ଝିମିଟି ଖେଳରୁ ମହାଭାରତ : ଗାଡ଼ି ସାଇଡ୍ ନ ଦେବା ପଡିଲା ମହଙ୍ଗା, ନିର୍ମମ ଭାବେ କରାଗଲା ହତ୍ୟା

କଟକ:  ଝିମିଟି ଖେଳରୁ ସୃଷ୍ଟି ହେଲା ମହାଭାରତ । ସାମାନ୍ୟ ବଚସାରେ ଚାଲିଗଲା ଗୋଟିଏ ଜୀବନ। ଏମିତି ଏକ ଖବର ଆସିଛି କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରୁ। ସାମାନ୍ୟ ଯୁକ୍ତିତର୍କରେ କାରରେ ଉଠାଇନେଇ । ଖାଲି ସେତିକି ନୁହେଁ,  ବିଦ୍ୟୁତ ଖୁଣ୍ଟରେ ପିଟିପିଟା  ମାରିଦେଲା ନୃଶଂସ କାର ଡ୍ରାଇଭର। ପୋଲିସ ଏହି ନିର୍ଦ୍ଦୟ ଡ୍ରାଇଭରକୁ ଗିରଫ କରିସାରିଛି । ହେଲେ ତାହାକୁ ଏହି ଭୟାନକ ହତ୍ୟାକାଣ୍ଡରେ ସହାୟକ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜୁଛି ।

ହେଲେ କିପରି ହୋଇଥିଲା ଏହି ହତ୍ୟା । ପ୍ରଥମେ ଗାଡ଼ି ସାଇଡ୍ କରିବାକୁ ନେଇ ଆରମ୍ଭ ହେଲା ଯୁକ୍ତିତର୍କ। ଆଉ ସେହି ଯୁକ୍ତିତର୍କରେ ରାଗିଯାଇ ହୋଇ କାର ଡ୍ରାଇଭର ଦିଲ୍ଲୀପ ମଲ୍ଲିକ, ଧନଞ୍ଜୟକୁ ଉଠାଇ ନେଇଥିଲା। ଲୋକେ ଗୋଡାଇବାରୁ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ଗୁରୁତର ଆହତ ଅବସ୍ଥାରେ ଫୋପାଡ଼ି ଦ୍ରୁତଗତିରେ କାର୍ ନେଇ ଫେରାର୍ ହୋଇଗଲା। ଏପରି ଏକ ଅମାନୁଷିକ ଘଟଣା ଚାଞ୍ଚଲ୍ୟ ଖଳାଇ ଦେଇଛି କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ। ଏହି ଅଞ୍ଚଳର ଝାରପଡା ବଙ୍ଗଳା ଛକରେ ଘଟିଛି ଏପରି ଘଟଣା। ପୋଲିସକୁ ଏସବୁ ବିଷୟରେ ଅବତାରଣା କରିଥିଲେ ପ୍ରତ୍ୟକ୍ଷଦର୍ଶୀ ଗଙ୍ଗାଧର ସାହୁ ।

ହତ୍ୟାକାଣ୍ଡ ଘଟିବା ପରେ ଉପସ୍ଥିତ ଥିବା ଧନଞ୍ଜୟ ବନ୍ଧୁମାନେ ପ୍ରଥମେ ଅଡ଼ଶପୁର ଓ ପରେ କଟକସ୍ଥିତ ଏସ୍ ସି ବି ମେଡିକାଲ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ଧନଞ୍ଜୟଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ କଟକ ଜିଲ୍ଲା ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ ପି ପି କେ ଜେନା ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ତେବେ ମୃତକଙ୍କ ପରିବାର ତରଫରୁ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ଦାୟର ହୋଇଥିବା ଓ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପକୁ ପୋଲିସ ଗିରଫ କରିଥିବା ଅତିରିକ୍ତ ଏସ୍ ପି ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମୃଦୁ ଉତ୍ତେଜନା ଲାଗି ରହିଛି । ତେଣୁ ଏ ସମସ୍ତ ପରିସ୍ଥିତି ଉପରେ ପୋଲିସ ପ୍ରଶାସନର କଡ଼ା ନଜାର ରହିଛି ।

 

Leave a Reply