ଖାକିରେ ଲାଗିଲା କଳଙ୍କ, ପୋଲିସ ବାରାକରେ ମଦ ପିଇ ସବ୍ଇନିସପେକ୍ଟର ନିଲମ୍ବିତ

1 min read

ଜଗତସିଂହପୁର : ଖାକିରେ ଲାଗିଲା କଳଙ୍କ । ପୋଲିସ ବାରାକ ହୋଇଛି ମଦ ବାର । ଦାମୀ ମଦ ଓ ଚାଖଣା ସହ ଜମୁଥିଲା ଖଟି । ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ଏହା ହେଉଛି- ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳର ଘଟଣା । ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଖୋଦ୍ ପୋଲିସ୍ ହିଁ ମଦ ବେପାରୀଙ୍କ ସିଧାସଳଖ କଥା ହେଉଛନ୍ତି । ଏହି ବାର୍ତ୍ତାଳାପ ମଧ୍ୟ ଦେଇ ଆସର ପାଇଁ ମଦ ମଗାଉଥିଲେ ପୋଲିସ୍ ବାବୁ ।  ଖାଲି ମଦ ନୁହେଁ ମାଉଁସ ମଗାଇ ଖାଉଥିଲେ ପୋଲିସ ।  ମଦ ସହ ପୋଲିସ ବାବୁଙ୍କ ଫଟୋ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି ।

ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ନାଉଗାଁ ଥାନାର ଏସଆଇ ବିବେକାନନ୍ଦ ସାହୁ । ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମାମଲାର ଆପୋଷ ସମାଧାନ କରି ଉଭୟ ପକ୍ଷଠାରୁ ମୋଟା ଅଙ୍କର ଅର୍ଥ ସଂଗ୍ରହ କରୁଥିଲେ ବିବେକାନନ୍ଦ । ତାଙ୍କ ଫଟୋ ଭାଇରାଲ ପରେ ଜଗତସିଂହପୁର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ପରେ ସ୍ଥାନୀୟ ଏସପି ବିବେକାନନ୍ଦଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବିତ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଓ ରବିବାର ଦିନ ନାଉଗାଁ ଥାନା ଅଞ୍ଚଳରେ ଆରକ୍ଷୀ ଅଧିକ୍ଷକଙ୍କ ତରଫରୁ ଗଠନ କରାଯାଇଥିବା ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରି ବ୍ୟାପକ ଚୋରା ମଦ ଜବତ କରିଥିଲା ।  ଏଥସହିକ ଚୋରା ମଦ ଏବଂ ଏହାକୁ ନେଇ ଯାଉଥିବା କାରଟିକୁ ହେପାଜତକୁ ନିଆଯାଇଥିଲା । ନାଉଗାଁ ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ହେଉଥିଲେ ହେଁ ପୋଲିସ ଅଧିକାରୀ ମାସିକିଆ ବଟି ନେଇ ଚୁପ ରହୁଥିବା ସ୍ଥାନୀୟ ଲୋକେ ବହୁଦିନରୁ ଅଭିଯୋଗ କରି ଆସୁଥିଲେ ।  ନିଲମ୍ବିତ ହୋଇଥିବା ବିବେକାନନ୍ଦଙ୍କୁ ଜେରା କରାଯିବା ସହ ଜିଲାରେ ଚୋରା ମଦ ବେପାର ନେଇ ପଚରାଉଚରା କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

Leave a Reply