ଦୂରହାଟକୁ ସଉଦା କିଣି ଗଲେ ଗାଡ଼ି ଉଠାଇ ନେବ ପୋଲିସ

ଭୁବନେଶ୍ୱର: ଏଥର ଅମାନିଆଙ୍କ ଗାଡ଼ି ଉଠାଇଲା ପୋଲିସ । କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ନିୟମ ନମାନି ଗାଡ଼ିରେ ବୁଲୁଥିବା ଲୋକଙ୍କ ଗାଡ଼ିକୁ ପୋଲିସ ଉଠାଇ ନେଉଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ପୋଲିସ୍‌ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ମାର୍କେଟିଂ ବାହାନାରେ ବାହାରେ ଘେରାଏ ବୁଲି ଆସିବାକୁ ଚେଷ୍ଟା କରୁଥିବା ଲୋକ ହରଡ଼ଘଣାରେ ପଡ଼ିଛନ୍ତି ।

ଭୁବନେଶ୍ୱରରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ୧ ନମ୍ବର ହାଟ ସମେତ ବିଭିନ୍ନ ଛକରେ ପୋଲିସ କ୍ରେନ୍‌ ଲଗାଇ ଶହେରୁ ଅଧିକ ବାଇକ୍‌ ଉଠାଇ ନେଇଛି । ବିରି ମାଡ ଦେଖି କୋଳଥ ଚେପା ଭଳି ଲୋକ ଛତ୍ରଭଙ୍ଗ ଦେଉଛନ୍ତି । ଦେଶରେ କରୋନା ସ୍ଥିତି ଭୟଙ୍କର ଆଡ଼କୁ ଗତି କରୁଛି ।

ସାମାଜିକ ଦୂରତା ରକ୍ଷା ଓ ସଂଗରୋଧ ପାଇଁ ପ୍ରଚାର ଚାଲିଛି । ଦିନରାତି ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରୁଛି ପୋଲିସ୍‌ । କିନ୍ତୁ ଜନତା ମାନିବାକୁ ପ୍ରସ୍ତୁତ ନୁହନ୍ତି । ଘର ପାଖରେ ଦୋକାନ ଥିଲେ ବି ଦୂରହାଟ ବୁଲିବାକୁ ଲୋକ ଯାଉଛନ୍ତି । ହାଟରେ ପ୍ରବଳ ଭିଡ଼ ହେଉଛି ।

ବ୍ରହ୍ମପୁର, ବାଲେଶ୍ୱର, ରାଉରକେଲା, କଟକ, ପୁରୀ, ଏମିତି ପ୍ରାୟ ସବୁ ସହରରେ ଭିଡ଼ ଚିନ୍ତାର କାରଣ ପାଲଟିଛି । ଆଉ ଆକ୍ସନ ମୋଡ୍‌କୁ ଆସିଛି ପୋଲିସ । ଲୋକଙ୍କୁ ଚେତାବନୀ ଦେବା ସହ ଘର ପାଖ ମାର୍କେଟରୁ ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଶହେରୁ ଅଧିକ ବାଇକ ଜବତ କରି ଫାଇନ୍‌ କାଟିଛି ପୋଲିସ୍‌ । ଆଗକୁ ଲୋକ ଲକଡାଉନ୍‌ ନିୟମ ଉଲ୍ଲଂଘନ କଲେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଗାଡ଼ି ଥାନାରେ ରହିବ । କେବଳ ରାଜଧାନୀ ନୁହେଁ, ଯେଉଁଠି ଭିଡ଼ ସେଇଠି ବାଇକ୍‌ ଜବତ କରିବ ପୋଲିସ୍‌ ।

Leave a Reply