କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଖର୍ଚ୍ଚ କାଟ ଅଭିଯାନ,ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତି ମନା

1 min read

ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ କାରଣରୁ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢିଯାଇଛି । କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ଲକଡାଉନ୍ କାରଣରୁ ରୋଜଗାର ହରାଇଥିବା ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଛି । ଅନ୍ୟପକ୍ଷରେ ଲକଡାଉନ୍ ଓ ସଟ୍ ଡାଉନ୍ କାରଣରୁ ସରକାରଙ୍କୁ ରାଜସ୍ୱ ହରାଇବାକୁ ପଡିଛି । ଆଗକୁ କରୋନା ମୁକାବିଲା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖର୍ଚ୍ଚ କାଟ ପାଇଁ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କ୍ରମରେ ଆଗାମୀ ଦୁଇ ବର୍ଷ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଛାଡିଦେଲେ ଅନ୍ୟ ବିଭାଗରେ ନୂଆ ନିଯୁକ୍ତି ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ନୂଆ ନିଯୁକ୍ତି ବ୍ୟତିତ ଖର୍ଚ୍ଚକାଟ ପାଇଁ ରାଜ୍ୟ ସରକାର ଆହୁରି କିଛି ନିଷ୍ପତ୍ତି ନେଇଛନ୍ତି ।

ଗସ୍ତ ଓ ବାହାନ ଖର୍ଚ୍ଚକାଟ

ନୂଆ ଗାଡି କିଣିବା ଉପରେ ଆଗାମୀ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ଲାଗୁ କରାଯାଇଛି । ସରକାରୀ ଅଧିକାରୀଙ୍କୁ ଗସ୍ତରେ ନଯିବାକୁ ପରାମର୍ଶ ଦିଆଯାଇଛି । ଗସ୍ତ ବଦଳରେ ଭିଡିଓ କନଫରେନ୍ସିଂ ଜରିଆରେ ମିଟିଂ କରିବାକୁ କୁହାଯାଇଛି । ବିଦେଶ ଗସ୍ତକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ସରକାରୀ ଅଧିକାରୀ ପ୍ରଥମ ଶ୍ରେଣୀ ଏସିରେ ଟ୍ରେନ୍ ଯାତ୍ରା କରିପାରିବେ ନାହିଁ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଗସ୍ତରେ ଯାଉଥିବା ଅଧିକାରୀଙ୍କ ହୋଟେଲ ଖର୍ଚ୍ଚ ସରକାର ଦେବେ ନାହିଁ । ଅଧିକାରୀଙ୍କୁ ସେହି ସ୍ଥାନରେ ଥିବା ଓଡ଼ିଶା ଭବନରେ ରହିବାକୁ ପଡିବ ।

କେବଳ ସ୍ୱାସ୍ଥ୍ୟ ବିଭାଗ, ସୁରକ୍ଷା ପାଇଁ ଆବଶ୍ୟକ ଉପକରଣ ଏହି ସମୟସୀମା ମଧ୍ୟରେ ନୂଆ ଉପକରଣ କିଣା ଯାଇପାରିବ ।  ସରକାରୀ ଅଫିସ ସାଜସଜା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ମିଟିଂ, ସେମିନାର, ୱାର୍କସପ୍ ଓ ଅଫିସିଆଲ ଲଂଚ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି ।  ସରକାରୀ କର୍ମଚାରୀଙ୍କୁ ଘର,କମ୍ପ୍ୟୁଟର ଆଦି କିଣିବା ପାଇଁ କୌଣସି ପ୍ରକାରର ଆଡଭାନ୍ସ ଦିଆଯିବ ନାହିଁ ।  ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ LTC ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ରହିବ ।

ନୂଆ ନିଯୁକ୍ତିକୁ ନା

କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଛାଡିଦେଲେ ଅନ୍ୟ କୌଣସି ବିଭାଗ ଆସନ୍ତା ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତି କରିପାରିବେ ନାହିଁ । ୫ବର୍ଷ ଧରି ଖାଲି ପଡିଥିବା ପଦବୀ ଆପେ ଆପେ ବିଲୋପ ହେବ । ପରାମର୍ଶଦାତ୍ତା, ଆଉଟସୋର୍ସିଂ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ନୂଆ ନିଯୁକ୍ତି ପାଇଁ  ଅର୍ଥ ବିଭାଗର ଆଗୁଆ ଅନୁମତି ଆବଶ୍ୟକ ହେବ ।

Leave a Reply