ଅସହାୟତାର ସୁଯୋଗ ନେଇ ୧୨ ବର୍ଷର ନାବାଳିକାକୁ ଅପହରଣ ପାଇଁ ହୋଇଥିଲା ଡିଲ୍

ଆସିକା: ରାତାରାତି କୋଟିପତି ହେବାର ନିଶାରେ ହିତାହିତ ଜ୍ଞାନ ଭୁଲିଛି ମଣିଷ । ନରବଳି ଦେଇ ତନ୍ତ୍ରସାଧନା କରି ଧନୀ ହେବାର ଲକ୍ଷ୍ୟ ଆଜି ସଜାଇଛି ଅପରାଧି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଚଷା ପିତଳ ଗାଁରେ ନରବଳି ଉଦ୍ୟମ । ସୂଚନା ଅନୁସାରେ ସେହି ଗାଁର କିଛି ଲୋକଙ୍କ ସହିତ ପାଖ ଗାଁର କିଛି ଲୋକ ଓ ଜଣେ ଗୁଣିଆ ନାବାଳିକାଙ୍କୁ ଅପହରଣ କରି ନରବଳି ଦେବାକୁ ଯୋଜନା କରିଥିଲେ । ଏ ନେଇ କଥାବାର୍ତ୍ତା ମଧ୍ୟ ଚାଲିଥିଲା । ସମ୍ପୃକ୍ତ ନାବାଳିକାଙ୍କ ପରିବାରକୁ ୩୦ ହଜାର ଟଙ୍କା ଯାଚିଥିଲେ ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ତରାଇ । ପରିବାର ଲୋକ ଏଥିରେ ରାଜି ନହେବାରୁ ନାବାଳିକାଙ୍କ ଭାଇଙ୍କୁ ମାଡ଼ମାରିଥିଲେ ଅଭିଯୁକ୍ତ । ୧୨ ବର୍ଷର ଝିଅକୁ ଅପହରଣ ପାଇଁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକ ପହଞ୍ଚିଯିବାରୁ ନାବାଳିକା କୌଶଳକ୍ରମେ ଖସିଆସିଥିଲା ।

ଘଟଣା ସମ୍ପର୍କରେ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୌଣସି ସମାଧାନ ନହେବାରୁ, ନାବାଳିକାଙ୍କ ଭାଇ, ଥାନାରେ ଅଭିଯୋଗ ଦେବା ପରେ ୪୪୬/୨୦ରେ ମାମଲା ରୁଜୁ କରି, ଚିତ୍ରସେନଙ୍କ ସମେତ ସେହି ଗାଁର ପଞ୍ଚାନନ ଗୌଡ଼ ଓ ଅମୀୟ କୁମାର ସ୍ୱାଇଁଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ଖଣ୍ଡା, କାତି ଓ ଗୋଟିଏ ବାଇତ୍ ଜବତ କରାଯାଇଛି । ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଥିଲେ ବି ଗୁଣିଆ ସମେତ ୫ ଜଣ ଏବେବି ଫେରାର ଅଛନ୍ତି ।

ଗୁଣିଆ ଧରାପଡ଼ିଲେ ଏମାନଙ୍କର ଅପରାଧିକ ସାମ୍ରାଜ୍ୟର ଖୋଳତାଡ଼ ସମ୍ଭବପର ହେବ । ଗରିବୀର ସୁଯୋଗନେଇ ଅଭିଯୁକ୍ତମାନେ ଏଭଳି କାଣ୍ଡ ଭିଆଇଥିବା ଗାଁ ଲୋକେ କହିଛନ୍ତି । ୨୦୧୩ର ହିଟଚହଣ୍ଟ ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ଦାବି ମଧ୍ୟ ହେଉଛି ।

ନାବାଳିକାଙ୍କୁ ବଳି ପକାଇବାକୁ ଅପହରଣ ବେଳେ ୩ ଗିରଫ

Leave a Reply