ଶ୍ରୀମନ୍ଦିର ଖୋଲିବା ନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା: ରାଜ୍ୟ ସରକାରଙ୍କୁ ଦିଆଯିବ ରିପୋର୍ଟ

ପୁରୀ: କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଖୋଲିନପାରେ  । ଶ୍ରୀମନ୍ଦିରର କିଛି ସେବାୟତ ଏଭଳି ମତ ଦେଇଛନ୍ତି । ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ମତ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ନେଇ ଏଭଳି ମତ ପ୍ରକାଶ ପାଇଛି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଛି ନିଯୋଗ ସହିତ ଆଲୋଚନା କରିଥିଲେ। ସବୁ ନିଯୋଗ ସହ ଆଲୋଚନା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ । ସେପଟେ କେନ୍ଦ୍ରାପଡ଼ାରେ ଶ୍ରୀବଳଦେବଜୀଉ ମନ୍ଦିର ଖୋଲିବା ଦାବିରେ ଶତାଧିକ ସେବାୟତ ଘଣ୍ଟ ପିଟି ଅଭିନବ ଶୈଳୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଶ୍ରୀମନ୍ଦିର ଖୋଲିବା ନେଇ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ବିଭିନ୍ନ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା ଆରମ୍ଭ କରିଛନ୍ତି । ପ୍ରଥମ ଦିନ ସୁଆର ମହାସୁଆର, ପ୍ରତିହାରୀ, ପୂଜାପଣ୍ଡା, ଓ ଖୁଣ୍ଟିଆ ନିଯୋଗ କର୍ମକର୍ତ୍ତାଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ମତାମତ ସଂଗ୍ରହ କରାଯାଇଛି । କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ନଖୋଲିବା ପାଇଁ କିଛି ସେବାୟତ ମତ ଦେଇଛନ୍ତି ।

ସବୁ ନିଯୋଗ ଓ ଶ୍ରୀମନ୍ଦିର ସହ ଜଡିତ ସମସ୍ତ କର୍ମକର୍ତ୍ତାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ  । ସମସ୍ତଙ୍କ ମତାମତ ନେଇ ପରିଚାଳନା କମିଟିରେ ପ୍ରସ୍ତାବ ଗୃହୀତ ହେବା ରାଜ୍ୟ ସରକାରଙ୍କୁ ଦିଆଯିବ । ଯଦି ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ହୁଏ, ତେବେ ସଂକ୍ରମଣ ରୋକିବାକୁ ମନ୍ଦିର ପ୍ରବେଶ ନେଇ ଏସ୍‌ଓପି ପ୍ରସ୍ତୁତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି  ।

ସେପଟେ କେନ୍ଦ୍ରାପଡ଼ାରେ ମନ୍ଦିର ଖୋଲିବା ଦାବିରେ ଅଭିନବ ଶୈଳୀରେ ବିକ୍ଷୋଭ ପ୍ରଦର୍ଶନ । ଶ୍ରୀବଳଦେବଜୀଉ ମନ୍ଦିର ଖୋଲିବା ଦାବିରେ ମନ୍ଦିର ଆଗରେ ସେବାୟତମାନେ ଘଣ୍ଟ ବାଡ଼େଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ୭ ମାସ ହେଲା ମନ୍ଦିର ବନ୍ଦ ରହିବା ଫଳରେ ସେବାୟତ ଓ ମନ୍ଦିର ଉପରେ ନିର୍ଭର କରୁଥିବା ଅନ୍ୟମାନଙ୍କ ଆର୍ଥିକ ସମସ୍ୟା ଉତ୍କଟ ହୋଇଛି । ତେଣୁ ଶୀଘ୍ର ମନ୍ଦିର ଖୋଲିବାକୁ ସେମାନେ ଦାବି କରିଛନ୍ତି  । ରାଜ୍ୟରେ କରୋନା କଟକଣା ଭିତରେ ଧାର୍ମାନୁଷ୍ଠାନ ଖୋଲିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଧର୍ମାନୁଷ୍ଠାନକୁ ମୁଖ୍ୟ ଶାସନ ସଚିବ କହିଥିଲେ । ସେହିପରି ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ୧୦ଦିନ ଭିତରେ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ଆଲୋଚନା ଆରମ୍ଭ ହୋଇଛି  ।

Leave a Reply