ବିଧାନସଭା କର୍ମଚାରୀଙ୍କ ମାଆ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ସଟଡାଉନ ହେଲା ବିଧାନସଭା । ଆଜି ଦିନକ ପାଇଁ ବିଧାନସଭାକୁ ସଟଡାଉନ୍ କରାଯାଇଛି । ବିଧାନସଭାର ଜଣେ କର୍ମଚାରୀଙ୍କ ମା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଶନିବାର ଓ ରବିବାର ଦୁଇ ଦିନ ଛୁଟି ରହୁଥିବାରୁ ବିଧାନସଭା ଗେଟ୍ ସୋମବାର ଖୋଲିବ ।

ଖୋର୍ଦ୍ଧା ଜିଲ୍ଲା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୯୪ରେ ପହଞ୍ଚିଛି । ସେହିଭଳି ବିଏମସି ଅଞ୍ଚଳରେ ୯ ତାରିଖ ସୁଦ୍ଧା ୫୫୭ ଜଣ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ସଂକ୍ରମଣ ବଢ଼ୁଥିବା ବେଳେ କରୋନା ଚେକ୍ ପାଇଁ ପ୍ରଶାସନ ଓ ସରକାର ପଦକ୍ଷେପ ନେଉଛନ୍ତି । ଅଧିକ ସଂକ୍ରମିତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରାଯିବା ସହ ସାନିଟାଇଜ୍ କରାଯାଉଛି ।

ଆଜି ରାଜ୍ୟରେ ସର୍ବାଧିକ ୭୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସହ ସ୍ଥାନୀୟ ସଂକ୍ରମଣର ରେକର୍ଡ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହଜାର ୯୫୬ରେ ପହଞ୍ଚିଛି । ରାଜ୍ୟରେ ଏବେ ୪ ହଜାର ୪୭୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି । ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏଯାଏଁ କରୋନାରୁ ସୁସ୍ଥ ହୋଇ ୭ ହଜାର ୪୦୭ ଜଣ ଫେରିଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହେଲା ସର୍ବାଧିକ କେସ୍, ରେକର୍ଡ ଭାଙ୍ଗିଲା ସ୍ଥାନୀୟ ସଂକ୍ରମଣ ମାମଲା

Leave a Reply