ସଂସଦ ଭବନ ଆକ୍ରମଣକୁ ୧୯ ବର୍ଷ; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ସଂସଦ ଭବନ ଆକ୍ରମଣକୁ ଆଜି ପୁରିଛି ୧୯ ବର୍ଷ । ସେହି ଦିନର ହୃଦୟ ବିଦାରକ ଦୃଶ୍ୟକୁ ଆଜିବି ଭୁଲି ପାରି ନାହାଁନ୍ତି ଦେଶବାସୀ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି, ‘‘ଆମ ସଂସଦ ଉପରେ ହୋଇଥିବା ଆକ୍ରମଣକୁ ଦେଶବାସୀ କେବେ ବି ଭୁଲି ପାରିବେ ନାହିଁ । ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଯବାନମାନଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବୀର ସୈନିକମାନଙ୍କ ପ୍ରତି ଦେଶ ସର୍ବଦା କୃତଜ୍ଞ ରହିବ’’।

୨୦୦୧ ମସିହା ଡିସେମ୍ବର ମାସ ୧୩ ତାରିଖରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଏବାର ସଦସ୍ୟମାନେ ସଂସଦ ଭବନ ପରିସରରେ ଆକ୍ରମଣ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏପରିକି ଉଭୟ ପକ୍ଷରୁ ୩୦ ମିନିଟ୍ ଧରି ଗୁଳି ବିନିମୟ ହୋଇଥିଲା ବେଳେ ଯବାନଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଥିଲେ ।

ସେହିପରି ଦିଲ୍ଲୀ ପୋଲିସର ପାଞ୍ଚଜଣ ସୁରକ୍ଷା କର୍ମୀ, ସିଆରପିଏଫର ଜଣେ ମହିଳା କନଷ୍ଟେବଳ ଏବଂ ସଂସଦର ଦୁଇଜଣ ସୁରକ୍ଷା ସହାୟକଙ୍କର ମୃତ୍ୟୁ ଘଟିଥିଲା । ଏହାବ୍ୟତୀତ ଏଥିରେ ଜଣେ ମାଳି ଏବଂ ଜଣେ ଫଟୋ ଜର୍ନାଲିଷ୍ଟ ମଧ୍ୟ ପ୍ରାଣ ହରାଇଥିଲେ ।

ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ପରେ ଆତଙ୍କବାଦୀଙ୍କ ଭାରତୀୟ ସହଯୋଗୀ ଅଫଜଲ ଗୁରୁ, ସୌକତ୍ ହୁସେନ୍, ସାର ଗିଲାନି ଏବଂ ନବଜୋତ ସାନ୍ଧୁଙ୍କୁ ଗିରଫ କରାଯାଇଥିଲା । ଏହି ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମସୁଦ୍ ଆଝାର ଏବେ ବି ପାକିସ୍ତାନରେ ଲୁଚି ରହିଥିବା ଜଣାପଡିଛି ।

Leave a Reply