ଯେବେ ଡିଏସପି ଝିଅକୁ ସାଲ୍ୟୁଟ ଦିଏ ବାପା…

1 min read

ଅମରାବତୀ: ଯେବେ ଜନ୍ମକଲା ପିତାର ପଦବୀ ଠାରୁ ଉଚ୍ଚରେ ରହେ ଜନ୍ମିତ ସନ୍ତାନ । ହାତ ଧରି ଚାଲି ଶିଖାଉଥିବା କୁନି ଝିଅ, ଯେବେ ଭବିଷ୍ୟତରେ ନିଜେ ଚାଲିବାକୁ ସକ୍ଷମ ସାଜେ । ନିଜ ଗୋଡରେ ଠିଆ ହୋଇ ଦୁନିଆ ଦେଖିବାର ଅଭିଳାଶାକୁ ଆଲୋକିତ କରେ । ସେବେ ଖୁସିରେ ଆତ୍ମହରା ହୋଇପଡନ୍ତି ଜନ୍ମଦାତା ପିତା । ନିଜ ସନ୍ତାନ ସନ୍ତତିଙ୍କ ସଫଳତାକୁ କେଉଁ ବାପା- ମାଆ ବା ଉପଭୋଗ କରିବାକୁ ନ ଚାହାଁନ୍ତି । କାହାଣୀ ପରି ଅନୁଭବ ହେଉଥିବା ଏକ ଘଟଣା ନେଇଛି ବାସ୍ତବତାର ରୂପ ।

ଜଣେ ପୋଲିସ ବାପା ତାଙ୍କ ପୋଲିସ ଝିଅକୁ ସାଲ୍ୟୁଟ ମାରୁଥିବା ଫଟୋ ଦେଖିବାକୁ ମିଳିଛି । ବେସ ଭାଇରାଲ ହୋଇଛି ଏହି ଫଟୋ । ଆଉ ଘଟଣା ବିଷୟରେ ଜାଣିବା ପରେ ସଭିଏଁ କହୁଛନ୍ତି, ବାଃ ଝିଅ ବାଃ… । ଆନ୍ଧ୍ର ପ୍ରଦେଶ ପୋଲିସରେ ଘଟିଛି ଏଭଳି ଏକ ଘଟଣା । ଜାନୁଆରୀ ୩ରେ ତିରୁପତିରେ ପୁଲିସ ଡ୍ୟୁଟି ମିଟ୍- ୨୦୨୧ ଆୟୋଜନ କରିଥିଲା ଆନ୍ଧ୍ରପ୍ରଦେଶ ପୋଲିସ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଡିଜିପି ଗୌତମ ସୱାଙ୍ଗ । କିନ୍ତୁ ସଭାସ୍ଥଳରେ ଡିସିପି ଝିଅକୁ ଇନସ୍ପେକ୍ଟର ବାପାର ସାଲ୍ୟୁଟ, ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ବିଭୋର କରିଥିଲା । ଆଉ ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ତତକ୍ଷାଣତ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିଲା ।

ନବନିଯୁକ୍ତ ଗୁଣ୍ଟୁର ଜିଲ୍ଲାର ଡେପୁଟି ସୁପରିଟେଣ୍ଡେଣ୍ଟ(ଡିଏସପି) ୟେନ୍ଦଲୁରୁଜେସି ପ୍ରଶାନ୍ତିଙ୍କୁ ସର୍କଲ ଇନସ୍ପେକ୍ଟର ୱାଇ ଶ୍ୟାମସୁନ୍ଦର ଅଭିବାଦନ ଦେବା ସହ ସାଲ୍ୟୁଟ ମାରିଥିଲେ । ପରେ ଜଣାପଡିଥିଲା ଯେ, ଡିଏସପି ହେଉଛନ୍ତି ସର୍କଲ ଇନସ୍ପେକ୍ଟର ୱାଇ ଶ୍ୟାମସୁନ୍ଦରଙ୍କ ଝିଅ । ଅଭିବାଦନ ଦେବା ସମୟରେ ଉଭୟ ପିତା-ପୁତ୍ରୀଙ୍କ ମୁହଁରେ ରହିଥିବା ଆତ୍ମୀୟତା ଏବଂ ଆଶୀଷ ଭରା ସ୍ମିତହାସ୍ୟ ସବୁ କିଛି ସ୍ପଷ୍ଟ କରୁଥିଲା । ଏଭଳି ଏକ ମୂହୂର୍ତ୍ତକୁ ଉପସ୍ଥିତ ପୋଲିସ ଅଧିକାରୀ ମାନେ ପ୍ରଶଂସା କରିବା ସହ ହୃଦୟସ୍ପର୍ଶୀ ବୋଲି ଉଲ୍ଲେଖ କରିଛନ୍ତି ।

Leave a Reply