ବାତ୍ୟା ଅମ୍ଫାନ ମୁକାବିଲା ନେଇ ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

1 min read

ଭୁବନେଶ୍ୱର: ବାତ୍ୟା ଅମ୍ଫାନ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ‘ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସରକାର ବାତ୍ୟା ଅମ୍ଫାନକୁ ଯେଉଁଭଳି ଭାବେ ମୁକାବିଲା କରିଛନ୍ତି ତାହାର ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ,  ଓଡ଼ିଶା ସାହସର ସହ ବାତ୍ୟା ଅମ୍ଫାନର ମୁକାବିଲା କରୁଥିବା ବେଳେ ମୋ ଭାବନା ଓଡ଼ିଶାର ଲୋକଙ୍କ ସହ ରହିଛି ।  ଏହାସହ ପ୍ରଶାସନ ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ତୃଣମୁଳ ସ୍ତରରେ କାମ କରୁଛି  ଓ ଖୁବ ଶୀଘ୍ର ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରିଆସିବ ବୋଲି ମଧ୍ୟ ଆଶା କରିଛନ୍ତି  ପ୍ରଧାନମନ୍ତ୍ରୀ ମୋଦି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅମ୍ଫାନ କ୍ଷୟକ୍ଷତି ନେଇ ଆଜି ନବୀନଙ୍କ ସହ କଥା ହୋଇଛନ୍ତି ଅମିତ୍‌ । ରାଜ୍ୟରେ ବାତ୍ୟା ଅମ୍ଫାନ ପ୍ରଭାବରେ କେତେ କ୍ଷତି ହୋଇଛି ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କିପରି ଥିଲା, ସେନେଇ ଆଲୋଚନା କରିଛନ୍ତି ଅମିତ ଶାହା । ଏନେଇ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଅମିତ୍‌ । ସେ ଟ୍ୱିଟରେ ସୂଚନା ଦେଇଛନ୍ତି ଯେ, ଅମ୍ଫାନ କ୍ଷୟକ୍ଷତି ନେଇ ନବୀନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସେ ଆଜି କଥାବାର୍ତ୍ତା କରିଛନ୍ତି । କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିବା ସହ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଅମ୍ଫାନ ପରବର୍ତ୍ତି ସ୍ଥିତି ସମ୍ପର୍କରେ ଆଲୋଚନା ବେଳେ କେନ୍ଦ୍ର କ୍ୟାବିନେଟ ସଚିବ ଓଡ଼ିଶା ପଦକ୍ଷେପକୁ ପ୍ରସଂଶା କରିଥିଲେ ।

Leave a Reply