ଲକଡାଉନରେ ଚାଲିଚାଲି ଯାଇଥିବା କେତେ ଶ୍ରମିକ ଜୀବନ ହରାଇଛନ୍ତି, ସେ ହିସାବ କେନ୍ଦ୍ର ସରକାରଙ୍କ ପାଖରେ ନାହିଁ…

1 min read

ନୂଆଦିଲ୍ଲୀ: କରୋନା ମହାମାରୀଙ୍କୁ ମୁକାବିଲା କରିବା ପାଇଁ ସାରା ଦେଶରେ ଲକଡାଉନ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଲକଡାଉନ ଦ୍ୱାରା ସର୍ବାଧିକ କ୍ଷତି ସହିଥିବା ବର୍ଗ ହେଉଛନ୍ତି ଶ୍ରମିକ ଶ୍ରେଣୀ । ବିଶେଷ କରି ସେହି ଶ୍ରମ ଗୋଷ୍ଠୀ, ଯେଉଁମାନେ ରୋଜଗାର ଆଶାରେ ଦେଶ ମଧ୍ୟରେ ଅନ୍ୟ ରାଜ୍ୟକୁ ଗସ୍ତ କରିଥାଆନ୍ତି । ଲକଡାଉନ ଲାଗୁ ହେବା ଫଳରେ କଳକାରଖାନା, ବିଭିନ୍ନ ଶିଳ୍ପଦ୍ୟୋଗ ସବୁ ବନ୍ଦ ହେବାରେ ଲାଗିଲା । ଶ୍ରମ ଶକ୍ତି ରୋଜଗାର ହରାଇଲା । କୌଣସି ମତେ କିଛିଦିନ ଚଳିଯିବା ପରେ ସେମାନେ ନିଜ ନିଜ ରାଜ୍ୟକୁ ଫେରିବାରେ ଲାଗିଥିଲେ । ବିଶେଷ କରି ମହାରାଷ୍ଟ୍ର, ତାମିଲନାଡୁ, ଗୋଆ, କର୍ଣ୍ଣାଟକରୁ ଲକ୍ଷ ଲକ୍ଷ ଶ୍ରମିକ ବିହାର, ୟୁପି, ପଶ୍ଚିମବଙ୍ଗ, ଝାଡଖଣ୍ଡ ଇତ୍ୟାଦିକୁ ଫେରିଥିଲେ ।

କେଉଁଠି ଶ୍ରମିକମାନେ ଖାଇବାକୁ ନ ପାଇବାର ଦୃଶ୍ୟ, କେଉଁଠି ଗୋଟିଏ ବିସ୍କୁଟ ପ୍ୟାକେଟକୁ ଏକାଧିକ ଶ୍ରମିକ ଭିଡି ଓଟାରି ଖାଉଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଥିଲା । ସେହିପରି କୌଣସି ଏକ ଷ୍ଟେସନରେ ମାଆ ମରିକି ପଡିଥିବା ବେଳେ ତାର ଶିଶୁ ପୁତ୍ର ତାକୁ ଡାକୁଥିବାର କରୁଣ ଦୃଶ୍ୟ । କେଉଁଠି ଫୋନରେ ନିଜ ପରିଜନଙ୍କ ମୃତ୍ୟୁ ଖବର ପାଇଁ ହୃଦୟ ଭାଙ୍ଗି ପଡୁଥିବାର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା । ସରକାରୀ ଭାବେ ଏକ କୋଟି ୬ ଲକ୍ଷ ଶ୍ରମିକ ନିଜ ରାଜ୍ୟକୁ ଫେରିଥିଲେ । ଯେଉଁଥିରେ ବିଭିନ୍ନ ଜାତୀୟ ରାଜପଥରେ ଫେରିଥିବା ଶ୍ରମିକମାନଙ୍କୁ ମଧ୍ୟ ହିସାବକୁ ନିଆଯାଇଛି ।

ଦେଶର ଜାତୀୟ ରାଜପଥଗୁଡିକରେ ଶ୍ରମିକମାନଙ୍କର ଭିଡ ଆମ ବ୍ୟବସ୍ଥାକୁ କେଉଁଠି ନା କେଉଁଠି ଉପହସିତ କରିଥିଲା । ହେଲେ ଏ ସଂକ୍ରାନ୍ତରେ ସଡକ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଦିଆଯାଇଥିବା ଏକ ଉତ୍ତର ସମସ୍ତଙ୍କୁ ଚକିତ କରିଛି । ଏହି ସମୟରେ କେତେଜଣ ଶ୍ରମିକ ମରିଛନ୍ତି, ତାହା ସ୍ୱତନ୍ତ୍ର ତଥ୍ୟ ରଖାଯାଇନାହିଁ । ନିର୍ଦ୍ଦିଷ୍ଟ ଭାବେ ଏହାର ଉତ୍ତର ଚାହିଁଥିବା ୩ ଲୋକ ସଭା ସଦସ୍ୟଙ୍କୁ ନିରାଶ ହେବାକୁ ପଡିଛି । ଯଶବୀର ସିଂ ଗିଲ, ମହମ୍ମଦ ଜାୱେଦ, ଡି.କେ ସୁରେଶ ଏବଂ ଡିନ୍ କୁରିଏକୋସଙ୍କ ଅଣତାରକା ପ୍ରଶ୍ନ ନଂ ୨୦୪୪ର ଉତ୍ତରରେ ଏହା କୁହାଯାଇଛି । ନିର୍ଦ୍ଦିଷ୍ଟ ଭାବେ ଶ୍ରମିକଙ୍କ ମୃତ୍ୟୁ ସମ୍ପର୍କରେ ତଥ୍ୟ ନ ଦିଆଯାଇ ମୋଟ ମୃତ୍ୟୁ ସଂଖ୍ୟା ପ୍ରଦାନ କରାଯାଇଛି । ଏଥିରେ ସମସ୍ତ ପ୍ରକାର ଦୁର୍ଘଟଣା, ଅନ୍ୟାନ୍ୟ ମୃତ୍ୟୁ ଇତ୍ୟାଦି ରହିଛି ।

ସଡକ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂ କହିଛନ୍ତି ଯେ, ମାର୍ଚ୍ଚ-ଜୁନ୍ ମଧ୍ୟରେ ୮୧,୩୮୫ ଦୁର୍ଘଟଣା ଘଟିଛି । ଏଥିରେ ୨୯,୪୧୫ ମୃତାହତ ହୋଇଛନ୍ତି । ଠିକ୍ ଏହି ଉକ୍ତିର ପରେ ପରେ ଶ୍ରମିକଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ରଖାଯାଇ ନ ଥିବା କୁହାଯାଇଛି  । ତେଣୁ ଶ୍ରମିକଙ୍କ ତଥ୍ୟ ରଖି ନ ଥିବା କେନ୍ଦ୍ର ସରକାର କେତେ ସମ୍ବେଦନଶୀଳ ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

 

Leave a Reply