେ ଏହି ତୃତୀୟ ପକ୍ଷ ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥାର ଅଜ୍ଞାତରେ କ୍ଷେତ୍ର ବିଶେଷରେ ପରିମଳ ସ୍ଥିତି ଦେଖିଛନ୍ତି । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଓଡିଏଫ୍ ପ୍ଲସ୍ ପ୍ଲସ୍‌ର ନିୟମାବଳୀ ଅନୁସାରେ ଶୌଚାଳୟ ସେବା ମିଳିବା, ସହର ବାହ୍ୟ ମଳ ତ୍ୟାଗ ମୁକ୍ତ ହେବା, ମଳ ପରିଚାଳନା ବିଜ୍ଞାନ ସମ୍ମତ ହେବା, ବ୍ୟକ୍ତିଗତ ଘରୋଇ ପାଇଖାନାର ବ୍ୟବହାର ଥିବା, ବ୍ୟକ୍ତିଗତ ପାଇଖାନା ଗୁଡ଼ିକର ସ୍ୱରେଜ ଲାଇନ୍ ସହିତ ସଂଯୋଗ ଏବଂ ପ୍ରତ୍ୟେକ ଘରୋଇ ପାଇଖାନାର ଦୁଇଟି ସେଫଟିକ୍ ଟାଙ୍କି ରହିବା, ସେଫ୍‌ଟିକ୍ ଟାଙ୍କିର ସଫା ନିୟମିତ ହେବା ଏବଂ ଏହି ସଂକ୍ରାନ୍ତୀୟ ସେବା ନିୟମିତ ମିଳିବା, ମଳ ପରିଚାଳନା ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥା ସହିତ ନିବନ୍ଧିତ ହେବା, ମଳ ପରିଚାଳନା ଊଲ୍ଲଘଂନ କରିଥିବା ସଂସ୍ଥାକୁ ଫାଇନ୍ କରାଯିବା, ପରିମଳ ସମ୍ବନ୍ଧୀୟ ବାଇଲ୍ ଥିବା ଏହି ଅନୁଯାୟୀ ପଦକ୍ଷେପ ନିଆଯିବା ଇତ୍ୟାଦି ସୂଚକାଙ୍କରୁ ଏହି ମାନ୍ୟତାର ବିଚାର କରାଇଥାଏ ।

ODF++ Certification To Bhubaneswar Municipal Corporation BMC

ସମସ୍ତ ଦିଗରେ ନିଜକୁ ପ୍ରସ୍ତୁତ କରିଛି ବିଏମ୍‌ସି । ଏଥିରେ ନାଗରିକ ମାନଙ୍କ ସହଯୋଗ ମଧ୍ୟ ଏକ ମୂଖ୍ୟ ଅଂଶ । ସହରର ବିଭିନ୍ନ ସ୍ଥାନ ଯଥା- ମୁଣ୍ଡାସାହି ବସ୍ତି, ପଟିଆ, ଚନ୍ଦ୍ରଶେଖରପୁର ସବର ସାହି, ହଂସପାଳ ଭୋଇ ସାହି, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଭି.ଏସ୍‌.ଏସ୍‌. ନଗର ହାଉସିଂ ବୋର୍ଡ ଏରିଆ, ନାଲ୍‌କୋ ଛକ, ଚନ୍ଦ୍ରଶେଖର ପୁର ହାଉସିଂ ବୋର୍ଡ କଲୋନି, ସିଲକନ୍ ସିଟି ଏରିଆ, ମହାଲକ୍ଷ୍ମୀ ବିହାର,କଳିଙ୍ଗ ନଗର ଏରିଆ, ଜଗନ୍ନାଥ ବିହାର, ବୁଦ୍ଧ ଜୟନ୍ତୀ ପାର୍କ, ହର୍ସ୍ ଆଇଲ୍ୟାଣ୍ଡ, କିଟ୍ କ୍ୟାମ୍ପସ୍‌, ଡାକ୍ତର ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କ, ସିଆରପି ଛକ, ରୁପାଲି ଛକ ଇତ୍ୟାଦି ସ୍ଥାନକୁ ଯାଇ ବୁଲି ଦେଖିଥିଲେ । ଏହା ସାଙ୍ଗକୁ ବାସୁଆ ଘାଇ ମଳ ପରିଚାଳନା ପ୍ଲାଣ୍ଟ ମଧ୍ୟ ଦେଖିଥିଲେ ।

ODF++ Certification To Bhubaneswar Municipal Corporation BMC

ଏଗୁଡିକୁ ନେଇ ରହିଥିବା ନିୟମ ମୁତାବକ ସମୀକ୍ଷା କରି ଏହି ରିର୍ପୋଟ ଦେଇଛନ୍ତି ଭାରତ ସରକାରଙ୍କ ସଂସ୍ଥା । କିଛି ଦିନ ପୂର୍ବରୁ ମଳ ଉପଚାର ପ୍ଲାଣ୍ଟ ପାଇଁ ଦେଶରେ ପ୍ରଥମେ ଭାବେ ବିଏମସିକୁ ସମ୍ମାନ ଜନକ ଆଇଏସ୍ଓ ପ୍ରଶଂସା ମିଳିଥିବା ବେଳେ ୧୪,୪୨୦ ସଫାଇ ମିତ୍ର ଟ୍ୟାଲେଞ୍ଜ ପାଇଁ ଅଗ୍ରଣୀ ଭୂମିକା ନେଇଥିବା ବିଏମସି ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାର ପଦକ୍ଷେପ ନେଇଛି । ସର୍ବାଦା ନାଗରିକଙ୍କ ସହଯୋଗରେ ବିଏମସିର ପରିମଳ ଉନ୍ନତରୁ ଉନ୍ନତ ତମ କରିବାରେ ସହାୟକ ହେଉ ବୋଲି ଆଶା କରିଛନ୍ତି ବିଏମସି କର୍ତ୍ତୃପକ୍ଷ ।

Leave a Reply