ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ…

ଭୁବନେଶ୍ୱର: ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ । ୨୬ ନଭେମ୍ବରରେ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଓ ଶ୍ରମ ଆଇନ ସଂଶୋଧନ ବିରୋଧରେ ବନ୍ଦ ପାଳନ କରାଯିବ । ଏହାକୁ ସମର୍ଥନ ଜଣାଇଛି କଂଗ୍ରେସ । ତେବେ ଏହି ଦିନ ବିଜେପି ଆରମ୍ଭ କରିବ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ।

ଏହା ଡିସେମ୍ବର ୬ ଯାଏ ଚାଲିବ । ସମ୍ବିଧାନ ସମ୍ପର୍କରେ ବ୍ଲକ୍‌ରୁ ଆରମ୍ଭ କରି ଜିଲ୍ଲା ଯାଏଁ ବିଜେପି କରିବ କର୍ମଶାଳା ଓ ଭର୍ଚୁଆଲ ବୈଠକ । ଭାରତ ବନ୍ଦ ଡାକରା ଦିନ ବିଜେପି, ଏହି କାର୍ଯ୍ୟକ୍ରମ ଜରିଆରେ ବନ୍ଦକୁ ଭଣ୍ଡୁର କରୁବାକୁ ଉଦ୍ୟମ କରୁଥିବା ଶ୍ରମିକ ସଂଗଠନ ଅଭିଯୋଗ କରିଛନ୍ତି । କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତିକୁ ଲୁଚାଇବାକୁ ଏହା ଏକ ଚକ୍ରାନ୍ତ ବୋଲି ସେମାନେ କହିଛନ୍ତି ।

ସେପଟେ ଶ୍ରମିକ ସଂଗଠନଙ୍କ ବନ୍ଦକୁ ପ୍ରାୟୋଜିତ କାର୍ଯ୍ୟକ୍ରମ କହିଛି ବିଜେପି । ଅନ୍ୟପଟେ ଭାରତ ବନ୍ଦକୁ ସମର୍ଥନ କରୁଥିବା କଂଗ୍ରେସ, ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମକୁ କଟାକ୍ଷ କରିଛି । ନଭେମ୍ବର ୨୬ରେ ଦେଶରେ ଚକା ଜାମ୍‌ କରିବେ ଶ୍ରମିକ ସଂଗଠନ ଓ କଂଗ୍ରେସ । ଯେଉଁ ରାଜ୍ୟରେ ବିଧାନସଭା ଚାଲୁଥିବ, ସେଠାରେ ଗୃହ ଭିତରେ କଂଗ୍ରେସ କେନ୍ଦ୍ର ବିରୋଧୀ ନାରା ଦେବ। ଏଭଳି ସ୍ଥିତିରେ ବିଜେପିର କାର୍ଯ୍ୟକ୍ରମ ନେଇ ଆଇନଶୃଙ୍ଖଳା ରକ୍ଷା ଚ୍ୟାଲେଞ୍ଜ ହୋଇପାରେ ।

Leave a Reply