ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୋଦି, ଦେଶବାସୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୫ ତମ ମନ୍‌ କି ବାତ୍‌ ସଂସ୍କରଣରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି । ଆଜି ଦେଶକୁ ସମ୍ବୋଧିତ କରିବା ବେଳେ କରୋନା ଲଢ଼େଇରେ ପୁରା ଦେଶ ଏକ ହୋଇଥିବା କଥା କହି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଓଡ଼ିଶାକୁ ବାତ୍ୟା ଅମ୍ଫାନ୍‌ର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି । ବାତ୍ୟା ଅମ୍ଫାନ୍‌ ମୁକାବିଲାରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଭୂମିକାକୁ ପ୍ରଶଂସା କରିଛନ୍ତି ମୋଦି ।

ମୋଦି କହିଛନ୍ତି, ପୂର୍ବ ଥର ଯେବେ ମନତ କି ବାତ୍ ବେଳେ, ଟ୍ରେନ୍, ବସ୍ ବିମାନ ସବୁ ବନ୍ଦ ରହିଥିଲା । ହେଲେ ଏବେ ଅନେକ କିଛି କଟକଣା କୋହଳ ହୋଇସାରିଛି । ଶ୍ରମିକମାନଙ୍କୁ ନିଜ ଭିଟା ମାଟିରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚାଲୁଛି । ଅନେକ କଟକଣା ସହ ବିମାନ ଓ ଶିଳ୍ପ କାରଖାନା ଗୁଡିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । କହିବାକୁଗଲେ ଅର୍ଥବ୍ୟବସ୍ଥାର ଏକ ବଡ ଅଂଶ ଖୋଲିସାରିଛି । ଏଥିପାଇଁ ଆମକୁ ଏବେ ଅଧିକ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ମୋଦି ।’

ଏହା ସହ ମୋଦି କହିଛନ୍ତି ଯେ, ସେବା କଲେ ଦୁଃଖରୁ ମୁକ୍ତି ମିଳିପାରିବ । ସାରା ବିଶ୍ୱରେ ଯେଉଁ ହାରରେ କରୋନା ବ୍ୟାପିଛି, ଭାରତରେ ସେହି ପରିମାଣରେ ବ୍ୟପି ନାହିଁ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ ହିଁ ଏହି କରୋନା ଲଢ଼େଇରେ ଆମେ ଜିତିପାରିବା । ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟ ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି ।

କରୋନା ଲଢେଇ ସମୟରେ ଅନେକ ପ୍ରତିବନ୍ଧକ ଆସିଛି । କରୋନା ସଙ୍କଟର ପ୍ରଭାବ ଶ୍ରମିକମାନଙ୍କ ଉପରେ ସବୁଠୁ ବେଶୀ ପଡିଥିବା ଦେଖାଯାଇଛି । ଆତ୍ମନିର୍ଭର ଭାରତ ଗଠନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇସାରିଛି ।

କରୋନା ଯୁଦ୍ଧରେ ଦିନରାତି କାର୍ଯ୍ୟରତ ରେଳ କର୍ମଚାରୀଙ୍କୁ ମଧ୍ୟ ଅଗ୍ରଣୀ କୋରୋନା ଯୋଦ୍ଧା ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ଲୋକେ ସ୍ୱଦେଶୀ ବ୍ୟବହାର କରି ମେକ୍ ଇନ୍‌ ଇଣ୍ଡିଆକୁ ଉତ୍ସାହ ଦେଉଛନ୍ତି ।

ଖାଲି ସେତିକି ନୁହେଁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମଧ୍ୟ ଆଗ ଧାଡ଼ିର କରୋନା ଯୋଦ୍ଧା ବୋଲି କହି କୃତଜ୍ଞତା ଜଣାଇଛନ୍ତି ମୋଦି । ଦେଶର କୋଟିଏରୁ ଅଧିକ ପରିବାର ଆୟୁଷ୍ମାନ ଭାରତରେ ଯୋଡ଼ି ହୋଇଛନ୍ତି । ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ମଧ୍ୟରୁ ୮୦% ପରିବାର ଗ୍ରାମାଞ୍ଚଳର ରହିଛନ୍ତି ବୋଲି ମୋଦି ଆଜି ମନ୍‌ କି ବାତ୍‌ରେ କହିଛନ୍ତି ।’

Leave a Reply