ମନ୍ତ୍ରୀଙ୍କୁ ଗୁରୁଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ‘ଜିଲ୍ଲାକୁ ଯାଅ ପ୍ଳାଜ୍‌ମା ଦାନ ପାଇଁ ଲୋକଙ୍କୁ ଉତ୍ସାହିତ କର’

ଭୁବନେଶ୍ୱର: ପ୍ଲାଜମା ଦାନ ଅଭିଯାନ ପାଇଁ ଜିଲ୍ଲାସ୍ତରରେ ମନ୍ତ୍ରୀମାନେ କରୋନାରେ ସୁସ୍ଥ ହୋଇଥିବା ଲୋକମାନଙ୍କୁ ଉତ୍ସାହିତ କରିବେ । କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ପ୍ଲାଜମା ଚିକିତ୍ସା ଦ୍ୱାରା ଭଲ ହେଉଥିବାରୁ ରାଜ୍ୟ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । କିପରି ଅଧିକ ଲୋକ ଏହି ଅଭିଯାନରେ ସାମିଲ ହେବ ସେଥଲାଗି ମନ୍ତ୍ରୀମାନଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦାୟିତ୍ୱ ପାଇବା ପରେ ମନ୍ତ୍ରୀମାନେ ଜିଲ୍ଳାଗସ୍ତ କରିବା ସହ ନିଜ ନିଜ କାମରେ ଲାଗିପଡ଼ିଛନ୍ତି । କଟକର ୪୮ ବର୍ଷୀୟା ମହିଳା ପ୍ଲାଜମା ଥେରାପି ଚିକିତ୍ସା ଦ୍ୱାରା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେଣୁ ରାଜ୍ୟରେ ଏବେ ପ୍ଲାଜମା ଥେରାପି ନୂଆ ଆଶା ସଂଚାର ସୃଷ୍ଟି କରିଛି । ଆତ୍ମ ବିଶ୍ୱାସ  ବି ବଢିଛି ଡ଼ାକ୍ତର ଓ ରୋଗୀଙ୍କର ।

ତେଣୁ କରୋନାରେ ସୁସ୍ଥ ହୋଇଥିବା ରୋଗୀମାନେ କିପରି ଅଧିକରୁ ଅଧିକ ପ୍ଲାଜମା ଦାନ କରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ସବୁ ମନ୍ତ୍ରୀମାନଙ୍କୁ କରୋନା ଗୁରୁଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଜିଲ୍ଲାସ୍ତରରେ କିପରି ପ୍ଲାଜମା ସଂଗ୍ରହ ଅଧିକ ହେବ ଓ ଲୋକେ ଉତ୍ସାହିତ ହୋଇ ପ୍ଲାଜମା ଦାନ କରିବେ ସେଥିଲାଗି  ମନ୍ତ୍ରୀମାନଙ୍କୁ  ବିଭିନ୍ନ ଜିଲ୍ଳାର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମନ୍ତ୍ରୀମାନେ ମଧ୍ୟ ଦାୟିତ୍ୱ ପାଇବା ପରେ ଜିଲ୍ଲାର ସମସ୍ତ ବିଧାୟକ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା ଆରମ୍ଭ କରିଦେଇଛନ୍ତି । କିଛି ମନ୍ତ୍ରୀ ବି ଜିଲ୍ଲାଗସ୍ତ କରି ସମୀକ୍ଷା ଆରମ୍ଭ କରିଛନ୍ତି । କେବଳ ସେତିକି ନୁହେଁ,  ନିୟମିତ ବ୍ୟବଧାନରେ ଦାୟିତ୍ୱ ପାଇଥିବା ମନ୍ତ୍ରୀମାନେ  ଜିଲ୍ଲାସ୍ତରରେ ପ୍ଲାଜମା ଦାନର ଅଗ୍ରଗତି ସର୍ମ୍ପକରେ ସମୀକ୍ଷା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଦାୟିତ୍ୱ ପାଇଥିବା ମନ୍ତ୍ରୀମାନେ କହିଛନ୍ତି,  ପ୍ଲାଜନା ଦାନ କରିବା ପାଇଁ ଭଲ ହୋଇଥିବା ରୋଗୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ  । ସେମାନଙ୍କ ପ୍ଲାଜମା ଦାନ ଦ୍ୱାରା କିପରି ଦୁଇଟି ଜୀବନ ରକ୍ଷା ହୋଇପାରୁଛି ତାହା ବୁଝାଇବେ ବୋଲି କହିଛନ୍ତି ।

ଧୀରେଧୀରେ ରାଜ୍ୟରେ ପ୍ଲାଜମା ଥେରାପି  ସଫଳ ହେବାରେ ଲାଗିଛି । ଆଗକୁ ଏହି ଚିକିତ୍ସା ଜରିଆରେ ଅଧିକ ଲୋକଙ୍କୁ ସଂପୂର୍ଣ୍ଣ ଭଲ କରିବା ସହ କରୋନା ମୃତ୍ୟୁକୁ ରୋକିବା ପାଇଁ  ଜିଲ୍ଲାସ୍ତରରୁ ପ୍ଲାଜମା ଦାନ ଅଭିଯାନକୁ ଜୋରଦାର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍‌ସିବିରେ ପ୍ଳାଜ୍‌ମା ବ୍ୟାଙ୍କର ଉଦ୍‌ଘାଟନ କରିଥିଲେ । ଏବଂ ମାଗଣା ପ୍ଳାଜ୍‌ମା ଚିକିତ୍ସା ପାଇଁ ଘୋଷଣା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହିତ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କୁ ପ୍ଳାଜ୍‌ମା ଦାନ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ବ୍ୟତୀତ ବ୍ରହ୍ମପୁର ବଡ଼ ମେଡିକାଲ, ରାଉରକେଲା ଆଇଜିଏଚ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଳାଜ୍‌ମା ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସୂଚନା ଯୋଗ୍ୟ ଦେଶର ମାତ୍ର କିଛି ରାଜ୍ୟରେ ପ୍ଳାଜ୍‌ମା ଥେରାପି ଆରମ୍ଭ ହୋଇଥିବା ବେଳେ ସେଥିମଧ୍ୟରୁ ଓଡ଼ିଶା ଅନ୍ୟତମ ।

 

Leave a Reply