ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, ବିପଦସଂକେତ ଉପରେ ସୁବର୍ଣ୍ଣରେଖା

ଭୁବନେଶ୍ୱର: ଲଗାଣ ବର୍ଷା ଛାଡ଼ିବା ପରେ ବନ୍ୟା ସ୍ଥିତି ଟଳିନି । ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଛି । ଫଳରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବା ସୂଚନା ଦେଇଛନ୍ତି ଏସଆସି ପ୍ରଦୀପ ଜେନା । ମୁଣ୍ଡଳି ଦେଇ ଏବେ ୧୦.୫୦ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ପାଇଁ ମହାନଦୀ ଆଖପାଖ ଅଞ୍ଚଳ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ହୀରାକୁଦକୁ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରିବ । ୩୬ ଗେଟ୍ରେ  ୬ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ । ଏହାଦ୍ୱାରା ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ମହାନଦୀ ଅବବାହିକା ଜିଲ୍ଲାକୁ ଅତିରିକ୍ତ ଓଡ୍ରାଫ ଟିମ୍ ପଠାଯାଇଛି । ଏନଡିଆରଏଫ, ଅଗ୍ନିଶମ ଟିମ୍ ମଧ୍ୟ ସମ୍ପୃକ୍ତ ଅଞ୍ଚଳକୁ ଯାଇଛନ୍ତି । ସେପଟେ ରାଜ୍ୟରେ ଆଜି କାନ୍ଥ ପଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି । ନୂଆପଡ଼ାରେ ଜଣେ ଓ ଯାଜପୁରରେ ଜଣଙ୍କ ମୃତ୍ୟୁ କାନ୍ଥ ପଡ଼ି ହୋଇଛି । ଯାଜପୁରରେ କାନ୍ଥପଡ଼ି ୩ ମାସ ଶିଶୁର ମୃତ୍ୟୁ ହୋଇଛି ।

ସୁବର୍ଣ୍ଣରେଖାରେ ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଛି । ବାଲେଶ୍ୱରରେ ଖୁବଶୀଘ୍ର ବନ୍ୟାସ୍ଥିତିରେ ସୁଧାର ଆସିବ । ବର୍ଷା ଛାଡ଼ିଥିବାରୁ ଜଳସ୍ତର ଆଉ ବଢ଼ିବନି ବୋଲି ଆଶା କରାଯାଉଛି । ବୁଢ଼ାବଳଙ୍ଗରେ ବନ୍ୟାସ୍ଥିତିରେ ସୁଧାର ଆସିଛି । ଆଖୁଆପଦାରେ ବୈତରଣୀ ଜଳସ୍ତର କମୁଛି । ଯାଜପୁର ଦତ୍ତପୁର ଓ ନୂଆ ଶାସନରେ ଘାଇ ସୃଷ୍ଟି ହୋଇଛି । ଭଣ୍ଡାରିପୋଖରୀ, ଚାନ୍ଦବାଲିର କିଛି ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ବ୍ରାହ୍ମଣୀରେ ବନ୍ୟା ସ୍ଥିତି ଏବେବି ଗମ୍ଭୀର ରହିଛି । ମୋଟ ୧୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।

Leave a Reply