ଭାରତୀୟ ଆପ୍‌ ନୁହେଁ ମିତ୍ରୋଁ : ପାକିସ୍ତାନ ସହ ରହିଛି ଲିଙ୍କ୍‌, ସାଇନ୍‌ ଇନ୍‌ କଲେ ତଥ୍ୟ ଚୋରିର ଆଶଙ୍କା !

1 min read

ନୂଆଦିଲ୍ଲୀ: ମିତ୍ରୋଁ ଆପ୍ ଭାରତରେ ପ୍ରସ୍ତୁତ ହୋଇନାହିଁ ବରଂ ଏହା ପାକିସ୍ତାନ ସଫ୍ଟଓୟାର୍‌ ଡେଭଲପର୍ ଓବୋକ୍ସସ୍‌ର ଆପ୍‌ ବୋଲି କୁହାଯାଉଛି । ଏକ ରିପୋର୍ଟରୁ ଏହି ସୂଚନା ମିଳିଛି । ଭାରତରେ ମିତ୍ରୋଁ ଆପ୍ ଏବେ ଭାଇରାଲ ହେବାରେ ଲାଗିଛି । ଅନେକ ସଂଖ୍ୟାରେ ଏହାକୁ ଡାଉନ୍‌ଲୋଡ୍‌ କରାଯାଉଛି । ଚର୍ଚ୍ଚାର ବିଷୟ ହେଉଛି ‘ମିତ୍ରୋଁ’ ଶବ୍ଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଡ଼ା ଯାଉଛି । ତେବେ ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ, ମିତ୍ରୋଁ ଆପ୍ ହେଉଛି ପାକିସ୍ତାନୀ କମ୍ପାନୀ Qboxus ଦ୍ୱାରା ପ୍ରସ୍ତୁତ ଟିକ୍‌ଟିକ୍‌ ଆପର ରିପ୍ୟାକେଜ୍ ଭର୍ସନ୍‌ ।

ପାକିସ୍ତାନ ସଫ୍ଟଓୟାର୍‌ ଡେଭ୍‌ଲପର କମ୍ପାନୀ Qboxus ର ସିଇଓ ତଥା ପ୍ରତିଷ୍ଠାତା ହେଉଛନ୍ତି ଇରଫାନ୍ ଶେଖ୍ । ଏହି କମ୍ପାନୀ  ଟିକ୍‌ଟିକ୍‌ ଆପର ଏକ ନକଲ ତିଆରି କରିଛି । ଟାଇମ୍ସ ଅଫ୍ ଇଣ୍ଡିଆ-ଗ୍ୟାଜେଟ୍ସ ନାଓକୁ ଇର୍‌ଫାନ୍‌ କହିଛନ୍ତି ଯେ, ସେ ମିତ୍ରୋଁ ଆପ୍‌ର ଡେଭଲପର୍‌କୁ ଟିକ୍‌ଟିକ୍‌ ଆପ୍‌ର ସୋର୍ସ କୋଡ୍‌ ପାଖାପାଖି ୩୪ ଡଲାରରେ ବିକ୍ରି କରିଛନ୍ତି ।

 

ଉତ୍ସ କୋଡ୍ ବିକ୍ରୟ ହେଉଛି ମୁଖ୍ୟ ବ୍ୟବସାୟ

ଇର୍‌ଫାନ୍‌‌ କହିଛନ୍ତି ଯେ ତାଙ୍କ କମ୍ପାନୀର କାମ ହେଉଛି ସେ ବଡ଼ ବଡ଼ ଲୋକପ୍ରିୟ ଆପ୍ ଗୁଡ଼ିକର କ୍ଲୋନ୍‌ ପ୍ରସ୍ତୁତ କରନ୍ତି ଏବଂ ତାକୁ ଶସ୍ତାରେ ବିକ୍ରି କରନ୍ତି । ବିଭିନ୍ନ ଆପ୍‌ ଡେଭଲପର କମ୍ପାନୀ ଆମଠାରୁ କୋଡ୍‌ କିଣିବା ପରେ ତାକୁ ନେଇ ଆବଶ୍ୟକ ଅନୁଯାୟୀ କଷ୍ଟମାଇଜ୍‌ କରନ୍ତି ଓ ବଜାରକୁ ଛାଡ଼ନ୍ତି । ସୋର୍ସ କୋଡ୍‌ ବିକ୍ରି କରିବା ହେଉଛି ଏହି କମ୍ପାନୀର ମୁଖ୍ୟ ବ୍ୟବସାୟୀ । କମ୍ପାନୀର ଲକ୍ଷ ହେଉଛି, ଛୋଟ ଛୋଟ କମ୍ପାନୀଗୁଡ଼ିକ ଯାହା ପାଖରେ କମ୍‌ ବଜେଟ୍‌ ରହିଛି ତାକୁ ଏଭଳି ଶସ୍ତାରେ ସୋର୍ସ କୋଡ୍‌ ବିକ୍ରି କରି ସହଯୋଗ କରିବା । ତେବେ ଟିକ୍‌ ଟିକ୍‌ ଆପ୍‌ର ପ୍ରାୟ ୨୭୭ କପି ଏବେ ସୁଦ୍ଧା ବିକ୍ରି ସରିଲାଣି ।

ଇର୍‌ଫାନ୍‌ ଆହୁରି କହିଛନ୍ତି, ସୋର୍ସ କୋଡ୍‌ ଆମଠାରୁ କିଣିବା ପରେ ସେଥିରେ କ’ଣ ପରିବର୍ତ୍ତନ କରାଗଲା କି କିଭଳି ବ୍ୟବହାର ହେଲା ସେଥିରେ କମ୍ପାନୀର ପକ୍ଷରୁ କୌଣସି ହସ୍ତକ୍ଷେପ କରାଯାଏ ନାହିଁ । କିନ୍ତୁ ଏହାକୁ ଭାରତୀୟ ଆପ୍‌ ବୋଲି କୁହାଯାଉଛି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା । ସୋର୍ସ କୋଡ୍‌‌ କିଣିଥିବା କମ୍ପାନୀ ଏଥିରେ କେବଳ ନାଁ ପରିବର୍ତ୍ତନ ବ୍ୟତୀତ ଅନ୍ୟ କୌଣସି ପରିବର୍ତ୍ତନ କରିନାହିଁ । ଏହା ସମ୍ପୂର୍ଣ୍ଣରୂପେ ଟିକ୍‌ଟିକ୍‌ ଆପ୍‌ର ନକଲ । ଟେକ୍‌ନିକାଲ୍‌ ଟିମ୍‌ ଏହାକୁ ପରୀକ୍ଷା ମଧ୍ୟ କରି ଜାଣିପାଣିବ ।

ମିତ୍ରୋଁ ଆପ୍‌ ଡେଭ୍‌ଲପର ଚିହ୍ନଟ ହୋଇନାହିଁ

ଏବେ ସୁଦ୍ଧା ମିତ୍ରୋଁ ଆପ୍‌ର ଡେଭଲପର ନାଁ ସାମ୍ନାକୁ ଆସି ନାହିଁ । ଆଇଆଇଟି ରୁଡକିର ଜଣେ ଛାତ୍ର ଏହାକୁ ପ୍ରସ୍ତୁତ କରିଥିବା କୁହାଯାଉଛି । ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ମିତ୍ରୋଁ ଆପ୍ ଡେଭଲପର୍‌ର ୱେବ୍ ପେଜ୍‌ରେ shopkiller.inର କଥା ଉଲ୍ଲେଖ ରହିଛି, ଯାହାକି ଏକ ବ୍ଲାଙ୍କ୍‌ ପେଜ୍‌ । ଆହୁରି ମଧ୍ୟ ଏହି ଆପରେ କୌଣସି ପ୍ରାଇଭେସି ନାହିଁ । ତେଣୁ ଯେଉଁମାନେ ଆପ୍‌ ଡାଉନଲୋଡ୍ କରିଛନ୍ତି ଏବଂ ସାଇନ୍ ଇନ୍ କରିଛନ୍ତି ସେମାନଙ୍କ ତଥ୍ୟର ଦୁରୁପଯୋଗ ହେବାର ସମ୍ଭାବନା ମଧ୍ୟ ରହିଛି । ଖାଲି ସେତିକି ନୁହେଁ ଏହି ଆପ୍‌ ଷ୍ଟାର୍ଟ କରିବା ବେଳେ ବିଭିନ୍ନ ପ୍ରକାର ପରମିଶନ୍‌ ମଧ୍ୟ ମାଗୁଛି ।

Leave a Reply