ଗାନ୍ଧୀ ଜୟନ୍ତୀରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ ବିଜେଡି, ମାସେ ବ୍ୟାପି ଜାରି ରହିବ ଅଭିଯାନ

ଭୁବନେଶ୍ୱର: କରୋନା ମହାମାରୀ ଆମ ଜୀବନଧାରଣରେ ବ୍ୟାପକ ପରିବର୍ତ୍ତନ ଆଣିଛି । କରୋନା ହିଁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏହି ସମୟରେ ଆମ ପାଇଁ ଜୀବନ ମୂଲ୍ୟବାନ । ତେଣୁ ଏନେଇ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଦେଇଛି ବିଜୁ ଜନତା ଦଳ । ଆସନ୍ତା ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ କୋଭିଡ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବ ବିଜେଡି । ଏନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦଳର ପଦାଧିକାରୀମାନଙ୍କୁ ଚିଠି ଲେଖିଛନ୍ତି ।

ଚିଠି ମାଧ୍ୟମରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାବାସୀଙ୍କ ସହଯୋଗ ଏବଂ ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କର ନିରନ୍ତର ଉତ୍ସର୍ଗୀକୃତ ପ୍ରଦର୍ଶନ ଯୋଗୁ ଆମ ରାଜ୍ୟରେ ଦୃଢ ଭାବରେ କୋଭିଡ ମୁକାବିଲା କରିପାରିଛନ୍ତି । ସାରା ରାଜ୍ୟରୋ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଏବଂ ମୃତ୍ୟୁହାର ସର୍ବନିମ୍ନ ରହିଛି । ଓଡ଼ିଶା ସରକାର ରାଜ୍ୟରେ ୭୭ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସୃଷ୍ଟି କରିଛନ୍ତି । ଟେଷ୍ଟିଂ ଠାରୁ ପ୍ଲାଜମା ଥେରାପି ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି । ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଟେଷ୍ଟିଂ କରାଯାଇ ପାଖାପାଖି ୨ ଲକ୍ଷ ଲୋକଙ୍କୁ ସୁସ୍ଥ କରାଯାଇଥିବା କୁହାଯାଇଛି ।

ତୃଣମୂଳସ୍ତରରେ କୋଭିଡ ମୁକାବିଲାରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରାଯିବା ଦ୍ୱାରା କୋଭିଡ ପରିଚାଳନା ସୁଚାରୁରୂପେ କରାଯାଇଥିଲା । ଏଭଳି କ୍ଷମତାପ୍ରଦାନରେ ଓଡ଼ିଶା ଏକମାତ୍ର ରାଜ୍ୟ ବୋଲି ବିଜେଡି ସଭାପତି କହିଛନ୍ତି । ଏହାକୁ ଆହୁରି ବ୍ୟାପକ କରିବା ପାଇଁ ସଚେତନତା ଅଭିଯାନର ଆବଶ୍ୟକତା ରହିଛି । ତେଣୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ଆଗାମୀ ନଭେମ୍ବର ୨ ପର୍ଯ୍ୟନ୍ତ କରାଯିବ ବୋଲି ଜଣାପଡିଛି । ପ୍ରତି ଗ୍ରାମ ଏବଂ ପୌରାଞ୍ଚଳରେ ବିଜେଡି ନେତୃବୃନ୍ଦ ସମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବଣ୍ଟନ କରିବେ ବୋଲି ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply