ଆଉ କିଛି କ୍ଷଣ ପରେ ଲାଲକିଲ୍ଲାରେ ଉଡିବ ତ୍ରିରଙ୍ଗା, ପତାକା ଉତ୍ତୋଳନ କରିବେ ପ୍ରଧନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୪ତମ ସ୍ୱାଧିନତା ଦିବସ । କଟକଣା ଭିତରେ ଲାଲକିଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରତିରକ୍ଷା ସଚିବ ଡ. ଅଜୟ କୁମାର ତାଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ପରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ । ଏଥିପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲାଲକିଲ୍ଲାଠାରୁ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେଇଛି ପୋଲିସ୍ । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନଘଟେ ସେଥିପାଇଁ କଡା ନଜର ରଖାଯାଇଛି । ଗାଡି ମଟର ଯାଞ୍ଚ ସହ ଅଞ୍ଚଳର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୁରକ୍ଷା ପାଇଁ ଦିଲ୍ଲୀରେ ୪୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ୨ ହଜାର ସ୍ନାଇପର, ୨୦ରୁ ଅଧିକ ଡଗସ୍କ୍ୱାଡକୁ ଲାଲକିଲ୍ଲା ୫ କିଲୋମିଟ ପରିସରରେ ନିୟୋଜିତ କରାଯାଇଛି । ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ ସଂଖ୍ୟକ ଅତିଥୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ । ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ପିଲାଙ୍କ ସହ ସାକ୍ଷାତ କରିଥାନ୍ତି । କିନ୍ତୁ ଏଥର କୋଭିଡ କଟକଣା ପାଇଁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ରାଷ୍ଟ୍ରପିତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଲାଲକିଲ୍ଲା ପହଞ୍ଚି ଧ୍ୱଜାରୋହଣ କରି ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ, ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ରାଜ୍ୟ ପାଳୁଛି ୭୪ ତମ ସ୍ୱାଧୀନତା ଦିବସ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳୁ ସକାଳୁ ପୂରା ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାଡି ଯାଞ୍ଚ କରିଛି ପୋଲିସ୍ । ସେପଟେ କଟକ ବାରବାଟୀ ଷ୍ଟାଡିୟମ ପରିସରରେ ପାଳିତ ହେଉଛି ୭୪ ତମ ସ୍ୱାଧୀନତା ଦିବସ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

Leave a Reply