୨୦ ବର୍ଷ ପରେ ବି ଯାହାଙ୍କ ରାଜନୈତିକ ପ୍ରତିକାର ଖୋଜି ପାଇ ନାହାନ୍ତି ବିରୋଧୀ !

1 min read

ଆଞ୍ଚଳିକ ରାଜନୀତିରେ ଜାତୀୟ ଦଳଙ୍କୁ ମାତ୍ ଦେଇ ୨୦ ବର୍ଷର ଲମ୍ବା ଇନିଂସ ଖେଳିବା ଯେତିକି ବିରଳ ସେତିକି ରାଜନୈତିକ ପରିପକ୍ୱତାର ଉଦାହରଣ । ଜ୍ୟୋତି ବସୁ ଓ ମାଣିକ୍ ସରକାରଙ୍କ ଭଳି ହାତ ଗଣତି କେଇ ଜଣଙ୍କୁ ଛାଡି ଦେଲେ ୨୦ ବର୍ଷ ଧରି ଗୋଟିଏ ରାଜ୍ୟର ଭୋଟରଙ୍କ ବିଶ୍ୱାସ ଓ ଭଲ ପାଇବା ଜିତିବା କିଛି ଛୋଟ କଥା ନୁହେଁ । ନବୀନ ପଟ୍ଟନାୟକ ସେଇ ହାତ ଗଣତି ନିର୍ବାଚିତ ନେତାଙ୍କ ମଧ୍ୟରୁ ଜଣେ ଯିଏ ଏହି କ୍ଲବରେ ସାମିଲ ହୋଇଛନ୍ତି । ଜାତୀୟ ରାଜନୀତିରେ ତାଙ୍କ ପରିଚୟ ହେଉଛି ଏମିତି ଜଣେ ନେତାଙ୍କର ଯିଏ ମୁହାଁମୁହିଁ ହେବା ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ,ସେ ସମସ୍ତଙ୍କୁ ସାଥିରେ ନେଇ ଚାଲିବା ରାଜନୀତିରେ ବିଶ୍ୱାସ କରନ୍ତି । ବିଭିନ୍ନ ସମୟରେ ସେ ନେଇଥିବା ବିଚକ୍ଷଣ ଓ ଅପ୍ରତ୍ୟାଶିତ ନିଷ୍ପତ୍ତି ତାଙ୍କୁ କରିଛି ନେତା ନମ୍ବର ୱାନ । ଲେଫ୍ଟ ରାଇଟ ଓ ସେଣ୍ଟରର ପଲିଟିକସରେ ସେ ଏବେ ପକ୍କା ଖେଳୁଆଡ । ତାଙ୍କ ସମର୍ଥନ ପାଇଁ ଅନାଇ ବସିଛନ୍ତି ଦେଶର ବହୁ ପୂରାତନ ଦଳର ମାଷ୍ଟର ଖେଳାଳି । ୨୦ ବର୍ଷରେ ନବୀନ ପଟ୍ଟନାୟକ ପାଲଟି ଯାଇଛନ୍ତି ନେତା ନମ୍ବର ୱାନ ।

  ଆରମ୍ଭରୁ ଆରମ୍ଭ

ଦିନେ ସେ ଥିଲେ ରାଜ୍ୟବାସୀଙ୍କ ପାଇଁ ଅପରିଚିତ। ହେଲେ ରାଜ୍ୟ ରାଜନୀତିରେ ଏବେ ସେ ଅପରାଜେୟ । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ଉଭା ହେଲେ ନବୀନ ପଟ୍ଟନାୟକ। ଆସିକା ଲୋକସଭାରୁ ଉପ-ନିର୍ବାଚନ ଜିତିବା ପରେ କେନ୍ଦ୍ରମନ୍ତ୍ରୀ ହେଲେ ନବୀନ । କିଛି ମାସ ଭିତରେ ବିଜୁ ଆଦର୍ଶ ନେଇ ଗଠନ ହେଲା ନୂଆ ଆଞ୍ଚଳିକ ଦଳ। ୨୭ ଡିସେମ୍ବର ୧୯୯୭ ଜନ୍ମ ନେଲା ବିଜୁ ଜନତା ଦଳ । ଆଉ ମହାବାତ୍ୟା ପରେ ରାଜ୍ୟବାସୀଙ୍କ ବିଶ୍ୱାସ ଜିତି ଏକ ନନ୍‌ଷ୍ଟପ୍‌ ଶାସନର ଶୁଭାରମ୍ଭ କରିଥିଲେ ନବୀନ ପଟ୍ଟନାୟକ ।

୧୯୯୯ ମହାବାତ୍ୟା। ତାଣ୍ଡବ ରଚିଲା ପ୍ରକୃତି । ଗୋଟିଏ ପବନରେ ଟାଣି ନେଇଗଲା ୧୦ହଜାରରୁ ଅଧିକ ଜୀବନ । ଆକାଶମାର୍ଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସହ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସେଦିନର କେନ୍ଦ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ବିପର୍ଯ୍ୟୟ ମୁକାବିଲାରେ ଫେଲ୍‌ ମାରିଥିବା କଂଗ୍ରେସ୍‌ ଠାରୁ ମୁହଁ ଫେରାଇଥିଲେ ଓଡ଼ିଶାବାସୀ । ବିକଳ୍ପ ଖୋଜିବା ବେଳେ ବିଶ୍ୱାସର ସାଥୀ ହୋଇ ଛିଡ଼ା ହୋଇଥିଲା ବିଜେଡି । ୨୭ ଡିସେମ୍ବର ୧୯୯୭ରେ ଗଠନ ହୋଇଥିବା ବିଜେଡିର ବୟସ ହୋଇଥାଏ ମାତ୍ର ୨ବର୍ଷ । ଦିଲ୍ଲୀପ ରାୟ, ରାମକୃଷ୍ଣ ପଟ୍ଟନାୟକ, ବିଜୟ ମହାପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ନେତା ଥାନ୍ତି ଦଳର ପ୍ରତିଷ୍ଠାତା ସଦସ୍ୟ । ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ ପ୍ରତ୍ୟକ୍ଷ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ନବୀନ ପଟ୍ଟନାୟକ। ନେତୃତ୍ୱକୁ ମିଳିଲା ସ୍ୱୀକୃତି । ଅଟଳ ବିହାରୀ ବାଜପେୟୀଙ୍କ ବିଜେପି ସହ ମିଶି ସରକାର ଗଢିଲା ବିଜେଡି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନବୀନ ।

ନବୀନ ସରକାରର ୨୦ବର୍ଷର ଏ ଲମ୍ବା ଯାତ୍ରା । ତିତଲି, ହୁଡହୁଡ, ଫାଇଲିନ୍‌, ଫନି ଓ ବୁଲବୁଲ ପରି ଅନେକ ବାତ୍ୟା ଦେଖିଛି ଓଡ଼ିଶା । ମୃଦୁ ଭୂମିକମ୍ପରେ କେବେ ଦୋହଲି ଯାଇଛି, ତ କେତେବେଳେ ବନ୍ୟାର ଗୋଳିପାଣିରେ ଘରଦ୍ଵାର ଭାସି ଯାଇଛି । ହେଲେ ହାର୍‌ ମାନିନି ଓଡ଼ିଶା, କି ହାର୍‌ ମାନି ନାହାଁନ୍ତି ନବୀନ । ଜିରୋ କାଜୁଆଲଟିର ନାରା ଦେଇ ଓଡ଼ିଶାର ବିକାଶର ଧାରାରେ ନବୀନ ଲେଖିଛନ୍ତି ନୂଆ ଇତିହାସ।  ବିପର୍ଯ୍ୟୟ ପରିଚାଳନାର ଏ କୈାଶଳକୁ ସାରା ବିଶ୍ୱ ଜଣାଇଛି ସାଧୁବାଦ । ମିଳିତ ଜାତିସଂଘ ସହ ଜାତୀୟ ଗଣମାଧ୍ୟମ ଦି ନ୍ୟୁୟର୍କ ଟାଇମସ୍‌ ବି ନବୀନଙ୍କ ବିପର୍ଯ୍ୟୟ ପରିଚାଳନା ନୀତି ଉପରେ ମୋହର ମାରିଛନ୍ତି।…

ମହାବାତ୍ୟା ପରେ ଅନେକ ହାୱା ବୋହିଛି। ହେଲେ ଯେଉଁ ହାୱା ବୋହିଛି, ତାହା ନବୀନ ହାୱା । ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ପାଲଟିଛନ୍ତି ଅପରାଜେୟ । ରାଜ୍ୟ ରାଜନୀତିର ଏ ବିରଳ ସଫଳତା, ଜାତୀୟସ୍ତରରେ ନବୀନଙ୍କୁ ଦେଇଛି ପରିଚିତି ।

୨୦ ବର୍ଷ ହେଲା ଅପାରଜେୟ

ସେ ଯେବେଠୁ ରାଜନୀତିକୁ ଆସିଛନ୍ତି ହାରିବା ଦେଖିନାହାନ୍ତି । ଲଗାତର, ନିରନ୍ତର ଭାବେ ତାଙ୍କ ମଥାରେ ଲାଗିଛି ଓଡ଼ିଶାର ବିଜୟ ତିଳକ । ୨୦୦୦ରୁ ୨୦୧୯ ଯାଏ ରେକର୍ଡ ପାଞ୍ଚଥର କ୍ଷମତାର ଡୋରି ଧରିଥିବା ନବୀନ ପାଲଟିଛନ୍ତି ଏଯାଏଁ ଅପରାଜୟ । ବିରୋଧୀଙ୍କ ପ୍ରଚଣ୍ଡ ହାୱା ବହିଛି, ରାଜନୀତି ପଣ୍ଡିତଙ୍କ ଆକଳନ ତିଆରି କିରିଛି ଭିନ୍ନ ପରିବେଶ, କିନ୍ତୁ ପରାସ୍ତ ହୋଇ ନାହାନ୍ତି ନବୀନ । ନିର୍ବାଚନୀ ମହାଭାରତର କୁରୁକ୍ଷେତ୍ରରେ ବିଜେଡି ସୁପ୍ରିମୋଙ୍କ ସ୍ଥିତପ୍ରଜ୍ଞତା ସବୁ ସ୍ଥିତିକୁ ବଦଳାଇଦେଇ ନିଜ ସପକ୍ଷରେ ଟାଣି ଆଣିଛନ୍ତି ନିର୍ଣ୍ଣାୟକ ରାୟ।…..

ଜନ୍ମରୁ ବୋଧହୁଏ ବିଜୟ ଜାତକକୁ ନିଜ ପକେଟ୍‌ରେ ଧରି ବୁଲୁଛି ବିଜେଡି । ଲାଗୁଛି ଜନ୍ମକୁଣ୍ଡଳୀରେ ସବୁ ସ୍ଥାନରେ ଅଛନ୍ତି ବୃହସ୍ପତି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନୀ ଦୌଡ଼ରେ ସାମିଲ ହେଲା ବିଜୁ ଜନତା ଦଳ । ନବୀନଙ୍କ ନେତୃତ୍ୱାଧିନ ଦଳ ପାଇଁ ପ୍ରଥମ ଅଗ୍ନିପରୀକ୍ଷା । ପଦ୍ମ ସହ ଶଙ୍ଖର ହେଲା ମେଣ୍ଟ । ୮୪, ୬୩ ଅନୁପାତରେ ଓଡ଼ିଶାରେ ଲଢ଼ିଲେ ଦୁଇ ଭାଇ ବିଜେଡି ବିଜେପି । ଜନାଦେଶ ସ୍ପଷ୍ଟ, ବିଜେଡି ଖାତାକୁ  ଗଲା ୬୮ ଓ ୩୮ ଆସନରେ ଫୁଟିଲା ପଦ୍ମ । ୨୦୦୪ରେ ବି ସମାନ ମେଣ୍ଟକୁ ମିଳିଲା ୯୩ ଆସନ । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ବିଜୁ ନନ୍ଦନ । କିନ୍ତୁ ୨୦୦୯ରେ ଲଗାତର ୯ ବର୍ଷ କ୍ଷମତାର ପୂର୍ଣ୍ଣମୀ ଦେଖିଆସୁଥିବା ବିଜେଡି ବିଜେପି ମେଣ୍ଟରେ ଲାଗିଲା ଗ୍ରହଣ । ଭାଇ ଭାଇ ସଂପର୍କରେ ପଡ଼ିଲା ପାଚେରୀ । ବାମ ଓ ଏନସିପି ସହ ମେଣ୍ଟ କରି ୨୦୦୯ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ସ୍ଥିର କଲା ବିଜେଡି ।  ୧୦୩ ଆସନରେ ଜିତି ନବୀନ ମାରିଲେ ହ୍ୟ।ଟ୍ରିକ୍‌ । ତାଙ୍କ ମାଷ୍ଟରଷ୍ଟ୍ରୋକ୍‌ ଆଗରେ ଭୁଲ ପ୍ରମାଣିତ ହୋଇଥିଲା ରାଜନୀତି ମାଷ୍ଟ୍ରେଙ୍କ ସବୁ ଆକଳନ ।

ବିଜେଡିର ଗୋଟି ଚାଳନାରେ ଏନସିପିରୁ ଜିତିଥିବା ୪ ବିଧାୟକ ୨୦୧୨ରେ ଫୁଙ୍ଗିଲେ ଶଙ୍ଖ । ଆଉ ତାପରେ ୨୦୧୪ ଓ ୨୦୧୯ର ରାୟ ସମସ୍ତଙ୍କୁ ଆଚମ୍ବିତ କଲା । ସାରା ଦେଶରେ ମୋଦି ହାୱା ବୋହୁଥିଲା ବେଳେ ନବୀନଙ୍କ ପାଇଁ ଭୋଟରଙ୍କ ଭଲପାଇବା ମୋଦି ସୁନାମୀକୁ ନିଷ୍ପ୍ରଭ କରିଦେଇଥିଲା । ସାଢ଼େ ୪ କୋଟି ଜନତାଙ୍କ ସାହା ଭରସା ସାଜିଥିବା ବିଜୁଙ୍କ ସାନ ପୁଅଙ୍କୁ ଓଡ଼ିଶାବାସୀ ଅଜାଡ଼ିଦେଲେ ଅଜାଚିତ ଭଲପାଇବା । ଜନ୍ମରୁ ମୃତ୍ୟୁ ଯାଏଁ ଜନକଲ୍ୟାଣ ଯୋଜନା ଜୋଖିଥିବା ଏହି ଜନନାୟକଙ୍କୁ ଜନତା ପିନ୍ଧାଇଛନ୍ତି ବିଜୟର ଟୀକା ।

ନିର୍ବାଚନ ପରେ ନିର୍ବାଚନ ଯାଏ, ଆଉ ଆସେ । ପ୍ରତିଥର ତିଆରି ହୁଏ ସରକାର ବିରୋଧୀ ହାୱାର ହଲଚଲ । ଦଳର ନେତାଙ୍କ ଭିତରେ ଛନକା ବି ପଶେ । କିନ୍ତୁ ଯେବେ ମଇଦାନକୁ ଓହ୍ଲାନ୍ତି ନବୀନ ବଦଳିଯାଏ ସବୁ ସମୀକରଣ । ୨୦୧୯ରେ ଦେଖିବାକୁ ମିଳିଥିଲା ସେଭଳି କିଛି କିମିଆ । ‘ଆପଣ ମାନେ ଖୁସି ତ’ କହି ଲୋକଙ୍କୁ ଖୁସି ଅଜାଡ଼ିଥିଲେ ନବୀନ । ଆଉ ପ୍ରତିଦାନରେ ତାଙ୍କୁ ମିଳିଥିବା ଖୁସି ଦେଖି ପୁଣି ୫ ବର୍ଷ ପାଇଁ ଦୁଃଖୀ ହୋଇଗଲେ ବିରୋଧୀ ।

ରାଜନୀତିର ଅଷ୍ଟମ ଆଶ୍ଚର୍ଯ୍ୟ

ନେତା ଯାଆନ୍ତି, ନେତା ଆସନ୍ତି । ଅନେକ ନେତାଙ୍କୁ ବି ଦେଖାଇ ଦିଆଯାଇଛି ପ୍ୟାଭିଲିୟନର ରାସ୍ତା । କିନ୍ତୁ ନିଜ ଅଧିନାୟକତ୍ୱରେ ଅଟଳ ଓ ଅଚଳ ଥିଲେ କ୍ୟାପଟେନ କୁଲ୍‌ ନବୀନ । ୨୦୦୯ରେ ବିଜେପି ସହ ପାର୍ଟନରସିପ୍‌ ଭାଙ୍ଗିବା ପରେ ନବୀନ ଖେଳିଥିଲେ ରକ୍ଷଣଶୀଳ ଇନିଂସ ।

ପିଚ୍‌ କଠିନ ଥିଲା । ବିରୋଧର ବାଉନସର ଓ ସତ୍ତା ବିରୋଧୀ ହାୱାର ସଟ୍‌ ବଲ୍‌ରେ ବାଉଣ୍ଡାରି ପାଖରେ କ୍ୟାଚ୍‌ କରାଇ ନବୀନଙ୍କୁ ଆଉଟ୍‌ କରିବା ପାଇଁ ହୋଇଥିଲା ରଣନୀତି । କିନ୍ତୁ ରାଜନୀତିର ମଇଦାନରେ ଧୀରେ ଧୀରେ ପରିପକ୍ୱ ହେଉଥିବା ବ୍ୟାଟସ୍‌ମ୍ୟାନ ନବୀନ, ସଟ୍‌ ବଲ୍‌ ଓ ସ୍ଲଗ୍‌ ଓଭରରୁ ଉଠାଇଥିଲେ ଭରପୁର ଫାଇଦା । ପୁଣି ରେକର୍ଡ ତାଲିକାରେ ବଡ଼ କୀର୍ତ୍ତିମାନ ଯୋଡ଼ିଥିଲେ ବିଜେଡି କିଙ୍ଗ୍ ।

୨୦୦୯ ନିର୍ବାଚନ ପୂର୍ବରୁ ହୋଇଥିଲା ବିଜେଡି-ବିଜେପି ରାଜନୈତିକ ଛାଡ଼ପତ୍ର । ୬୩ ବିଧାନସଭା ମୈଦାନରେ ପିଚ୍‌ ଥିଲା ସଂପୂର୍ଣ୍ଣ ନୂଆ । କୋଇଲା, ଖଣି ଦୁର୍ନୀତି ଓ ଆଇନଶୃଙ୍ଖଳାର ବାଉନ୍‌ସର ପକାଇ ବିଜେଡିକୁ କ୍ଲିନ ବୋଲ୍ଡ କରିବାକୁ ଚାହୁଁଥିଲେ କଂଗ୍ରେସ ଓ ବିଜେପି ।  ଖଣି ଓ କୋଇଲା ଦୁର୍ନୀତିକୁ ନେଇ ତ କଥା ଥାର୍ଡ ଅମ୍ପାୟର ସିବିଆଇ ଯାଏ ଯାଇଥିଲା । ଏଥିସହ ନବୀନଙ୍କ ଓଡ଼ିଆ ଜ୍ଞାନର ସ୍ଲଗ ଓଭରରୁ ଫାଇଦା ଉଠାଇ ଓଭରଥ୍ରୋ ଜରିଆରେ ଭୋଟ୍‌ର ଏକ୍ସଟ୍ରା ରନ୍‌ କାଢ଼ିବାକୁ ଚାହୁଁଥିଲେ ବିରୋଧୀ । କିନ୍ତୁ ପ୍ରତିପକ୍ଷର ଚାଲ୍‌କୁ ବୁଝି କିଛି ପୁରୁଣା ଓ ଅନେକ ନୂଆ ମୁହଁକୁ ନେଇ କ୍ୟାପଟେନ୍‌ ନବୀନ ସଜାଇଥିଲେ ବ୍ୟାଟିଂ ଅର୍ଡର । ଧଳା କୁର୍ତ୍ତା, ପାଇଜାମା ସହ ହଳେ ଚପ୍ପଲ ପିନ୍ଧି ଜୀବନ ଅତିବାହିତ କରୁଥିବା ନବୀନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବ ମୂର୍ତ୍ତି ଆଗରେ ଖେଳ ଭୁଲିଯାଇଥିଲେ ପ୍ରତିପକ୍ଷ । ବିରୋଧୀଙ୍କ ଅଭିଯୋଗର ୟର୍କର ଉପରେ ଧୁମ୍‌ ଧୁଲାଇ କରିଥିଲେ।

ନବୀନଙ୍କ ନୂଆ ଉପାୟ ଦେଖି ନିରୁପାୟ ହେଲେ ବିରୋଧୀ । ୨୦୦୦ ମସିହା ପୂର୍ବ ଓ ପରର ରାଜ୍ୟ ବିକାଶକୁ ମୁଦ୍ଦ। କଲା ବିଜେଡି । ନିଜ ସରକାରର ରନ୍‌ରେଟ୍‌ ଆଧାରରେ ରାଜ୍ୟବାସୀଙ୍କୁ ବିକାଶର ଫିଡ଼ବ୍ୟାକ୍‌ ମାଗିଲା ଶାସକ ଦଳ । ଜନ୍ମରୁ ମୃତ୍ୟୁ ଯାଏ ନବୀନ ସରକାର ଖଞ୍ଜିଥିବା ଯୋଜନା ସରକାର ବିରୋଧୀ ହାୱାକୁ ନିର୍ବାଚନୀ ପାଭିଲିୟନର ଏତେ ବାହାରକୁ ଫିଙ୍ଗିଲା ଯେ ଏଯାଏଁ ବିରୋଧୀ ଖେଳ ଭୁଲିଯାଇଛନ୍ତି ।

ଭାରତୀୟ ରାଜନୀତିର ବିଭିନ୍ନ ଜାଗାରେ ରହିଛି ଭିନ୍ନ ଭିନ୍ନ ରକ୍ତ ଚରିତ୍ର । କେଉଁଠି ସରକାର ବଦଳିବା ପାଇଁ ସମୟ ଲାଗିଛି ତ ପୁଣି କେଉଁଠି ପ୍ରତି ୫ ବର୍ଷରେ ବଦଳୁଛନ୍ତି ସରକାର । ଚର୍ଚ୍ଚା ହେଉଥିଲା ନବୀନ ବି ଭୋଗିବେ ସମଦଶା । ହେଲେ ବାପା ବିଜୁ ପଟ୍ଟନାୟକଙ୍କ ଭଳି ନବୀନ ଏମିତି ଲୋକଙ୍କ ହୃଦୟରେ ଘର କରିନେବେ ତାହା ସ୍ୱପ୍ନରେ ବି ଭାବିନଥିଲେ ବିରୋଧୀ । ତେଣୁ ଆଣ୍ଟି ଇନ୍‌କମ୍ବେନ୍‌ସିର କୈାଣସି ପ୍ରଭାବ ପଡ଼ି ନଥିଲା ନବୀନ୍‌ ସରକାର ଉପରେ।

ନବୀନ ଆଣ୍ଟି ଡୋଜ୍ ଖୋଜିବାରେ ବିଫଳ ବିରୋଧୀ !

ଓଡ଼ିଶା ରାଜନୀତିର ‘ନବୀନ’ ନକ୍ସ। ଆଗାରେ ହଜିଗଲାଣି ବିରୋଧୀଙ୍କ ଭୂଗୋଳ । ୨୦ ବର୍ଷର ଶାସନ ଭିତରେ ଲୋକପ୍ରିୟତା ଲକ୍ଷେ ଗୁଣ ବଢ଼ିଛି ପଛେ କିନ୍ତୁ କେବେ ଘୁଣ ଖାଇନି । ବିରୋଧୀ ଗର୍ଜିଛନ୍ତି, ବର୍ଷିଛନ୍ତି ଆଉ କ୍ଷମତା ଛଡ଼ାଇନେବାର ପ୍ରଚେଷ୍ଟା ବି କରିଛନ୍ତି କିନ୍ତୁ ସବୁ କିଛି ଫସର ଫାଟିଛି ନବୀନଙ୍କ ନେତୃତ୍ୱ ଆଗରେ । ଦୁଇ ଦଶନ୍ଧିର ଯାତ୍ରରେ ଅନେକ ଝଡ଼ ଝଞ୍ଜା ଆସିଛି କିନ୍ତୁ ସବୁ କିଛିକୁ ନିଜେ ନୀଳକଣ୍ଠ ହୋଇ ପାନ କରିଛନ୍ତି ଝଡ଼ର ଇଗଲ୍‌ଙ୍କ ସୁପୁତ୍ର । ଓଡ଼ିଶା ଓ ଓଡ଼ିଆଙ୍କୁ ଭଲ ପାଇଛନ୍ତି ଆଉ ତା ପ୍ରତିଦାନରେ ଓଡ଼ିଶାବାସୀ ଦେଇଛନ୍ତି ପୁଳା ପୁଳା ପ୍ରେମର ପୁଞ୍ଜି । ଦଳ ଭିତରେ ବିଭିଷଣଙ୍କ କଥା ଛାଡ଼ନ୍ତୁ ବିରୋଧୀଙ୍କୁ କିପରି ସଂପୂର୍ଣ୍ଣ ଭାବେ ନିଶ୍ଚିହ୍ନ କରାଯାଇପାରେ, ସେ କୈାଶଳ ନବୀନଙ୍କଠାରୁ ଭଲ ଭାବେ କେହି ଜାଣନ୍ତି ନାହିଁ।

୨୦୦୦ ମସିହାରେ ଅଟଳ ବିହାରି ବାଜପେୟୀଙ୍କ ବିଜେପି ସହ ମିଶି ଓଡ଼ିଶାରେ ଶାସନର ଡୋରୀ ଧରିଲା ବିଜେଡି । ମଙ୍ଗ ଧରିଲେ ରାଜନୀତିର ନୂଆ ଷ୍ଟାର ନୀବନ ପଟ୍ଟନାୟକ । ୨୦୦୪ରେ କିନ୍ତୁ କେନ୍ଦ୍ରରେ ସରିଗଲା ବାଜପେୟୀଙ୍କ ସୁବର୍ଣ୍ଣ ଯ଼ୁଗ । କଂଗ୍ରେସର କମ୍‌ବ୍ୟାକ୍‌ ଆଗରେ ଫିକା ପଡ଼ିଗଲା ବିଜେପିର କନଫିଡେନ୍ସ । କିନ୍ତୁ ରାଜ୍ୟରେ କାଏମ ରହିଲା ବିଜେଡି ବିଜେପି ମେଣ୍ଟ ସରକାରର କରିସ୍ମା ।  ପରବର୍ତ୍ତି ନିର୍ବାଚନ ପୂର୍ବରୁ ଧର୍ମ ନିରପେକ୍ଷତାର ନାରା ଦେଇ ବିଜେଡି-ବିଜେପି ଠାରୁ ଦୂରେଇ ଗଲା।  ୨୦୦୯ ନିର୍ବାଚନରେ ଚର୍ଚ୍ଚା ହେଲା ବିଜେପି ବିନା କ୍ଷମତା ରାଜନୀତିରେ ଅସ୍ଥିତ୍ୱ ହରାଇବ ବିଜେଡି । ୧୯୯୯ର ମହାବାତ୍ୟା ପରେ କ୍ଷମତା ରାଜନୀତିର ପାଣିରୁ ବାହାରିଥିବା ଶଙ୍ଖ, ପଦ୍ମ ପାଖୁଡ଼ା ବିନା ଲୀନ ହୋଇଯିବ । କିନ୍ତୁ ବାମ ଦଳ ଓ ଏନସିପି ସହ ସାନଦାର ପାରି ଶଙ୍ଖର ଶବ୍ଦକୁ ଆହୁରୀ ଶାଣିତ କଲା । ୧୦୩ ବିଜେଡି ବିଧାୟକ, ୪ ଏନସିପି ଓ ଜଣେ ବାମ ଦଳ ବିଧାୟକଙ୍କୁ ନେଇ ସରକାର ଗଢିଲେ ନବୀନ। ଆଉ ଯେଉଁ ବିଜେପି ଭାବୁଥିଲା ପଦ୍ମ ବିନା ଶଙ୍ଖର ଅସ୍ଥିତ୍ୱ ରହିବନି, ତାହା ଭୁଲ ପ୍ରମାଣିତ ହେଲା। କେବଳ ୬ ବିଧାୟକ ଓ ବିନା ସାଂସଦରେ ଲଜ୍ଜାଜନକ ସ୍ଥିତିରେ ପହିଁଚିଲା ବିଜେପି ।

ସରକାର ମେଣ୍ଟରେ ଚାଲିଲା କିନ୍ତୁ ଅନ୍ୟ ଦଳରୁ କେହି ବି ନଥିଲେ ମନ୍ତ୍ରୀମଣ୍ଡଳରେ ।

୨୦୧୨ ମସିହାରେ ନବୀନଙ୍କ ଗୋଟିଚାଳନା ଯୋଗୁ ଏନିସିପି ଶିବିରର ୪ ବିଧାୟକ ବି ବିଜେଡିରେ ସାମିଲ ହେଲେ । କିନ୍ତୁ ସେହି ୨୦୧୨ ମସିହାର ମେ ୨୯ର ମିଡ୍‌ନାଇଟ୍‌ ଅପରେସନ ଆଜି ବି ରହସ୍ୟାବୃତ୍ତ । ତତ୍କାଳୀନ ଦ୍ୱିତୀୟ କ୍ଷମତାକେନ୍ଦ୍ର ପ୍ୟାରି ମହାପାତ୍ରଙ୍କ କ୍ଷଡ଼ଯନ୍ତ୍ର ସେତେବେଳେ ହଜାଇଦେଇଥିଲା ସମସ୍ତଙ୍କ ନିଦ । କିନ୍ତୁ କିଛି ସମୟ ଭିତରେ ଫସର ଫାଟିଥିଲା ପ୍ୟାରିଙ୍କ ପରାକ୍ରମ । ତାପରେ ପରେ ୧୪ ନିର୍ବାଚନ ପୂର୍ବରୁ ବିରୋଧୀ ଶିବିରରେ ବୋହିଥିଲା ନବୀନ ଝଡ଼ । ବିଜୁ ପୁତ୍ରଙ୍କ ବିକାଶର ବାହାଦୂରି ଦେଖି ଜଣେ ପରେ ଜଣେ ସାମିଲ ହୋଇଥିଲେ ବିଜେଡିରେ । ଭୂପିନ୍ଦର ସିଂ, ଅନୁପ ସାଏ, ବ୍ରଜ ପ୍ରଧାନ ଏମିତି ଅନେକ ନାଁ ସହ ଯୋଡ଼ି ହୋଇଥିଲା ବିଜେଡିର ଟ୍ୟାଗ୍‌ ।

୨୦୧୪ ଯାଏ ନିଶ୍ଚିନ୍ତରେ ଥିବା ବିଜେଡି କିନ୍ତୁ ୨୦୧୭ ପଂଚାୟତ ନିର୍ବାଚନ ପରେ ଚମକି ପଡ଼ିଥିଲା । ବିଜେପିର ଅପ୍ରତ୍ୟାଶିତ ଅଭ୍ୟୁଦୟ ନମ୍ବର ଗେମ୍‌ରେ କଂଗ୍ରେସକୁ  ତୃତୀୟ ସ୍ଥାନକୁ ଠେଲିଦେଲା । ଅବଶ୍ୟ ଏହା କଂଗ୍ରେସ ନିଷ୍ପ୍ରଭତାର ପରିଣାମ ଥିଲା । କିନ୍ତୁ କ୍ଷମତା ପାଇଁ ଦମ୍‌ ଲଗାଇଥିବା ବିଜେପିର ଚାଲ୍‌କୁ ବେଳ ଥାଉ ଥାଉ ବୁଝିନେଇଥିଲେ ବିଜୁ ନନ୍ଦନ । ୧୯ ଇଲେକ୍ସନ ପାଇଁ ଶାହାଙ୍କ ଶହେ କୋଡ଼ିଏ ମିଶନ, ମୋଦିଙ୍କ ମିଶନ ଓଡ଼ିଶା ସବୁ କିଛି ଫିକା ପଡ଼ିଥିଲା ନବୀନଙ୍କ ଦୃଢ଼ ନେତୃତ୍ୱ ଆଗରେ । ସ୍ଥିତପ୍ରଜ୍ଞତାର ବ୍ରହ୍ମାସ୍ତ୍ରରେ ସବୁ କିଛିକୁ ମୁକାବିଲା କରି ପୁଣି ନବୀନ ବନିଥିଲେ ନେତା ନମ୍ବର ୧ । ପାଟକୁରାରେ ପାଣି ପିଇଥିବା ବିଜେପି ବିଜେପୁର ବାଜିରେ ବି ଜନତାଙ୍କ ଠାରୁ ବାଏ ବାଏ ଶୁଣିଲା ।  ଆଉ ନିର୍ବାଚନ ପରବର୍ତ୍ତି ସମୟରେ ଯଦିଓ ଆଉ ସେ ଭାଉ ଖାଉନି ବିଜେପି କିନ୍ତୁ କେନ୍ଦ୍ର ରାଜ୍ୟର ସଂପର୍କରେ ଚିତ୍ର ବଦଳିଛି । ତୃଣମୂଳ ନେତା ଯେତେ ଚିତ୍କାର କରନ୍ତୁ, ବିରୋଧୀ ଦଳର ସର୍ବୋଚ୍ଚ ନେତା ନବୀନଙ୍କ ଅଙ୍କକଷାକୁ ନେଇ ସତର୍କତା ଅବଲମ୍ବନ କରନ୍ତି।

ଡିନର ଡିପ୍ଲୋମାସୀରୁ ସମଦୂରତା ଥିଓରୀ

କେବଳ ଓଡ଼ିଶା ରାଜନୀତିରେ ନୁହେଁ ଜାତୀୟ ରାଜନୀତିର ଚେସ୍‌ ଖେଳରେ ବି ନବୀନ ବହୁ ଆଗରେ । କିପରି ପ୍ରତିପକ୍ଷଙ୍କୁ ଚେକମେଟ ଦେବାକୁ ହୁଏ ସେ ଜାଣନ୍ତି ତାର ଠିକଣା ସମୟ । ଯେଉଁ ଓଡ଼ିଶା ଦିନେ ଜାତୀୟ ରାଜନୀତିରେ ସତ୍ତା ଜାହିର କରିବାରେ ବିଫଳ ଥିଲା କେବଳ ନବୀନଙ୍କ ପାଇଁ ଫ୍ରଣ୍ଟଫୁଟ ଖେଳାଳି ହୋଇ ଆତ୍ମପ୍ରକାଶ କରିବାରେ ହୋଇଛି ସଫଳ । ଲେଫ୍ଟ ରାଇଟ ସେଣ୍ଟରର ସମୀକରଣରେ ସେ କାହାର ସାଇଡ୍‌ ନେଇନଥିଲେ ମଧ୍ୟ ନିଜର ଡିଫରେଣ୍ଟ ଚେକ୍‌ ପାଇଁ ସୃଷ୍ଟି କରିପାରିଛନ୍ତି ନୂଆ କରିଡର । ରାଜନୀତିରେ ସମଦୂରତା ବଜାୟ ରଖି ପଲିଟିକାଲ ମାଇଲେଜ ନେବା କେହି ତାଙ୍କଠୁ ଶିଖିବା ଉଚିତ ।

ପଲିଟିକାଲ ମୈଦାନର ଧୂରନ୍ଧର ଖେଳାଳି ନବୀନ ପଟ୍ଟନାୟକ । ନୀରବତା ତାଙ୍କର ଅମୋଘ ଅସ୍ତ୍ର । ଗୋଟି ଚାଳନାରେ ନିଷ୍ପତ୍ତି ନେବାର ବିଚକ୍ଷଣ ବୁଦ୍ଧି ହିଁ ଆଜି ତାଙ୍କୁ କରିପାରିଛି ନେତା ନମ୍ବର ୱାନ । ନିରଙ୍କୁଶ ଶାସନ କରିବାର ସଫଳ ମନ୍ତ୍ରକୁ ସେ ଦିଲ୍ଲୀ ରାଜନୈତିକ କରିଡରରେ ମଧ୍ୟ ଆପ୍ଲାଏ କରି ପାଇଛନ୍ତି ଅପାର ସଫଳତା । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା, ହକିକୁ ଜାତୀୟ ଖେଳର ମାନ୍ୟତା ଦେବା, ବିଶ୍ୱକପ ହକି ୯୦ ଦିନରେ ଆୟୋଜନ କରିବା, ଜାତୀୟ ରାଜନୀତିରେ ବିଜେଡ଼ି ଶାସକ ଓ ବିରୋଧୀଙ୍କ ସହ ମାପଚୁପ ସମ୍ପର୍କ ରଖିବା । ଏସବୁ କାର୍ଯ୍ୟପାଇଁ ୨୦୦୦ ମସିହାରୁ ୨୦୨୦ ଯାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିର ଜଣେ ଚର୍ଚ୍ଚିତ ବ୍ୟକ୍ତି ସାଜିଛନ୍ତି ।  କେନ୍ଦ୍ରରେ ୟୁପିଏ କି ଏନଡିଏ ସରକାର ହେଉ ସବୁ ସରକାରଙ୍କ ସହ ସମଦୂରତା ରକ୍ଷା କରି ନବୀନ ସଭିଙ୍କ ମନ ଜିଣିପାରିଛନ୍ତି । ଦିଲ୍ଲୀରେ ଓଡ଼ିଆ ନେତା ଯେ ଅଛୁଆଁ ତାକୁ ସେ ଭୁଲ ପ୍ରମାଣିତ କରିଛନ୍ତି । କେବଳ ରାଜନୀତି କଲେ ହିଁ ଜଣେ ଦିଲ୍ଲୀରେ ପତିଆରା ଦେଖାଇପାରିବ ତାହା ନୁହେଁ, ନିଜ ବାପା ବିଜୁ ବାବୁଙ୍କ ପରି କିଙ୍ଗ ମେକର ହୋଇ ମଧ୍ୟ ଭୁବନେଶ୍ୱରରୁ ଜାତୀୟ ସିଂହାସନକୁ ଅକ୍ତିଆର କରିହେବ ତାହା ଶିଖାଇଛନ୍ତି ନବୀନ ।

୨୦୧୧ ମସିହାରେ ନବୀନ ୟୁପିଏର ସମର୍ଥୀତ ପ୍ରାର୍ଥୀ ପ୍ରତିଭା ପାଟିଲଙ୍କ ବିପକ୍ଷରେ ସ୍ୱର୍ଗତ ପି.ଏ ସାଙ୍ଗାମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ନବୀନ ଜାତୀୟ ରାଜନୀତିରେ ଜାହିର କରିଥିଲେ ଉପସ୍ଥିତି । କୈାଣସି ଏକ ଆଞ୍ଚଳିକ ଦଳ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଦେବାରେ ନବୀନଙ୍କ ଏହି ନିଷ୍ପତି ଥିଲା ଐତିହାସିକ । ସାଙ୍ଗମା ହାରିଥିଲେ ସତ ହେଲେ, ନବୀନ କିନ୍ତୁ ତାଙ୍କର ଏହି ରାଜନୈତିକ ଗୋଟି ଚାଳନ ଯୋଗୁଁ ଫୋକସକୁ ଆସିଥିଲେ । ଜାତୀୟ ଗଣମାଧ୍ୟମରେ ବି ତାଙ୍କର ଚର୍ଚ୍ଚୀ ଜୋର ହୋଇଥିଲା । ଏହାପରେ ଉପରାଷ୍ଟ୍ରପତି ନିର୍ବାଚନ ହେଲା । ସେତେବେଳେ ମଧ୍ୟ ନବୀନ ଯେଉଁ ଭୂମିକାରେ ଆସିଲେ ତାହା ଜାତୀୟସ୍ତରର ନେତାଙ୍କୁ ଚକିତ କରିଥିଲା । ଏନଡିଏ ପ୍ରାର୍ଥୀ ଭେଙ୍କେଆ ନାଇଡ଼ୁଙ୍କୁ ସମର୍ଥନ ନକରି ନବୀନ ୟୁପିଏ ପ୍ରାର୍ଥୀ ଗୋପାଳ ନନ୍ଦଙ୍କୁ ସମର୍ଥନ ଦେଇଥିଲେ । ନବୀନଙ୍କ ଏହି ନିଷ୍ପତ୍ତି ସେତେବେଳେ ଜାତୀୟ ଗଣମାଧ୍ୟମର ଶିରୋନାମାରେ ହୋଇଥିଲା ହେଡଲାଇନ । ଜାତୀୟ ଦଳ ଠାରୁ ଆରମ୍ଭ କରି ଆଞ୍ଚଳିକ ଦଳର ଷ୍ଟଲୱାର୍ଟ ମାନେ ବି ନବୀନଙ୍କ ଏହି ରାଜନୈତିକ ଗୋଟି ଚାଳନାରେ ଆଶ୍ଚର୍ଯ୍ୟ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଡ଼ାଇନିଙ୍ଗ ଟେବୁଲ ପଲିସି ମଧ୍ୟ ଦେଶରେ ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ଦେଶର ପରସ୍ପର ରାଜନୈତିକ ମତବିରୋଧୀ ହେଭିଓ୍ବେଟ ନେତାଙ୍କୁ ଏକାଠି ବସାଇ ଲଞ୍ଚ୍ କରାଇବା ପ୍ରମାଣ କରିଛି ଯେ ସେ ଜଣେ ଜାତୀୟ ରାଜନୀତିର ଚାଣକ୍ୟ । ରାଜନୀତିର ଗୋଟିଏ ଭୋଜନ ଟେବୁଲରେ କିପରି ଶତ୍ରୁ ଓ ମିତ୍ରଙ୍କୁ ଏକାଠି କରିହୁଏ ତାହା ସେ ବହୁବାର ପ୍ରମାଣିତ କରିଛନ୍ତି । ଗତ ଫେବ୍ରୁଆରୀ ୨୯ ତାରିଖ, ୨୦୨୦ରେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ତାହାର ପ୍ରମାଣ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାମ୍ନାସାମ୍ନି ଗୋଟିଏ ଟେବୁଲରେ ଭୋଜନ କରାଇ ନବୀନ ରାଜନୀତିରେ ସବୁ ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି । ଓଡ଼ିଶାକୁ ଛାଡ଼ି ଦେଶର ନେତୃତ୍ୱ ନେବାକୁ ସେତେଟା ଆଗ୍ରହ ପ୍ରକାଶ କରୁନଥିବା ନବୀନ ଯେ ଦେଶର ନେତୃତ୍ୱ ନେବାଠାରୁ ଅଧିକ କିଛି କରିପାରନ୍ତି ତାହା ପ୍ରମାଣିତ କରିପାରିଛନ୍ତି । ଏହାପୂର୍ବରୁ ନିଜର ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବହି ଉନ୍ମେ।ଚନ ସଭାମଂଚରେ ଜାତୀୟସ୍ତରର ନେତାଙ୍କୁ ଏକାଠି କରିବା ପ୍ରମାଣ କରିଛି ଯେ, ନବୀନ ନେତା ନମ୍ବର ୱାନ ।

ଜାତୀୟ ସଂହତି ରକ୍ଷା କ୍ଷେତ୍ରରେ ଓ ଧର୍ମ ନିରପେକ୍ଷ ବଜାୟ ରଖିବାରେ ନବୀନଙ୍କ ବିଭିନ୍ନ ସମୟରେ ନିଷ୍ପତ୍ତି ତାଙ୍କ ପ୍ରତିପକ୍ଷଙ୍କୁ ବିଚଳିତ କରିଥିବାବେଳେ ତାଙ୍କୁ ଦେଇଛି ଜାତୀୟସ୍ତରର ଏକ ଦୁର୍ଦ୍ଧଷ ନେତାର ପରିଚୟ ।

Leave a Reply