ବିଜେପିର ସଂଖ୍ୟାବଳ ଅଧିକ ହେଲେ, ଏନଡିଏ ସରକାରରେ ମୁଖ୍ୟମନ୍ତ୍ରୀ ପଦ ଆମର: ବିଜେପି ନେତା ଅଜିତ୍ ଚୌଧୁରୀ

ପାଟଣା: ଏଯାବତ୍ ବିହାର ସାଧାରଣ ନିର୍ବାଚନରେ ୩୦ ପ୍ରତିଶତ ଭୋଟ ଗଣତି ହୋଇଛି । ବର୍ତ୍ତମାନ ସୁଦ୍ଧା ୨୪୩ ଆସନ ମଧ୍ୟରେ ଭାରତୀୟ ଜନତା ପାର୍ଟି ସବୁଠାରୁ ଅଧିକ ୭୬ଟି ଆସନରେ ଆଗରେ ରହିଛି । ୨ୟ ସ୍ଥାନରେ ଆରଜେଡି ଓ ୩ୟ ସ୍ଥାନରେ ଜେଡିୟୁ ରହିଛି  । ବିଜେପି ସର୍ବବୃହତ ଦଳ ଭାବେ ଉଭା ହେବାର ସମ୍ଭାବନା କ୍ରମଶଃ ବଢିବାରେ ଲାଗିଛି । ତେବେ ଏଭଳି ସ୍ଥିତି ଅନ୍ୟ ଏକ ସମୀକରଣକୁ ମଧ୍ୟ ସାଙ୍ଗରେ ନେଇ ଆସିଛି ।

ବିହାର ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ମୁଖ୍ୟ ଅଜିତ୍ ଚୌଧୁରୀ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏନଡିଏ ଗଠବନ୍ଧନରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ପ୍ରମାଣିତ ହେବାକୁ ଯାଉଛି । ଏପରିକି ରାଜ୍ୟରେ ମଧ୍ୟ ବିଜେପି ସର୍ବବୃହତ ଦଳ ଭାବେ ଉଭା ହେବ । ତେଣୁ ସରକାର ଗଠନ ବେଳେ କାହାରିକୁ ବାଟ ଛଡାଯିବ ନାହିଁ । ସଂଖ୍ୟା ବଳରେ ଅଧିକ ଥିବା ଭାରତୀୟ ଜନତା ପାର୍ଟି ହିଁ ମୁଖ୍ୟମନ୍ତ୍ରୀ କୋଟା ପୂରଣ କରିବ । ନୀତିଶ ଏନଡିଏରେ ସାମିଲ ରହିବେ ଓ ନିଜ ଭାଗର ଦାବି ନେବେ । ହେଲେ ସଂଖ୍ୟା ବିଜେପି ପାଖେ ଥିବା ହେତୁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ବିଜେପି ପାଖରେ ରହିବ ।

ଯଦି ବାସ୍ତବରେ ଭାରତୀୟ ଜନତା ପାର୍ଟି ସର୍ବବୃହତ ଦଳ ହେବାରେ ସଫଳ ହୁଏ ତେବେ ରାଜନୀତିକ ସମୀକରଣ ଅନେକ ମାତ୍ରାରେ ପରିବର୍ତ୍ତନ ହୋଇପାରେ । ବିଜେପି, ନୀତିଶଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବ କି ନାହିଁ ତାହା ମଧ୍ୟ ଏକ ବଡ ପ୍ରଶ୍ନ । ସେହିଭଳି ଓଲଟା ସ୍ଥିତିରେ ନୀତିଶ ବୁଝାମଣାକୁ ଆସି ମୁଖ୍ୟମନ୍ତ୍ରୀ ପଦର ଦାବି ଛାଡିବା ମଧ୍ୟ ସମ୍ଭବପର ହୋଇପାରେ । ଫଳାଫଳ ଘୋଷଣା ପରେ   ଏହି ସବୁ ସମୀକରଣ ଧୀରେ ଧୀରେ ସ୍ପଷ୍ଟ ହେବ ।

Leave a Reply