ପୂର୍ତ୍ତ ସଚିବଙ୍କୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ଚିଠି

ଭୁବନେଶ୍ୱର : ବଢ଼ିବ ରାଜ୍ୟ ରାଜପଥ ଓ ସେତୁରୁ ଆଦାୟ ହେଉଥିବା ଟୋଲ୍ ଫି । ରାଜ୍ୟର ବିଭିନ୍ନ ରାଜପଥରୁ ସଂଗ୍ରହ କରାଯାଉଥିବା ଟୋଲ୍ ଦର ବୃଦ୍ଧି ନିମନ୍ତେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ପୂର୍ତ୍ତ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ।


ଓଡ଼ିଶା ରାଜ୍ୟ ରାଜପଥ ଟୋଲ୍ ନିୟମ ୨୦୧୧ ଅନୁସାରେ ବର୍ତ୍ତମାନ ଏହି ଟୋଲ୍ ଆଦାୟ କରାଯାଉଛି । ସମୟ ସମୟରେ ସରକାରୀ ନିୟମ ଅନୁସାରେ ଏହି ଦରରେ ପରିବର୍ତ୍ତନ କରାଯାଇଥାଏ । ତେବେ ଶେଷଥର ପାଇଁ ୨୦୧୧ରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । ତେଣୁ ୭ ବର୍ଷ ପରେ ଏଥିରେ ପରିବର୍ତ୍ତନ କରିବାକୁ ପୂର୍ତ୍ତ ବିଭାଗକୁ ପତ୍ର ଲେଖିଛି ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ।

ବର୍ତ୍ତମାନ ତିନି ଚକିଆ ଯାନ ପାଇଁ ଓ୍ୱାନ ଓ୍ୱେ ପାଇଁ ୫ ଟଙ୍କା ଥିବା ବେଳେ ଉଭୟ ପଟ ପାଇଁ ୭ ଟଙ୍କା ରହିଛି । ସେହିପରି କାର୍, ଜୀପ୍ ପାଇଁ ୧୦ ଟଙ୍କା, ଉଭୟ ପକ୍ଷ ପାଇଁ ୧୫ ଟଙ୍କା ରହିଛି । ହାଲୁକା ବାଣିଜ୍ୟିକ ଯାନ, ମିନି ବସ୍, ମିନି ଟ୍ରକ୍ ଓ ବସ୍ ପାଇଁ ଓ୍ୱାନ ଓ୍ୱେକୁ ୨୦ ଓ ମଲଟି ଓ୍ୱେ ପାଇଁ ୩୦ ଟଙ୍କା ରହିଛି । ସେହିପରି ହେଭି କମର୍ସିଆଲ୍ ଭେଇକିଲ୍ ପାଇଁ ଓ୍ୱାନ ଓ୍ୱେକୁ ୨୦୦ ଓ ମଲଟି ଓ୍ୱେ ପାଇଁ ୩୦୦ ଟଙ୍କା ରଖାଯାଇଥିଲା । ଏଥିରେ ପରିବର୍ତ୍ତନ ଆଣିବାକୁ ପୂର୍ତ୍ତ ବିଭାଗକୁ ଚିଠି କରାଯାଇଛି ।


ନୂଆଦର ଲାଗୁ ହେଲେ ରାଜ୍ୟ ରାଜପଥରେ ଏହି ସବୁ ଯାନ ବାହନ ପାଇଁ ବର୍ଦ୍ଧିତ ଦରରେ ଅର୍ଥ ଆଦାୟ କରାଯିବ । ବର୍ତ୍ତମାନ ୩୬ଟି ରାସ୍ତା ଓ ସେତୁ ନିକଟରୁ ଟୋଲ୍ ଆଦାୟ କରାଯାଉଛି । ଦୈତାରୀ ଡୁବୁରି ଏକ୍ସପ୍ରେସ୍ ହାଇଓ୍ୱେରେ ଥିବା ଟୋମାକା ଟୋଲ୍ ପ୍ଲାଜାରୁ ଭିନ୍ନ ପରିମାଣର ଟୋଲ୍ ଆଦାୟ କରାଯାଉଥିବ ସୂଚନା ମିଳିଛି ।

Leave a Reply