ପୃଥିବୀରୁ ଦେଖାଯାଉଥିବା ଚନ୍ଦ୍ରର ଏହି ଅଂଶରୁ ମିଳିଲା ଜଳ

1 min read

ୱାସିଂଟନ: ଚନ୍ଦ୍ରରେ ମାନବ ମିଶନ ସଫଳ କରିବାକୁ ଆଉ ପାଦେ ଆଗକୁ ବଢିଲା ନାସାର । କାରଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ କରିଛି ନାସା । ମୁଖ୍ୟକଥା ହେଉଛି ଏହି ଜଳ ସେହି ସ୍ଥାନରେ ଦେଖାଯାଇଛି ଯେଉଁଠାରେ ସୂର୍ଯ୍ୟକିରଣ ପଡ଼ିଥାଏ । ତେବେ ପର୍ଯ୍ୟବେକ୍ଷଣ ଯାନ ସୋଫିଆ ଜରିଆରେ ଜଳର ସନ୍ଧାନ ମିଳିଥିବା ନେଇ ନାସା ପକ୍ଷରୁ ଦାବି କରାଯାଇଛି । ଛୋଟ ଛୋଟ ଆକାରର କାଚ କଣିକା ପରି ଜଳ ରହିଥିବା ସୂଚନା ମିଳିଛି ।

ଚନ୍ଦ୍ରପୃଷ୍ଠରେ ୧୪.୬ ମିଲିୟନ୍ ବର୍ଗମାଇଲ୍ ଅଞ୍ଚଳରେ ଜଳ ରହିଛି । ପ୍ରତି ଘନମିଟର ମାଟିରେ ୧୨ ଆଉନ୍ସ ବିଶିଷ୍ଟ ବୋତଲର ପାଣି ଥିବା ଆକଳନ କରାଯାଇଛି । ଚନ୍ଦ୍ରପୃଷ୍ଠରେ ମିଳିଥିବା ଜଳର ପରିମାଣ ଆଫ୍ରିକାର ସାହାରା ମରୁଭୂମି ତୁଳନାରେ ଶହେ ଗୁଣ କମ୍ ବୋଲି ଜଣାପଡିଛି ।  ସୂର୍ଯ୍ୟକିରଣ ପଡୁଥିବା ଅଞ୍ଚଳରେ ପାଣି ଥିବା ନେଇ ସୂଚନା ମିଳିଛି । ଜଳର ସନ୍ଧାନ ଚନ୍ଦ୍ର ଅଭିଯାନ ପାଇଁ ସହାୟକ ହେବ ।

ଏଥିସହ ରକେଟ୍ ଇନ୍ଧନ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ କରାଯିବ । ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ପୃଥିବୀରୁ ଦେଖାଯାଉଥିବା ବିରାଟ ବଡ଼ ଗର୍ତ୍ତ କ୍ଲେଭିୟର୍ସ କ୍ରେଟରରେ ଜଳ କଣିକା ଥିବା ନେଇ ସୂଚନା ମିଳିଛି । ପୂର୍ବରୁ ହୋଇଥିବା ଗବେଷଣାରେ ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନ୍‌ର ଅବସ୍ଥିତି ନେଇ ସୂଚନା ମିଳିଥିଲା । ତେବେ ହାଇଡ୍ରକ୍ସିଲ୍‌ର ସନ୍ଧାନ ମିଳିନଥିଲା । ୨୦୨୪ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ମାନବ ମିଶନ୍ ପାଇଁ ପ୍ରସ୍ତୁତି କରୁଛି ନାସା ।

 

Leave a Reply