ଏଥର ସଜେଇ ହେବନି ମଥୁରା-ଗୋପପୁର, ଶୁଭିବନି କଂସର ଚିତ୍କାର ଆଉ ରାସ୍ତାରେ ଚାଲିବନି ହାତୀ…

1 min read
Dhanu Yatra

ବରଗଡ଼: ଏବର୍ଷ ଆୟୋଜନ ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ସାରା ବିଶ୍ୱରେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ଧନୁଯାତ୍ରାର ଆୟୋଜନ ଏଥର ହେବ ନାହିଁ । ଏନେଇ ଧନୁଯାତ୍ରା କମିଟି ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ଏଭଳି ନିଷ୍ପତି ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧନୁଯାତ୍ରାକୁ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

File Photo

ଧନୁଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାତ୍ରା ଆୟୋଜନ ସମ୍ବନ୍ଧରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଯାତ୍ରା ଆୟୋଜନ କଲେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । କାରଣ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମଜା ଉଠାଇବାକୁ ଦେଶର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସି ବରଗଡ଼ରେ ଭିଡ଼ ଜମାଇଥାନ୍ତି । ଏହି ଜନସମାଗମ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଧନୁଯାତ୍ରା ବନ୍ଦ ଭଳି ନିଷ୍ପତି ନିଆଯାଇଛି ।

ସୂଚନାଯୋଗ୍ୟ ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ମୁକ୍ତାକାଶ ରଙ୍ଗମଞ୍ଚ ଯାତ୍ରା । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ । ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ ।

DhanuYatra
File Photo

ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗ ନେବା ପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ । ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବା ବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟିଥାଏ ଗୋପପୁର । ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ । ଏହି ମଞ୍ଚରେ କଂସ ଦୋଷ ନିମନ୍ତେ ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି ।

Leave a Reply