୧୦ ପରିବାରକୁ ସ୍ୱାବଲମ୍ବୀ କରିଛି ପରିବା ଚାଷ, ଗଞ୍ଜାମ ଜିଲାରୁ ଆସିଲା ଏହି ସଫଳତାର କାହାଣୀ

 

ଭୁବନେଶ୍ୱର : ଗଞ୍ଜାମ ଜିଲାର ଆସିକା ବ୍ଲକର ଭେଟନଇ ପଞ୍ଚାୟତ । ଏହି ପଞ୍ଚାୟତରେ ରହିଛି ଦାସନପଲ୍ଲୀ ଗାଁ । ଏହି ଗାଁର ୧୦ ଜଣ ମହିଳାଙ୍କୁ ନେଇ ଗଠିତ ହୋଇଛଇ ମା ଠାକୁରାଣୀ ସ୍ୱୟଂ ସହାୟିକା ଗୋଷ୍ଠୀ । ୧୮ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଗୋଷ୍ଠୀ ପ୍ରାଥମିକ ଭାବେ ଆର୍ଥିକ ସଞ୍ଚୟକୁ ଗୁରୁତ୍ୱ ଦେଇଥିଲା । କୌଣସି କାର୍ଯ୍ୟ କରିବାକୁ ଏତେଟା ଆଗ୍ରହ ପ୍ରକାଶ କରି ନ ଥିଲେ । ହେଲେ କିଛିବର୍ଷ ତଳେ ସେମାନଙ୍କ ଧାରଣାରେ ଆସିଥିଲା ପରିବର୍ତ୍ତନ । ଆଉ ଏହା ହୋଇଥିଲା କେବଳ ମିଶନ ଶକ୍ତିର ସଫଳତା । ରାଜ୍ୟର ବିଭିନ୍ନ ସ୍ଥାନରେ ମିଶନ ଶକ୍ତିର ସଫଳତାର କାହାଣୀ, ସେମାନଙ୍କୁ ପ୍ରେରିତ କରିଥିଲା କିଛି ନୂଆ କରିବା ପାଇଁ ।

ଘଟଣାକ୍ରମରେ ମା ଠାକୁରାଣୀ ଗ୍ରୁପ ସରକାରୀସ୍ତରରୁ  ମିଳିଥିଲା ମାତ୍ର ୫୦,୦୦୦ ଟଙ୍କାର ଋଣ । ଚାହିଁଥିଲେ ଏହି ଋଣକୁ ସେମାନେ ପ୍ରତ୍ୟେକ ୫ ହଜାର ଟଙ୍କା ଲେଖାଏଁ ବାଣ୍ଟି ନେଇ ପାରିଥାନ୍ତେ, କିନ୍ତୁ ସେମାନେ ତାହା କଲେ ନାହିଁ । ସ୍ଥାନୀୟ ଅଞ୍ଚଳରେ ଜଳସେଚନର ସୁବିଧା ରହିଥିଲା । ଏପରିକି ଧାନ ଚାଷ ମଧ୍ୟ ହେଉଥିଲା । ହେଲେ ଏହି ଧାନ ଚାଷ ପୁରୁଷ ପ୍ରାଧାନ୍ୟ ଥିଲା । ତେଣୁ ପାରମ୍ପରିକ ଧାନ ଫସଲ ହେଉଥିବାର ଗାଁର ଉପକଣ୍ଠ ଅଞ୍ଚଳରେ ବିଭିନ୍ନ ପ୍ରକାର ପରିବା ଚାଷ ଆରମ୍ଭ କରିଦେଇଥିଲେ । ଏହା ମଧ୍ୟରେ ରହିଥିଲା ଜହ୍ନି, ଭେଣ୍ଡି,ମୂଳା, ଫୁଲ ଏବଂ ପତ୍ର କୋବି , ବିଭିନ୍ନ ପ୍ରକାର ଶାଗ, ଅଲଡି, କାକୁଡି, ଲଙ୍କା, ବାଇଗଣ, ଖଡା,ଚଣା,ମୂଳା ଇତ୍ୟାଦି ।

ସବୁ କିଛି ଠିକ୍ ଚାଲିଥିଲା । ହେଲେ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଗଞ୍ଜାମ ଜିଲାରେ କେତେବେଳେ ଅଦିନିଆ ବର୍ଷା, ବାତ୍ୟା, ବନ୍ୟା ପାଣି ମାଡିବା ପରେ ବାଲିଚର ମାଡିବା ପରି ସମସ୍ୟା ସୃଷ୍ଟି ହୋଇଥିଲା । ସେହି ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ରଶ୍ମିତା ନାହାକଙ୍କ କହିବାନୁଯାୟୀ, ଏମିତି କେତେ ବିପର୍ଯ୍ୟୟ ସବୁ ଫସଲ ଉଜାଡି ଦେଇଥିଲା । ହେଲେ ଏ ସବୁ ଆମକୁ କେତେବେଳେ ନିରାଶ କରିନାହିଁ । ବାତ୍ୟା କି ବଢି ଯିବା ପରେ ପୁଣି ସମସ୍ତେ କାମ ଆରମ୍ଭ କରୁ । ପରିବା ଚାରା ଲଗାଇବାଠାରୁ ଆରମ୍ଭ କରି ପାଣିଦେବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଗ୍ରୁପର ସଦସ୍ୟାମାନେ କରିଥାଆନ୍ତି । ପରିବା ଅମଳ ପରେ ଗାଁ ଏବଂ ପଞ୍ଚାୟତରେ କିଛି କିଛି ବିକ୍ରି କରୁ । ଅମଳର ଏକ ବିରାଟ ଅଂଶ ସ୍ଥାନୀୟ ବେପାରୀ ସହର ଏବଂ ଆଖପାଖ ଅଞ୍ଚଳକୁ ବିକ୍ରି କରିବା ପାଇଁ ନେଇ ଥାଆନ୍ତି  ବୋଲି ନାହାକ କହିଛନ୍ତି ।

ଏହି ପରିବା ଚାଷ ୧୦ ଟି ପରିବାରକୁ ସ୍ୱାବଲମ୍ବୀ କରିଛି । ଘରେ ଥିବା ପୁରୁଷମାନଙ୍କ ଆୟ ସହ ଏହି ଆୟ ଉପକାରରେ ଆସିଛି । କେତେକ ସଦସ୍ୟ ସମ୍ପୂର୍ଣ୍ଣ ଭାବେ ଏହି ପରିବା ଚାଷରେ ନିର୍ଭରଶୀଳ । ତେଣୁ ଆଗାମୀ ଦିନରେ ଅଧିକ ଋଣ ଓ ପ୍ରୋତ୍ସାହନ ଏହାକୁ ବ୍ୟାପକ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

 

Leave a Reply