ଗ୍ରୀଡ୍ ଫେଲ ଯୋଗୁଁ ମୁମ୍ବାଇରେ ବିଦ୍ୟୁତ ସେବା ଠପ୍, ଅଟକିଲା ଲୋକାଲ ଟ୍ରେନ୍… ଫସିଲେ ଯାତ୍ରୀ

ମୁମ୍ବାଇ: ସୋମବାର ସକାଳେ ମୁମ୍ବାଇରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ମୁମ୍ବାଇର ଲାଇଫ୍ ଲାଇନ୍ ଭାବେ ଜଣାଶୁଣା ଲୋକାଲ୍ ଟ୍ରେନ୍ ଅଟକିଯାଇଛି । ଯେଉଁଥିରେ ଲକ୍ଷ ଲକ୍ଷ ଲୋକେ ଫସିଛନ୍ତି । ସକାଳ ପ୍ରାୟ ୧୦ଟାରେ ଗ୍ରୀଡ୍ ଫେଲ ମାରିବାରୁ ମୁମ୍ବାଇର ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ଠପ୍ ହୋଇଯାଇଥିବା ଜଣା ପଡ଼ିଛି। ଲୋକାଲ ଟ୍ରେନ ସହ ସବୁ ମେଟ୍ରୋ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଅଧା ବାଟରେ ଲୋକାଲ ଟ୍ରେନ ଅଟକିବା ପରେ ଯାତ୍ରୀମାନେ ଅନେକ ଅସୁବିଧା ସାମ୍ନା କରିଛନ୍ତି ।  ମହାରାଷ୍ଟ୍ରରେ ବିଭିନ୍ନ କାର୍ଯ୍ୟାଳୟ, ଡାକ୍ତରଖାନାଗୁଡ଼ିକରେ ବିଦ୍ୟୁତ୍ ସେବା ଠପ୍ ଯୋଗୁଁ ଅନେକ ସଙ୍କଟ ଦେଖାଦେଇଛି । ଏହା ସହିତ ଟ୍ରାଫିକ୍ ସିଗନାଲ ମଧ୍ୟ ବନ୍ଦ ହୋଇଯାଇଛି ।

ଗ୍ରୀଡ୍ ବିଫଳ ହେବାର ପ୍ରାୟ ଏକ ଘଣ୍ଟା ପରେ ପଶ୍ଚିମ ଉପାନ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ପୁନଃ ଆରମ୍ଭ କରିଦିଆଯାଇଛି। ଅନ୍ୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣକୁ ପୁନଃ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି । ଏହା ସହ ଗ୍ରୀଡ ବିଫଳ ହେବା ପରେ କିଛି ଟ୍ରେନକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିବା ନେଇ ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି। ମୁମ୍ବାଇର ମେଟ୍ରୋପଲିଟନ୍ ଅଞ୍ଚଳରେ ଏଯାଏଁ ବିଦ୍ୟୁତ୍ ସେବା ଆରମ୍ଭ ହୋଇନାହିଁ । ୩୮୦ ମେଗାୱାଟ ପାୱାର ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ୍ ସେବା ସଂପୂର୍ଣ୍ଣ ରୂପେ ପୁନରୁଦ୍ଧାର ହେବା ପାଇଁ ଅଧିକ ସମୟ ଲାଗିପାରେ । କୋଭିଡ୍ ହସ୍ପିଟାଲରେ ଏବେ ବିଦ୍ୟୁତ୍ ବ୍ୟାକଅପ୍ ମାଧ୍ୟମରେ ପାୱାର ସପ୍ଲାଏ କରାଯାଇଛି ।

ସ୍ଥାନୀୟ ଲୋକେ ସୋସିଆଲ ମିଡିଆରେ ବିଦ୍ୟୁତ କାଟ ନେଇ ଅଭିଯୋଗ କରୁଛନ୍ତି। ବୃହନମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଏବଂ ପରିବହନ (ବେଷ୍ଟ) ଟ୍ୱିଟ୍ କରି କହିଛନ୍ତି ଯେ, ଖୁବ ଶୀଘ୍ର ଏହି ଅସୁବିଧାର ସମାଧାନ ହେବ । ଏଭଳି ଅସୁବିଧା ପାଇଁ ସେ ଦୁଃଖିତ ବୋଲି କହିଛନ୍ତି ।

Leave a Reply