ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ: କୋଭିଡ କଟକଣାକୁ ଗୁରୁତ୍ୱ, ୪୦ ପ୍ରତିଶତ ବଢିଲା ବୁଥ ସଂଖ୍ୟା

1 min read

ଭୁବନେଶ୍ୱର: ରାଜ୍ୟରେ ୨ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ୨ ଆସନ ହେଉଛି- ବାଲେଶ୍ୱର ଜିଲାର ବାଲେଶ୍ବର ସଦର ଏବଂ ଜଗତସିଂହପୁର ଜିଲାର ତିର୍ତ୍ତୋଲ । ଭାରତୀୟ ନିର୍ବାଚନ କମିଶନ କ୍ରମେ ଏହି ୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ସର୍ବିଶେଷ ବିବରଣୀ ଦେଇଛନ୍ତି ।

ଲୋହାନୀ କହିଛନ୍ତି ଯେ, ଆସନ୍ତା ନଭେମ୍ବର ୧୨ ସୁଦ୍ଧା ୨ଟି ଆସନର ସମସ୍ତ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବ । ୯ ଅକ୍ଟୋବରରେ ଆନୁଷ୍ଠାନିକ ଭାବେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ପ୍ରାର୍ଥୀପତ୍ର ମନୋନୟନ ପ୍ରକ୍ରିୟା ଆରମ୍ଭ ହେବ । ଅକ୍ଟୋବର ୧୬ରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ସେହିପରି ୧୭ରେ ଯାଞ୍ଚ ଏବଂ ୧୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ୩ ନଭେମ୍ବରରେ ଏହି ୨ ଆସନ ପାଇଁ ଭୋଟ ଗ୍ରହଣ ହେବ । ୧୦ ତାରିଖରେ ଏହି ଫଳାଫଳ ଘୋଷଣା କରାଯିବ ।

ସ୍ୱାଧୀନତା ପରେ ହୋଇଥିବା ସମସ୍ତ ନିର୍ବାଚନଠାରୁ ଏହା ନିଶ୍ଚିତ ଭାବେ ଭିନ୍ନ ରହିବ । ଏଥିରେ କୋଭିଡ କଟକଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବାଲେଶ୍ୱରରେ ୨,୨୬,୫୮୬ ଜଣ ଏବଂ ତିର୍ତ୍ତୋଲ ୨,୩୮,୦୫୬ ଜଣ ମତଦାତା ରହିଛନ୍ତି । ସାଧାରଣତଃ ପ୍ରତିବୁଥରେ ୧୫୦୦ ଲୋକଙ୍କୁ ନେଇ ହୋଇଥାଏ । ହେଲେ ଏଥର ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ୧୦୦୦କୁ ହ୍ରାସ କରାଯାଇଛି । ବାଲେଶ୍ୱରରେ ୧୯୮ ବୁଥକୁ ବୃଦ୍ଧି କରାଯାଇ ୩୪୬ କରାଯାଇଛି । ସେହିପରି ତିର୍ତ୍ତୋଲରେ ୨୬୫ରୁ ଏହା ବୃଦ୍ଧି ପାଇ ୩୭୩ କରାଯାଇଛି । ସେହିପରି ଏହି ଉପନିର୍ବାଚନରେ ଏମ୍ ୩ ମଡେଲ ଇଭିଏମ୍ ବ୍ୟବହାର କରାଯିବ ।

ଭୋଟର ପରିଚୟ ବାଧ୍ୟତାମୂଳକ ହୋଇଥିବା ବେଳେ ଏହାକୁ ବାଦ୍ ଅନ୍ୟ ୧୧ଟି ଜିନିଷ ମଧ୍ୟବ୍ୟବହାର କରାଯାଇପାରିବ । ଏହା ମଧ୍ୟରେ ରହିଛି ଆଧାର କାର୍ଡ, ଡିଏଲ, ପ୍ୟାନ କାର୍ଡ, ବ୍ୟାଙ୍କ ପାସବୁକ୍, ସର୍ଭିସ କାର୍ଡ, ପେନସନ କାର୍ଡ, ମନରେଗାର ଜବକାର୍ଡ ଇତ୍ୟାଦି । ପୂର୍ବରୁ ଯେପରି ଆପରାଧିକ ରେକର୍ଡ ଥିବା ପ୍ରାର୍ଥୀମାନେ ନିଜର ଅପରାଧ ସମ୍ପର୍କରେ ସାର୍ବଜନୀନ ତଥ୍ୟ ପ୍ରଦାନ କରିବେ । ରାଜନୈତିକ ଦଳ ମଧ୍ୟ ଏ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିବେ । ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଅଧିକ ଭୋଟରଙ୍କ ପାଇଁ ପୋଷ୍ଟାଲ ବ୍ୟାଲେଟର ବ୍ୟବସ୍ଥା କରାଯାଇଛି ।

ନିର୍ବାଚନ ପରିଚାଳନାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିୟୋଜିତ ଥିବା ସମସ୍ତ ବ୍ୟକ୍ତି ଫେସ ମାକ୍ସ ପିନ୍ଧିବେ । ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟ ବଡବଡ଼ ହଲରେ କରାଯିବ । ଏଠାରେ ସାମାଜିକ ସୁରକ୍ଷାକୁ ବ୍ୟାପକ ଗୁରୁତ୍ୱ ଦିଆଯିବ । ନିର୍ବାଚନ ଗାଡ଼ିରେ କେତେଜଣ ବସିବେ, ତାହା ପାଇଁ ମଧ୍ୟ ନିୟମ ରହିଛି । କୋଭିଡ ନିୟମ ଅନୁପାଳନ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ହେଲ୍ଥ ଅଧିକାରୀ ଭାବେ ନିଯୁକ୍ତି କରାଯିବ । ପ୍ରାର୍ଥୀପତ୍ର ଦାଖଲ ସମୟରେ କେବଳ ୨ ଜଣ ଯାଇପାରିବେ । ଏହି ସମୟରେ କେବଳ ୨ଟି ଗାଡି ବ୍ୟବହୃତ ହେବ । କରୋନା ରୋଗୀ, ଆଇସୋଲେସନରେ ଥିବା ବ୍ୟକ୍ତି ଏବଂ ସନ୍ଦିଗ୍ଧ ମାନେ ମଧ୍ୟ ପୋଷ୍ଟାଲ ବ୍ୟାଲେଟ ବ୍ୟବହାର କରିପାରିବେ । ସମସ୍ତ ପ୍ରକାର ଭିଡକୁ ବାରଣ କରାଯାଇଛି ।

ଡୋର ଟୁ ଡୋର କ୍ୟାମ୍ପେନିଂରେ ୫ ଜଣ ଯିବ । ପ୍ରଚାରରେ ବେଶୀ ଗାଡ଼ି ଯିବ ନାହିଁ । ପ୍ରତିଗାଡି ନିୟମିତ ବ୍ୟବଧାନରେ ଯିବ । ସମସ୍ତ ରାଲି,ସଭା କୋଭିଡ ନିୟମରେ ପରିଚାଳନା ହେବ । କେଉଁ ଜାଗାରେ ସଭା ହେବ, ତାହା ଅନୁଧ୍ୟାନ କରାଯିବ । ସେଠାରେ କୋଭିଡ ଗାଇଡଲାଇନ କାର୍ଯ୍ୟକାରୀ ହୋଇ ପାରିବ ନାହିଁ ନଜର ଦିଆଯିବ । ଥର୍ମାଲ ସ୍କାନିଂକୁ ଗୁରୁତ୍ୱ ଦିଆଯିବ । ଆବଶ୍ୟକ ମାସ୍କ, ପିପିଇ କିଟ୍, ସବୁ ପ୍ରଦାନ କରାଯିବ । ପୂର୍ବପେକ୍ଷା ଅଧିକ ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି । ବୁଥ ଆପ ଗଠନ କରାଯାଇଛି, ଏହା ମାଧ୍ୟମରେ ବିଭିନ୍ନ ସୂଚନା ମତଦାତା ପାଇବେ । କୋଭିଡ ସଚେତନତା ସମ୍ପର୍କିତ ପୋଷ୍ଟର ମରାଯିବ ।

Leave a Reply