‘ମୋ ବସ୍’ ସେବାକୁ ବର୍ଷେ ପୁରିଲା, ବସରେ ଟିକେଟ୍ କାଟି ସାଧାରଣ ଲୋକଙ୍କ ଭଳି ଯାତ୍ରା କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱର-କଟକ-ପୁରୀକୁ ଗଡୁଥିବା ‘ମୋ ବସ’ ସେବାକୁ ବର୍ଷେ ପୁରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ମୋ ବସ୍ ଆରମ୍ଭର ପ୍ରଥମ ଯାତ୍ରୀ ହୋଇଥିବା ମୁଖ୍ୟମନ୍ତ୍ରୀ ଆଜି ବର୍ଷପୂର୍ତ୍ତିରେ ମଧ୍ୟ ‘ମୋ ବସ’ରେ ଯାତ୍ରା କରିଛନ୍ତି । ସାଧାରଣ ଯାତ୍ରୀଙ୍କ ଭଳି ଟିକେଟ୍ କାଟି ବସରେ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ ।

‘ମୋ ବସ୍’ରେ ବସି ଯାତ୍ରା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସହରାଞ୍ଚଳବାସୀଙ୍କୁ ଯୋଗାଯୋଗର ଉତ୍ତର ମାଧ୍ୟମ ପ୍ରଦାନ କରିବାକୁ ସରକାରଙ୍କ ଏ ସେବା ବର୍ଷେ ମଧ୍ୟରେ ବହୁ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏୟାରପୋର୍ଟରୁ ଆସି ‘ମୋ ବସ’ରୁ ସିଧା ଓହ୍ଲାଇ ଜୟଦେବ ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟଦେବ ଭବନରେ ହେଉଥିବା ‘ମୋ ବସ’ର ପ୍ରଥମ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ‘ମୋ ବସ’ର ସଫଳତାକୁ ନେଇ ଭିଡିଓ ଡକ୍ୟୁମେଣ୍ଟାରୀ ପ୍ରଦର୍ଶ୍ରିତ ହୋଇଛି ।  ଯାହାର କଥା ବସ୍ତୁ ହେଉଛି, ” The way we moved” । ‘ମୋ ବସ’ର ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଲୋକଙ୍କ ଭରସା ହାସଲ କରିପାରିଛି । ଗୋଟିଏ ଦିନରେ ୧ ଲକ୍ଷ ଲୋକଙ୍କୁ ସେବା ଯୋଗାଇ ଦେଇପାରୁଛି । ସହରରେ ପରିସୀମା ବୃଦ୍ଧି ପାଉଛି, ଟ୍ରାଫିକ୍ ବଢୁଛି, ପ୍ରଦୂଷଣ ବୃଦ୍ଧି ପାଉଛି ସେ ଦୃଷ୍ଟିରୁ ଅନ୍ୟ ରାଜ୍ୟ ତୁଳନାରେ ଆମେ ଭଲ ସ୍ଥିତିରେ ଅଛୁ । ତେଣୁ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଶସକ୍ତ କରିବାକୁ ପଡ଼ିବ । ସମୟ ଅନୁସାରେ ସେବା, ସୁରକ୍ଷା ଓ ନିରାପତ୍ତାକୁ ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ । ମୋ ବସ୍ ସେବାକୁ ଏକ ଆଦର୍ଶ ଟ୍ରାନ୍ସପୋର୍ଟ ସେବା ଭାବରେ ଗଢ଼ି ତୋଳିପାରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

‘ମୋ ବସ୍’ ମାସ୍କଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇଁ ମୋ ବସର କର୍ମଚାରୀଙ୍କୁ ଉଚ୍ଚପ୍ରଂଶସା କରିବା ସହିତ  ସେମାନଙ୍କୁ ସମ୍ମିନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା,  କ୍ରୁଟ (CRUT) ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା, ଓଏସଡ଼ିଏ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।


୨୦୧୮ ନଭେମ୍ବର ୬ ତାରିଖରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ଗଡିଥିଲା ମୋ ବସ୍ । ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଓ ପୁରୀରେ ଏହି ସେବାକୁ ଲାଗୁ କରାଯାଇଥିଲା । ପ୍ରତିଦିନ ୨୧ଟି ରୂଟରେ ୨୦୦ଟି ମୋ ବସ୍ ଗଡୁଛି । ୫୦ଟି ଏସି ଓ ୧୫୦ଟି ନନ୍ ଏସି ବସରେ ଯାତାୟତ କରୁଛନ୍ତି ଯାତ୍ରୀ । ଏହାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଭିନ୍ନ ନୂଆ ନୂଆ ପଦକ୍ଷେପ ନେଉଛି କ୍ରୁଟ୍ । ')}

Leave a Reply