New Labor Code: ନୂଆ ଲେବର କୋଡ୍ ଲାଗୁ ହେଲେ ତିନି ଦିନ ମିଳିବ ଛୁଟି,କିନ୍ତୁ ସର୍ତ୍ତ ହେଉଛି…

ନୂଆଦିଲ୍ଲୀ: ଏଣିକି ସପ୍ତାହରେ ମିଳିବ ୩ଦିନ ଛୁଟି। ଆଉ କେବଳ ରବିବାରକୁ କରିବାକୁ ପଡ଼ିବନି ଅପେକ୍ଷା। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଆଣିବାକୁ ଯାଉଛି ନୂଆ ଲେବର କୋଡ୍। ଏହି ନୂଆ ଲେବର କୋଡରେ, କମ୍ପାନୀଗୁଡ଼ିକୁ  କର୍ମଚାରୀଙ୍କୁ ସପ୍ତାହରେ ମାତ୍ର ୪ଦିନ କାମ କରେଇବାକୁ ପ୍ରସ୍ତାବ ଦିଆଯିବ। ଯାହାଫଳରେ କର୍ମଚାରୀଙ୍କୁ ସପ୍ତାହରେ ୩ ଦିନ ଛୁଟି ମିଳିବ। ଏଥିସହିତ କମ୍ପାନୀ କର୍ମଚାରୀଙ୍କର ରାଜ୍ୟ ବୀମା ଅଧୀନରେ ମାଗଣା ଡାକ୍ତରୀ ଚେକଅପ୍ ସୁବିଧା ବି ଯୋଗାଇବ।

ଚାରି ଦିନ କାମ କରିବାର ସବୁଧା ତ ମିଳିବ ହେଲେ କର୍ମଚାରୀମାନଙ୍କୁ ଏକ ସପ୍ତାହରେ ସମୁଦାୟ ୪୮ ଘଣ୍ଟା କାମ କରିବାକୁ ପଡ଼ିବ। ଏହି ନୂଆ ଲେବର କୋଡ ଅନୁଯାୟୀ କର୍ମଚାରୀମାନେ ତିନି ଦିନର ଛୁଟି ପାଇବେ, କିନ୍ତୁ ୱର୍କିଂ ଡେ’ରେ ସେମାନଙ୍କୁ ୧୨ ଘଣ୍ଟା ଡ୍ୟୁଟି କରିବାକୁ ପଡ଼ିବ। ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ସଚିବ ଆପୁର୍ଭା ଚନ୍ଦ୍ର ସୋମବାର ଏହି ବିଷୟରେ ସୂଚନା ଦେଇଛନ୍ତି।

ଅପୁର୍ବା ଚନ୍ଦ୍ର କହିଛନ୍ତି,  ‘ଆମେ ନିଯୁକ୍ତିଦାତା କିମ୍ବା କର୍ମଚାରୀଙ୍କ ଉପରେ ଚାପ ପକାଉ ନାହୁଁ। ସେମାନଙ୍କ ପାଖରେ ଉଭୟ ବିକ୍ଳପ ରହିବ। କାମ କରିବାର ପରିବର୍ତ୍ତିତ ସଂସ୍କୃତିକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଉଛି। ଆମେ ଏଥିରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛୁ। କାର୍ଯ୍ୟ ଦିବସରେ ଆମେ କିଛି ସୁବିଧା ମଧ୍ୟ ଦେବାକୁ ଚେଷ୍ଟା କରିଛୁ। ”ସେ କହିଛନ୍ତି ଯେ ଶ୍ରମ ସଂହିତା(ଲେବର କୋଡ୍) ଅନୁଯାୟୀ ଡ୍ରାଫ୍ଟ ରୁଲ ପ୍ରାୟ ଶେଷ ପର୍ଯ୍ୟାୟରେ ଅଛି ଏବଂ ଅଧିକାଂଶ ରାଜ୍ୟ ଏହାକୁ ପ୍ରସ୍ତୁତ କରିବା ପ୍ରକ୍ରିୟାରେ ସାମିଲ ଅଛନ୍ତି। ଏଥିରେ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟ ସାମିଲ ଅଛନ୍ତି।

ସେ କହିଛନ୍ତି ଯେ ପୂର୍ବରୁ ବି ସପ୍ତାହରେ ୪୮ ଘଣ୍ଟା କାମ କରିବାର ନିୟମ ଥିଲା। ଏବେ ବି ଏହା ଜାରି ରହିବ। ପରିବର୍ତ୍ତନ ବାସ ଏତିକି ହେବ ଯେ ୪ ଦିନରେ ୪୮ ଘଣ୍ଟା କାମ କରିବାକୁ ପଡ଼ିବ। କିନ୍ତୁ କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟ ଏହି ପରିବର୍ତ୍ତନରେ ସହମତ ହେବା ଆବଶ୍ୟକ। ନୂଆ ନିୟମର ପାଳନକରିବାକୁ କାହା ଉପରେ ବି ଚାପ ପକାଯିବନାହିଁ।

Leave a Reply