ଜଗି ଓ ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ ଆଣିଲା ‘ପାଥ୍’,ଭୂତ କଂପାନୀଙ୍କ ଜରିଆରେ ୧୮ କୋଟି ହେରଫେର

ନୂଆଦିଲ୍ଲୀ: ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଛି ଗମ୍ଭୀର ଅଭିଯୋଗ । ଉଭୟ ଜାଲ୍ ଦରିଆପାରୀ କଂପାନୀଙ୍କ ଜରିଆରେ ମନି ଲଣ୍ଡ୍ରିଂ ବା ଆର୍ଥିକ ହେରଫେର କରୁଥିଲେ ବୋଲି ଦିଲ୍ଲୀର ଏକ ସାମାଜିକ ସଂଗଠନ ଅଭିଯୋଗ କରିଛି । ପାଥ୍ ନାମକ ଏହି ସାମାଜିକ ସଂଗଠନ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ଏହି ଅଭିଯୋଗ କରିବା ସହିତ ତଦନ୍ତ ତ୍ୱାରନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ନିବେଦନ କରାଯାଇଛି ।

ସଂଗଠନ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ଜଗି ଓ ବୈଜୟନ୍ତ ଟ୍ୟାକ୍ସ ଚୋରି ସହିତ ସିଏସଆର ଫଣ୍ଡ୍ ହେରଫରେରେ ସାମିଲ ଅଛନ୍ତି । ବାହାମାସ ଦ୍ୱୀପରେ ଥିବା ତିନୋଟି କଂପାନୀ ଜରିଆରେ ଆର୍ଥିକ ହେରଫେର ହେଉଥିଲା । ଏନେଇ ଫେବ୍ରୁଆରି ମାସରେ ଦିଲ୍ଲୀ ହାଇକୋର୍ଟେରେ ପାଥ୍ ଆବେଦନ କରିଥିଲା । ହାଇକୋର୍ଟ ପ୍ରଥମ ଦୃଷ୍ୟରେ ଏହା ମନି ଲଣ୍ଡ୍ରିଂ ମାମଲା ଲାଗୁଥିବା କହିବା ସହିତ ତଦନ୍ତ ପାଇଁ ଆଦେଶ ଦେଇଥିଲେ ।

ତେବେ ସଂଗଠନର କାହିବା ହେଉଛି ଫେବ୍ରୁଆରୀ ମାସରୁ ତଦନ୍ତ ଆଦେଶ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଗ୍ରଗତୀ ହୋଇନାହିଁ । ତେଣୁ ତଦନ୍ତକୁ ତ୍ୱାରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଦେଶ ଦିଅନ୍ତୁ ବୋଲି ସଂଗଠନ ଦାବି କରିଛି । ପାଥ୍ ଅନୁସାରେ ବାହାମସରୁ ଯେଉଁ ତିନୋଟି କଂପାନୀରୁ ଭାରତ ଟଙ୍କା ଆସୁଥିଲା ସେହି କଂପାନିଗୁଡିକୁ ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ଦୁଇଟି କଂପାନୀ ପଣ୍ଡା ଇନଭେଷ୍ଟମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ମେଟ୍ରୋ ସ୍କାଇ ଲାଇଟ୍ ପ୍ରାଇଭେଟ୍ ଲିମିଟିଟେଡ୍ ନିୟନ୍ତ୍ରଣ କରନ୍ତି ।

ବେନାମୀ ବାହାମସ କଂପାନୀରୁ ଆସୁଥିବା ଟଙ୍କା ମଂଜୁଳା ଦେବୀ ଟ୍ରଷ୍ଟକୁ ଯାଇଥାଏ ବୋଲି ସଂଗଠନ ଅଭିଯୋଗ କରିଛି । ପୁରା କାରବାରରେ ୧୮ କୋଟି ଟଙ୍କା ହେରଫରେ ହୋଇଥିବା କୁହାଯାଉଛି । ଯେଉଁ ବେନାମୀ କଂପାନୀଙ୍କ ଜରିଆରେ ଟଙ୍କା ଆସୁଛି ସେହି କଂପାନୀଙ୍କ ବାବଦରେ ସବିଶେଷ ତଥ୍ୟ ଇଣ୍ଟରନ୍ୟାସନାଲ କନସୋରଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣଲିଷ୍ଟ୍ ୱେବସାଇଟରେ ରହିଥିବା କୁହାଯାଉଛି । ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ରିଷି ମିଶ୍ର,ପ୍ରେମଶଙ୍କର ଝା,ଅତୁଲ ଗୁଲେରିଆ ଓ ବିଘ୍ନେଶ୍ୱର ଝା ଯୋଗ ଦେଇଥିଲେ ।

Leave a Reply