ଯଶସ୍ୱୀ ଫିଲ୍ମସର ଦ୍ୱିଭାଷୀ ଚିତ୍ର ‘ନବ ମାସ’ର ଶୁଭ ମହୁରତ୍‌

ଭୁବନେଶ୍ୱର:  ପ୍ରଯୋଜନା କ୍ଷେତ୍ରରେ ପ୍ରଥମ କରି ପାଦ ରଖିଛି ଯଶସ୍ୱୀ ଫିଲ୍ମସ | ବିଡିଏ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବ ମାସ’ର ଟାଇଟଲ ଘୋଷଣା ସହିତ ମହୁରତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଦ୍ୱିଭାଷୀ ଚଳଚ୍ଚିତ୍ରର ନାୟକ ଭୂମିକାରେ ଉଦୟାନ ଅପରାଜିତ (ୟୁଡି) ଅଭିନୟ କରୁଛନ୍ତି | ଉଭୟ ଓଡ଼ିଆ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରି ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି | ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ | ଟେଲିଭିଜନ ଦୁନିଆରେ ପରିଚିତ ପ୍ରିୟଙ୍କା ପ୍ରଥମ ଥର ପାଇଁ ବଡ ପରଦାରେ ପ୍ରବେଶ କରିବାକୁ ଯାଉଛନ୍ତି | ଏହା ବ୍ୟତୀତ ଓଡ଼ିଆ ଓ କନ୍ନଡ଼ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ନୂଆ ପୁରୁଣା କଳାକାରଙ୍କୁ ଦେଖିବାକୁ ମିଳିବ | ଲୋକପ୍ରିୟ ଅଭିନେତ୍ରୀ କୁନି ମିଶ୍ର ଏକ ବିଶେଷ ଭୂମିକାରେ ନଜର ଆସିବେ |

କନ୍ନଡ଼ ଏବଂ ଓଡ଼ିଆ ଭାଷାରେ ନିର୍ମାଣ ହେବାକୁ ଥିବା ଏହି ଦ୍ୱିଭାଷୀ ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଏନଡି. ଉଦୟ | ସଂଳାପ ରଚନା କରିଛନ୍ତି ଏନଡି. ଉଦୟ ଓ ସାଇ କେ. ରାମୁ | ସିନେମାଟୋଗ୍ରାଫିରେ ଶୁଭ ସଂକେତ ମହାପାତ୍ର ଥିବା ବେଳେ ସଙ୍ଗୀତ ଦେଇଛନ୍ତି ଜି. ଜି ହଷ୍ଟିଙ୍ଗସ | ଉଭୟ ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଗୁରୁତ୍ୱ ଦେବା ସହ ଏକ ସମୟୋପଯୋଗୀ ତଥା ମୂଲ୍ୟବୋଧ ଭିତ୍ତିକ ଚଳଚ୍ଚିତ୍ର ଭେଟିଦେବା ଯଶସ୍ବୀ ଫିଲ୍ମସର ଆଭିମୁଖ୍ୟ ରହିଛି | ଅଭିନଵ କାହାଣୀ ସାଙ୍ଗକୁ ନୂତନ ବୈଷୟିକ ଜ୍ଞାନକୌଶଳର ଉପଯୋଗ ବଳରେ ଏହି ଚଳଚ୍ଚିତ୍ରଟି ଚିରାଚରିତ ଧାରାର ଯେକୌଣସି ଚଳଚ୍ଚିତ୍ରଠୁ ସହଜରେ ବାରି ହୋଇ ପଡିବ | ଓଡ଼ିଶାର ଅନେକ ଅନାଲୋଚିତ ସ୍ଥାନକୁ ଲୋକଲୋଚନକୁ ଆଣିବାରେ ଏହି ଚଳଚ୍ଚିତ୍ରଟି ବିଶେଷ ସହାୟକ ହେବ |

ଚଳଚ୍ଚିତ୍ରର ପୃଷ୍ଠଭୂମିରେ ରହିଛି ଏକ ବଳିଷ୍ଠ ମୌଳିକ କାହାଣୀ, ଯାହାକୁ ପ୍ରସ୍ତୁତ କରିବା ପାଇଁ 2ବର୍ଷ ସମୟ ଲାଗିଛି ବୋଲି ଉଦୟନ କୁହନ୍ତି | ପାରମ୍ପରିକ ବନାମ ଅତ୍ୟାଧୁନିକ ଜୀବନଶୈଳୀର ଏକ ସୁନ୍ଦର ରୂପାନ୍ତରିତ ଚିତ୍ର ସାଙ୍ଗକୁ ସ୍ୱାମୀ, ସ୍ତ୍ରୀ ଏବଂ ଜେଜେମାଙ୍କ ଭିତରେ ଥିବା ଇମୋସନାଲ ଡ୍ରାମା ଦର୍ଶକଙ୍କୁ ମନୋରଞ୍ଜନର ଏକ ଭିନ୍ନ ଅନୁଭୂତି ଆଣିଦେବ | ଉଭୟ ଶିଳ୍ପକୁ ସୁହାଇଲା ପରି କଥାବସ୍ତୁ ଓ ଶୀର୍ଷକ ବାଛିଛନ୍ତି ପ୍ରଯୋଜନା ସଂସ୍ଥା ଯଶସ୍ବୀ ଫିଲ୍ମସ | ଜାନୁଆରୀ ପହିଲାରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ |

Leave a Reply