ବାବରଙ୍କ କଳଙ୍କ ପୋଛିବା ପାଇଁ ରାମ ମନ୍ଦିରକୁ ଇଟା ଦେବେ ତାଙ୍କ ବଂଶଜ, ଜାଣନ୍ତୁ ପୁରା ଘଟଣା….

ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ତେବେ ଏହା ପୂର୍ବରୁ ବାବରଙ୍କ ବଂଶଜଙ୍କର ଏକ ବଡ ବୟନା ସାମ୍ନାକୁ ଆସିଛି । ବାବରଙ୍କ ବଂଶଜ ପ୍ରିନ୍ସ ହବୀବୁଦ୍ଦୀନ ତୁସୀ ରାମ ମନ୍ଦିର ନିର୍ମାଣ ନେଇ ଖୁସିବ୍ୟକ୍ତ କରିଛନ୍ତି । ସେହିଭଳି ରାମ ମନ୍ଦିର ନିର୍ମାଣ ପାଇଁ ସୁନା ଇଟା ଦେବା ପାଇଁ ଆଗ୍ରହୀ ଥିବା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ ରାମ ମନ୍ଦିର ଧ୍ୱଂସର ଆରୋପ ତାଙ୍କ ପୂର୍ବପୁରୁଷ ବାଦଶାହ ବାବରଙ୍କ ଉପରେ ଲାଗି ଆସୁଛି । ତେଣୁ ସେ ଏହି କଳଙ୍କ ହଟାଇବାକୁ ଚାହାଁନ୍ତି ।

ନୂଆ ଭାରତ ନିର୍ମାଣ ଦିଗରେ ନରେନ୍ଦ୍ର ମୋଦୀଙ୍କ ପ୍ରତିଟି ପଦକ୍ଷେପ ପ୍ରଶଂସାଯୋଗ୍ୟ । ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସୁନା ଇଟା ଦେବାକୁ ପ୍ରସ୍ତୁତ ଅଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ ଅନୁମତି ମାଗି ଏକ ପତ୍ର ମଧ୍ୟ ଲେଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବାବରଙ୍କ ବଂଶଯ ଭବ୍ୟ ରାମ ମନ୍ଦିର ନିର୍ମାଣ ପଥରେ ପ୍ରତିବନ୍ଧକ ହେବାକୁ ଚାହାଁନ୍ତି ନାହିଁ । ଆମେ ଏକଥା ପ୍ରମାଣ କରିବାକୁ ଚାହୁଁଛୁ ଯେ ରାମ ମନ୍ଦିର ନିର୍ମାଣ ନେଇ ଆମ ସହମତ ଓ  ସବୁ ପ୍ରକାର ସହଯୋଗ ପାଇଁ ମଧ୍ୟ ଆମେ ସଦାସର୍ବଦା ରହିଛୁ ।

ଅନ୍ୟପକ୍ଷରେ ରାମ ମନ୍ଦିରର ଭୂମି ପୂଜା ଦିନରେ ସେ ନିଜେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ଆଗ୍ରହୀ ଥିଲେ ମଧ୍ୟ କରୋନା କାଳରେ ଏଭଳି ଆଶା ପୂରଣ ହୋଇ ପାରିବ ନାହିଁ ବୋଲି କହି ଦୁଃଖପ୍ରକାଶ କରିଛନ୍ତି । ରାମ ମନ୍ଦିରକୁ ସେ ଦାନ କରିବାକୁ ଥିବା ଇଟାକୁ ସାର୍ବଜନୀନ କରିବାକୁ ମନା କରିଥିବା ବେଳେ ଏହି ଇଟାର ପାଖାପାଖି ମୂଲ୍ୟ ୮୦ ଲକ୍ଷ ଟଙ୍କା ବୋଲି ସେ କହିଛନ୍ତି । ଏହି ଇଟାରେ ଜୟ ଶ୍ରୀରାମ ଲେଖାଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଅନୁମତି ମିଳିବା ପରେ ହିଁ ସେ ଏହାକୁ ହସ୍ତାନ୍ତର କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

Leave a Reply