ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ କିମ୍ୱା ମହାଗଠବନ୍ଧନ ସହ ରହିବାର ପ୍ରଶ୍ନ ଉଠୁନି: ଚିରାଗ ପାଶୱାନ

ପାଟଣା: ବିହାର ରାଜନୈତିକ ମାହୋଲ ଏବେ ଉଷ୍ମ  । ୨ ପର୍ଯ୍ୟାୟ ମତଦାନ ସରିବା ପରେ ବିହାର ଏବେ ୩ୟ ପର୍ଯ୍ୟାୟକୁ ଅପେକ୍ଷା କରିଛି । ଏଇ ଭିତରେ ନିର୍ବାଚନୀ ରାଲ୍ଲୀରେ ପୁଣି ଥରେ ମୋଦିଙ୍କ ପ୍ରତି ନିଜ ଆନୁଗତ୍ୟ ଦର୍ଶାଇଛନ୍ତି ଚିରାଗ ପାଶୱାନ । ତାଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ଏଥର ନିର୍ବାଚନରେ ନୀତିଶଙ୍କ ବିରୋଧରେ ନିର୍ବାଚନ ଲଢୁଛି । କେବଳ ନୀତିଶ ଲଢୁଥିବା ନିର୍ବାଚନୀ କ୍ଷେତ୍ରରେ ହିଁ ପ୍ରାର୍ଥୀ ଦେଇଛି  ଓ ଏନଡିଏର ପ୍ରମୁଖ ଦଳ ବିଜେପି ପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ଥିବା କଥା ବାରମ୍ଭାର କହୁଛନ୍ତି । ମୋଟାମୋଟି ଭାବେ କହିଲେ, ଏଥର ନୀତିଶ ମୁକ୍ତ ବିହାର, ଏଲଜେପିର ଲକ୍ଷ୍ୟ ।

ମାତ୍ର ମୋଦି ଓ ବିଜେପି ଯେ ତାଙ୍କ ପ୍ରିୟ ଏକଥା ପ୍ରମାଣ କରିବାର କୌଣସି ସୁଯୋଗ ସେ ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହନ୍ତି । ନିକଟରେ ବିଜେପିର ପ୍ରିୟ  ନାରଙ୍ଗୀ ରଙ୍ଗର ଗାମୁଛା ପିନ୍ଧି ଚିରାଗ ରାଲ୍ଲୀକୁ ଓହ୍ଲାଇଥିଲେ । ରାଲ୍ଲୀରେ ସେଇ ଏକା କଥାକୁ ଦୋହରାଇ କହିଥିଲେ, ମୁଁ ମୋଦିଙ୍କ ସହ ଅଛି ।  ସେହିପରି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ, ମୁଁ ଭାରତୀୟ ଜନତା ପାର୍ଟିକୁ ଭଲ ପାଏ ଓ ଏଥରର ସାଧାରଣ ନିର୍ବାଚନ ଫଳ ଘୋଷଣା ପରେ ବିଜେପି ଓ ଏଲଜେପି ଏକାଠି ହୋଇ ସରକାର ଗଢିବେ । ତେବ ବିହାରରେ ଅନ୍ୟ ଏକ ସମୀକରଣ ମଧ୍ୟ ଚର୍ଚ୍ଚାରେ ରହିଛି ।

ଚର୍ଚ୍ଚା ଏହା ଯେ, ଏଲଜେପି ନିର୍ବାଚନ ପରେ ଆରଜେଡି ସହ ମିଶି ସରକାର କରିପାରେ । ତୁଣ୍ଡ ବାଇଦ ସହସ୍ର କୋଶ  । କଥା ଗଣମାଧ୍ୟମ ଦେଇ ଏଲଜେପି ମୁଖ୍ୟଙ୍କ ପାଖରେ ପହଞ୍ଚିବା ପରେ ସେ ଏଭଳି ତର୍କକୁ ଖୋଲୋଖୋଲି ଭାବେ ଖାରଜ କରିଛନ୍ତି । କହିଛନ୍ତି ଆରଜେଡି ସହ ମିଶି ସରକାର କରିବା କଥା ମନକୁ ମଧ୍ୟ କେବେ ଆସିନି । ଏହା ଅସମ୍ଭବ ଅଟେ । ଅନ୍ୟପକ୍ଷରେ ସେ ମୁଖ୍ୟମନ୍ତ୍ରୀ ଦାବିଦାର ନୁହନ୍ତି ବୋଲି ସ୍ପଷ୍ଟ ଶଦ୍ଦରେ କହିଛନ୍ତି ।

Leave a Reply