ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ବିଧାନସଭା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହାପୂବର୍ରୁ ତିନି ପ୍ରମୁଖ ଦଳ ପ୍ରସ୍ତୁତ କରିଛନ୍ତି ରଣନୀତି। ବିଭିନ୍ନ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ବିଧାୟକ ଦଳ ବୈଠକରେ ଯୋଜନା ଚୂଡାନ୍ତ କରିଛନ୍ତି । ସେପଟେ ବିଜେଡି ବିଧାୟକ ଦଳର ବୈଠକରେ ମଧ୍ୟ ମୌସୁମୀ ଅଧିବେଶନ ପାଇଁ ରଣନୀତି ହୋଇଛି । କୋଭିଡ ସମୟରେ ଅଧିବେଶନ ନେଇ ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଦୂରତା ଓ ମାସ୍କ ପିନ୍ଧବାକୁ ପରାମର୍ଶ ଦେଇଛନ୍ତି । ବିରୋଧୀଙ୍କ ରଣନୀତିକୁ ସାମନା କରିବାକୁ ବିଧାୟକମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । କଂଗ୍ରେସ କୃଷି ଵିଲ ପ୍ରସଙ୍ଗରେ ହଟ୍ଟଗୋଳ କରିବାକୁ ଯୋଜନା କରୁଥିବା ବେଳେ ଏନେଇ ବିଜେଡିର ନୀତି ସ୍ପଷ୍ଟ ବୋଲି କହିଛନ୍ତି ବିଧାୟକ ଅମର ଶତପଥୀ ।

ସେପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ବିଧାନସଭା । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିୟୋଜିତ ହେବେ ୨୬ ପ୍ଲାଟୁନ ପୋଲିସ । ଏହାଛଡ଼ା ୨ଜଣ ଅତିରିକ୍ତ ଡିସିପି, ୭ଜଣ ଏସିପି, ୧୦ ଆଇଆଇସି ଓ ୨୯ଜଣ ଏସଆଇଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ସାଧା ପୋଷାକଧାରୀ ପୋଲିସ, ରୁଫ୍‌ଟପ୍‌ ସିକ୍ୟୁରିଟି ଓ କ୍ୟୁଆର୍‌ଟି ବ୍ୟବସ୍ଥା କରାଯାଇଛି । କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀ ବି ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ସେପଟେ କୋଭିଡ୍‌ କଟକଣା ଅନୁସାରେ ବିଧାନସଭା ଅଧିବେଶନ ବେଳେ ରାଲି ଓ ଧାରଣା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ । ଏଯାଏଁ କୋଣସି ସଂଗଠନ ପୋଲିସକୁ ଆବେଦନ କରିନାହାନ୍ତି । କେହି ଆବେଦନ କଲେ କୋଭିଡ୍‌ ନିୟମ ଅନୁସାରେ ଅନୁମତି ଦିଆଯିବ କି ନାହିଁ ବିଚାର କରାଯିବ ।

Leave a Reply