ଆତଙ୍କବାଦୀଙ୍କଠାରୁ ମାଫିଆ… ସମସ୍ତଙ୍କ ପସନ୍ଦ ସୁଡ଼ଙ୍ଗ, କିଏ ହତିଆର ଚାଲଣ କରେ ତ କିଏ ଡ୍ରଗ୍ସ

ନୂଆଦିଲ୍ଲୀ: ନଗରୋଟା ଏନକାଉଣ୍ଟରରେ ନିହତ ଆତଙ୍କବାଦୀ ପାକିସ୍ତାନରୁ ଗୋଟିଏ ସୁଡଙ୍ଗ ଖୋଳି ଭାରତ ମଧ୍ୟ ପ୍ରବେଶ କରିଥିଲେ । ଏଭଳି ଆଶଙ୍କା ଗୁଇନ୍ଦା ଏଜେନ୍ସୀ କରୁଛନ୍ତି । ତେବେ ଏହା ଅସମ୍ଭବ ନୁହେଁ । କାରଣ ଏମିତି ଅନେକ ଉଦାହରଣ ରହିଛି ଯେତେବେଳେ ସୁଡଙ୍ଗକୁ ଅପରାଧୀଙ୍କଠାରୁ ସେନା ଓ ସାଧାରଣ ଲୋକ ସୁରକ୍ଷିତ ରହିବା ପାଇଁ ବ୍ୟବହାର କରିଛନ୍ତି । ତେବେ ନିମ୍ନରେ ସୁଡଙ୍ଗକୁ କେବେ ଓ କେମିତି ସେନାଠାରୁ ଡ୍ରଗ୍ ମାଫିଆ ନିଜ ଫାଇଦା ପାଇଁ ବ୍ୟବହାର କରିଛି ତାହା ଦର୍ଶାଯାଇଛି ।

ନଗରୋଟା ସୁଡଙ୍ଗ ମାଟିରୁ ୧୫ ଫୁଟ ତଳେ ଖୋଳା ଯାଇଥିଲା । ସେହିଭଳି ଆଉ ଗୋଟିଏ ସୁଡଙ୍ଗ ହେଉଛି ବୋସନିଆର ସରାଜୋଭୋ ଟନେଲ । ଏହାକୁ ୧୯୯୩ ମସିହାରେ ଖୋଳାଯାଇଥିଲା । ୧୯୯୩ରେ ବୋସନିଆ ଓ ସର୍ବିଆ ମଧ୍ୟର ଯୁଦ୍ଧ ଚାଲିଥିଲା । ବୋସନିଆ ସୈନିକ ଏହି ସୁଡଙ୍ଗକୁ ସରଜୋଭୋ ସହ ଯୋଡିବା ପାଇଁ ଖୋଳିଥିଲେ । ଏହି ସୁଡଙ୍ଗ ଦେଇ ବୋସନିଆ ସୈନିକ ସରାଜୋଭୋକୁ ଯାଉଥିଲେ । ସୁଡଙ୍ଗ ଦେଇ ସୈନିକଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ଓ ବାରୁଦ ପଠାଯାଉଥିଲା । ଯୁଦ୍ଧ ସରିବା ପରେ ଏହାକୁ ଏବେ ସରାଜୋଭୋ ଟନେଲ ମ୍ୟୁଜିୟମର ନାମ ଦିଆଯାଇଛି ।

ଜର୍ମାନୀରେ ବର୍ଲିନ ଯୁଦ୍ଧ କାଳରେ ୭୦ରୁ ଅଧିକ ସୁଡଙ୍ଗ ଖୋଳାଯାଇଥିଲା । ପୂର୍ବ ଓ ପଶ୍ଚିମ ଜର୍ମାନୀର ଲୋକ ଏହି ସୁଡଙ୍ଗ ଦେଇ ଯିବା ଆସିବା କରୁଥିଲେ । ଏହି ୭୦ ସୁଡଙ୍ଗ ମଧ୍ୟରୁ ଅନେକରେ ବିଜୁଳୀ ଓ ବାୟୁର ପର୍ଯ୍ୟାପ୍ତ ବ୍ୟବସ୍ଥା ଥିଲା ।

ଏବେ ଆସନ୍ତୁ ଏମିତି ଗୋଟିଏ ସୁଡଙ୍ଗ ବାବଦରେ ଜାଣିବା ଯାହାକୁ ସିଗାରେଟ୍ ସ୍ମଗ୍ଲିଂ ପାଇଁ ବ୍ୟବହାର କରାଯାଉଥିଲା । ୨୦୧୨ ମସିହାରେ ୟୁକ୍ରେନ୍ ଓ ସ୍ଲୋଭାକିଆ ସୀମାରେ ୭ଶହ ମିଟରର ଏହି ସୁଡଙ୍ଗକୁ ସୁରକ୍ଷାକର୍ମୀ ଆବିଷ୍କାର କରିଥିଲେ । ସୁଡଙ୍ଗ ଭିତରେ ନାରୋ ଗେଜ୍ ରେଳ ଲାଇନ୍ ବିଛାଯାଇଥିଲା । ପ୍ରଫେସନାଲ ଢଙ୍ଗରେ ଖୋଳାଯାଇଥିବା ଏହି ସୁଡଙ୍ଗ ଦେଇ ଦାମୀ ସିଗାରେଟ୍ ସ୍ମଗ୍ଲିଂ ହେଉଥିଲା ।

ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ପ୍ରାୟ ସବୁ ସମୟରେ ଯୁଦ୍ଧ ଲାଗି ରହିଥାଏ । ଦୁଇ ଦେଶ ପରସ୍ପର ସୀମା ମଧ୍ୟକୁ ପ୍ରବେଶ କରିବା ପାଇଁ ସୁଡଙ୍ଗର ବ୍ୟବହାର କରିଥାନ୍ତି । ପାଲେଷ୍ଟାଇନର ସହର ଗାଜାରେ ଏମିତି ଅନେକ ସୁଡଙ୍ଗ ରହିଛି,ଯାହା ଦେଇ ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଯାଇଥାନ୍ତି । ୮୦ ଦଶକରେ ଏଭଳି ସୁଡଙ୍ଗ ତିଆରି ଆରମ୍ଭ ହୋଇଥିଲା ।

ଗାଜା ବାସିନ୍ଦା ନିଜର ବ୍ୟକ୍ତିଗତ ସୁଡଙ୍ଗ ମଧ୍ୟ ତିଆରି କରିଛନ୍ତି । ସହରର ସ୍କୁଲ ଓ ହସ୍ପିଟାଲକୁ ଏଭଳି ସୁଡଙ୍ଗ ଜୋଡିଥାଏ । ଏମିତିରେ ଇସ୍ରାଏଲ ସେନାର ବଡ କାମ ହେଲା ସୁଡଙ୍ଗ ଖୋଜି ତାକୁ ଧ୍ୱଂସ କରିବା ।
ସୁଡଙ୍ଗ ଖୋଳିବାରେ ଡ୍ରଗ୍ସ ମାଫିଆ ମଧ୍ୟ ପଛରେ ନାହିଁ । ଆମେରିକାକୁ ଡ୍ରାଗ୍ସ ଚୋରା ଚାଲଣ ପାଇଁ ମେକ୍ସିକୋ ମାଫିଆ ସୀମାରେ ସୁଡଙ୍ଗ ଖୋଳେ । କାନଡାର ଏକ ଡ୍ରଗ୍ ମାଫିଆ ସିଣ୍ଡିକେଟ୍ ଗୋଟିଏ ସୁଡଙ୍ଗ ଖୋଳିଥିଲା । ବ୍ରିଟିଶ କଲମ୍ବିଆର ଗୋଟିଏ ଘରୁ ଆରମ୍ଭ ହୋଇଥିବା ଏହି ସୁଡଙ୍ଗ ଆମେରିକାର ୱାଂସିଟନରେ ଥିବା ଆଉ ଗୋଟିଏ ଘରେ ଖୋଲିଥିଲା । କାନାଡାରୁ ଆମେରିକା ଏହି ସୁଡଙ୍ଗ ଦେଇ ଡ୍ରଗ୍ସ ଚାଲଣ ଯୋଜନା ଥିଲା । । ଏଥିପାଇଁ ମାଫିଆ ଦୁଇ ଦେଶରେ ଥିବା ପ୍ରପର୍ଟି କିଣିଥିଲା । କିନ୍ତୁ ଜଣେ ବ୍ୟକ୍ତି ଘର ଖୋଳାରୁ ବାହାରୁଥିବା ମାଟିର ପରିମାଣକୁ ନେଇ ସନ୍ଦେହ କଲେ । ସେ ଏଫବିଆଇକୁ ସୂଚିତ କରିଥିଲେ । ତେବେ ସୁଡଙ୍ଗ ସରିବା ପର୍ଯ୍ୟନ୍ତ ଏଫବିଆଇ ଅପେକ୍ଷା କରିଥିଲା । ସୁଡଙ୍ଗ ଦେଇ ଡ୍ରଗ୍ସ ଚାଲଣ ଆରମ୍ଭ ହେବା ପରେ ଚଢାଉ ହୋଇଥିଲା । ଆଉ ଧରାପଡିଥିଲା ମାଫିଆ ।

ଆମେରିକା ଓ ମେକ୍ସିକୋ ମଧ୍ୟରେ ଥିବା ସୁଡଙ୍ଗ କଥା ଟିକେ ନିଆରା । ନବେ ଦଶକ ଆରମ୍ଭରୁ ଏପର୍ଯ୍ୟନ୍ତ ପ୍ରାୟ ୧୮୩ ବେଆଇନ୍ ସୁଡଙ୍ଗ ସାମ୍ନାକୁ ଆସିଛି । ନିଶା ମାଫିଆ ଏଭଳି ସୁଡଙ୍ଗ ଦେଇ ଆମେରିକା ମଧ୍ୟକୁ ଡ୍ରଗ୍ସ ଚାଲଣ କରିଥାଏ । ଚଳିତ ବର୍ଷ କରୋନା କାଳରେ ସେନ୍ ଡିଆଗୋ ଟନଲ ଟାସ୍କ ଫୋର୍ସ ୨ ହଜାର ଫୁଟ ଲମ୍ବା ସୁଡଙ୍ଗ ଖୋଜିଥିଲା ।

Leave a Reply