ଭୋଟ ଦେଇଥିଲେ ଆଜି ଭେଟିଲେ… ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାଭିମାନ ଅଞ୍ଚଳରେ ପାଦ ପକାଇଲେ ବିଧାୟକ

ଚିତ୍ରକୋଣ୍ଡା: ୭୦ ବର୍ଷ ହେଲା ପାଦ ପଡ଼ିନଥିଲା  । ମାଓବାଦୀଙ୍କ ଭୟରେ ବିଚ୍ଛିନ୍ନାଞ୍ଚଳର ଅପବାଦ ମୁଣ୍ଡେଇଥିବା ମାଲକାନଗିରିର ଚିତ୍ରକୋଣ୍ଡା ଅଞ୍ଚଳ ପ୍ରଥମ ଥର ନିଜ ବିଧାୟକଙ୍କୁ ଭେଟିଛି  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଆଜି ବିକାଶର ମୁକଶାଳା ପାଲଟିଥିବା ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଲୋକଙ୍କ ହାଲଚାଲ ବୁଝିବା ସହିତ ସମସ୍ୟା ବିଷୟରେ ଅବଗତ ହୋଇଛନ୍ତି  । ଲୋକଙ୍କ ଦାବିକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିବେ ବୋଲି କହିଛନ୍ତି  ।

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ  । ଦିନେ ଏଠାରେ ପାଦ ପକାଇବାକୁ ଲୋକେ ଡରୁଥିଲେ  । ମାଓବାଦୀଙ୍କ କାର୍ଯ୍ୟକଳାପ ପାଇଁ ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇଯାଇଥିଲା  । ଆଉ ବିଚ୍ଛିନ୍ନାଞ୍ଚଳ ଭାବେ ସହୁଥିଲା ଅପବାଦ  । ବିକାଶ ଏଠି ପାଲଟିଥିଲା ସାତ ସପନ  । ତେବେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ମନୋବଳ ଯୋଗୁଁ ଏବେ ଏହା ପାଲଟିଛି ରାଜ୍ୟ ବିକାଶ ମୁଖଶାଳା  । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ରାଜ୍ୟ ସହ ଗୁରୁପ୍ରିୟା ସେତୁ ଦ୍ୱାରା ଯୋଡ଼ି ହୋଇ ବିଚ୍ଛିନ୍ନାଞ୍ଚଳରୁ ଏହା ପାଲଟିଛି ସ୍ବାଭିମାନ ଅଞ୍ଚଳରେ  । ୭୦ ବର୍ଷ ପରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପଣସପୁଟ, ଯୋଡାମ୍ବ ଆଦି ପଞ୍ଚାୟତର ୧୦ରୁ ୧୨ ଗାଁ ବୁଲି ଦେଖିବା ସହ ଲୋକଙ୍କ ସହ ସମସ୍ୟା ନେଇ ଆଲୋଚନା କରିଛନ୍ତି  ।

ସରକାରଙ୍କ ୨୧୫ କୋଟିର ପ୍ୟାକେଜ ଘୋଷଣା ପରେ ବିକାଶ ଏଠି ଡେଣା ମେଲାଇ ଉଡୁଛି  । ମୋବାଇଲ ଟାୱାର, ପ୍ରତି ପରିବାରକୁ ସ୍ମାର୍ଟଫୋନ ବଣ୍ଟନ, ସ୍କୁଲ ଓ ଥାନା ପ୍ରତିଷ୍ଠା ଆଗେଇ ଚାଲିଛି  । ଯୋଡାମ୍ବ ବହୁମୁଖୀ ରୋଗୀଗୃହ ସହ ଅନ୍ୟାନ୍ୟ ବିକାଶ କାମ ବୁଲିଦେଖିଛନ୍ତି ବିଧାୟକ  । ସ୍ୱାଭିମାନ ଅଞ୍ଚଳ ଦ୍ରୁତ ଗତିରେ ବିକାଶପଥରେ ଆଗଉ ଥିବାବେଳେ ଲୋକଙ୍କ ଏବେ ବି ଆହୁରି ସମସ୍ୟା ରହିଛି  । ସେସବୁର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ପୂର୍ଣ୍ଣଚନ୍ଦ୍ର  ।

ଲୋକଙ୍କ ସହ ଆଲୋଚନାବେଳେ ପଣସପୁଟରେ ଗୋଟିଏ ମୋବାଇଲ ଟାୱାର ବସାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା  । ମୋବାଇଲ ଟାୱାର ବସିଲେ ଯୋଗାଯୋଗରେ ସୁବିଧା ହେବ ବୋଲି ଗ୍ରାମବାସୀ ଦାବି କରିଥିବାବେଳେ ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ବିଧାୟକ  । ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଲୋକଙ୍କ ହାଲଚାଲ ବୁଝିବା ସହ ବିକାଶ କାମର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ  ।

Leave a Reply