ଓଟିଭି ନିର୍ଦ୍ଦେଶିକା ରଖିଲେ ନାହିଁ ଜବାବ: ଆରମ୍ଭ ହେଲା ଖସିଯିବାକୁ ମସୁଧା

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜବାବ ରଖିବାକୁ ୪୮ଘଣ୍ଟାର ମହଲତ ପୂରି ଯାଇଛି । ହେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍‌କୁ ଖାତିର କଲେନି ଓଟିଭିର ନିର୍ଦ୍ଦେଶିକା । ସେପଟେ ଗିରଫଦାରି ଏଡ଼ାଇବାକୁ ଦୁଇ କର୍ମଚାରୀ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଏସବୁ ଭିତରେ ମାମଲାରୁ ଖସି ଯିବାକୁ କମ୍ପାନୀ କର୍ତ୍ତୃପକ୍ଷ ଆରମ୍ଭ କରିଛନ୍ତି ଜବରଦସ୍ତ ମସୁଧା । ସ୍ପଷ୍ଟୀକରଣ ନାଁରେ ଆଭ୍ୟନ୍ତରୀଣ କମିଟିକୁ ପୀଡିତାଙ୍କ ମାଆଙ୍କୁ ଡକାଯାଇଥିବା କୁହାଯାଉଛି । ହେଲେ ପ୍ରଶ୍ନ, କର୍ମଚାରୀଙ୍କ ଝିଅ ଗଣଦୁଷ୍କର୍ମର ଶିକାର ହେଲେ, କଣ ବିଶାଖା ଗାଇଡଲାଇନ୍ ଅନୁସାରେ କଂପାନୀକୁ ସମାଧାନ କରିବାର ଅନୁମତି ରହିଛି କି?

ମିଡିଆ ବୋଲି ଚାପରେ ପୋଲିସ୍ ନା ନିଜ କର୍ମଚାରୀଙ୍କୁ ଖସାଇ ଦେବାର ଚକ୍ରାନ୍ତରେ ସଫଳ ହେଉଛି ଓଟିଭି । ଆଇନକାନୁନ୍‌କୁ ଏ ପ୍ରଶ୍ନ ପଚାରୁଛି ଓଡ଼ିଶା । କାରଣ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଆଇପିସିର ୩୭୬(ଡିଏ), ୩୭୬(୨), ୫୦୬, ୩୪ ଓ ପୋକ୍ସୋ ଆଇନ୍‌ର ଧାରା ୬ରେ ମାମଲା ରୁଜୁ ହୋଇଛି । ନାବାଳିକାଙ୍କ ୧୬୧ ଷ୍ଟେଟମେଣ୍ଟ ରେକର୍ଡ ହୋଇଛି । ପୀଡିତା ସ୍ପଷ୍ଟ ଭାବେ ଅଭିଯୁକ୍ତଙ୍କ ନାଁ କହିଛନ୍ତି । ହେଲେ କମିଶନରେଟ୍ ପୋଲିସର ସ୍ପେଶାଲ୍ ଟିମ୍ ଅଭିଯୁକ୍ତଙ୍କୁ ଧରିବାରେ ଫେଲ୍ ମାରିଛି ।

ସେପଟେ ଖସିଯିବାକୁ ଅଭିଯୁକ୍ତ ଆରମ୍ଭ କରିଛନ୍ତି ମସୁଧା । ଓଟିଭିର ଦୁଇ କର୍ମଚାରୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି  । ପୋଲିସ ଏବଂ ଓଟିଭି କର୍ମଚାରୀ ମିଶି ବାରମ୍ବାର ଦୁଷ୍କର୍ମ କରିଛନ୍ତି ନାବାଳିକାଙ୍କୁ । ଆଉ ଏବେ ଉଭୟ ପୋଲିସ୍ ଓ ମିଡିଆ ହାଉସ୍‌ର ଭୂମିକା ସନ୍ଦେହରେ । କାରଣ ଓଟିଭି କହୁଛି, ଏନେଇ ଆଭ୍ୟନ୍ତରୀଣ କମିଟିରେ ଆଲୋଚନା ହୋଇଛି । ଆଶ୍ଚର୍ଯ୍ୟର କଥା, ଜଣେ କର୍ମଚାରୀଙ୍କ ଝିଅ ଅଫିସ୍ ବାହାରେ ଗଣଦୁଷ୍କର୍ମର ଶୀକାର ହେବା ପରେ ଅଫିସ ଭିତରେ ଥିବା ବିଶାଖା କମିଟି କଣ କରି ପାରିଥାନ୍ତା ? ନିଜ କର୍ମଚାରୀଙ୍କ ଝିଅକୁ ଦୁଷ୍କର୍ମ ହେବା କଥା ଜାଣିଲେ ଚ୍ୟାନେଲର ନିର୍ଦ୍ଦେଶିକା । ହେଲେ ପୋଲିସକୁ ଏକଥା ଜଣାଇବା ପରିବର୍ତ୍ତେ, କାହିଁକି ତାଙ୍କୁ ଅଫିସକୁ ଡାକୁଥିଲେ ? ଏତଲା ପରେ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ ହୋଇଛି ।

ହେଲେ ଏଯାଏଁ କାହିଁକି ଗିରଫ୍ କରାଯାଉନାହିଁ ? ୧୬୧ ଷ୍ଟେଟମେଣ୍ଟରେ ପୀଡିତା ପୋଲିସର ନାଁ କହିଛି । ସେହି ପୋଲିସଙ୍କୁ ତଦନ୍ତକାରୀ ଅଧିକାରୀ ଜେରା କଲେଣି କି ?
ପୀଡିତାଙ୍କ ମାଆ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଓଟିଭି କାର୍ଯ୍ୟାଳୟକୁ ବାରମ୍ବାରା ଯାଇ ତନାଘନା କରୁଛି । ଏତଲାରେ ନାଁ ଥିବା କିଛି କର୍ମଚାରୀଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି । ପୋଲିସର କାର୍ଯ୍ୟାନୁଷ୍ଠାନ ଯେତିକି ବିଳମ୍ବ ହେଉଛି, ଅଭିଯୁକ୍ତ ଆଇନର ଗଳାବାଟରେ ଫିଟିଯିବା ସେତିକି ସହଜ ହେବ ବୋଲି ଆଇନଜୀବୀ ଓ ବରିଷ୍ଠ ପୋଲିସ ଅଧିକାରୀ ସନ୍ଦେହ ପ୍ରକାଶ କରିଛନ୍ତି ।

Leave a Reply