ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବା ଆବଶ୍ୟକ କି ? ରାଜ୍ୟଙ୍କଠାରୁ ଉତ୍ତର ଚାହିଁଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମରାଠାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି । ସୁପ୍ରିମକୋର୍ଟଙ୍କ ୫ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ମାମଲାର ଶୁଣାଣି ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ସୋମବାର ଦିନ ଶୁଣାଣି କାଳରେ ସୁପ୍ରିମକୋର୍ଟ କହିଥିଲେ ଯେ, ଏହି ମାମଲାରେ ସବୁ ରାଜ୍ୟଙ୍କ ପକ୍ଷ ଶୁଣିବାର ଆବଶ୍ୟକତା ରହିଛି । ସୁପ୍ରିମକୋର୍ଟଙ୍କ ସମ୍ବିଧାନିକ ବେଂଚ୍ ଏନେଇ ସବୁ ରାଜ୍ୟଙ୍କୁ ନୋଟିସ ଜାରି କରି ପଚାରିଛନ୍ତି ଯେ, ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇ ପାରିବ କି ? ବର୍ତ୍ତମାନ ସମୟରେ ଦେଶର କିଛି ରାଜ୍ୟ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରୁଛନ୍ତି । ତେବେ ସୁପ୍ରିମକୋର୍ଟ ଏହାକୁ ନେଇ ରାଜ୍ୟ କ’ଣ ତର୍କ ଦେଉଛନ୍ତି ତାହା ଜାଣିବାକୁ ଚାହୁଁଛନ୍ତି ।

ମହାରାଷ୍ଟ୍ରରେ ମରାଠାଙ୍କୁ ସଂରକ୍ଷଣ ଦେବାର ଦାବି ଢେର ପୁରୁଣା । ରାଜ୍ୟ ସରକାର ୨୦୧୮ରେ ମରାଠାଙ୍କ ପାଇଁ ୧୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ସରକାରଙ୍କ ଏହି ନିଷ୍ପତିକୁ ହାଇକୋର୍ଟରେ ଚ୍ୟାଲେଂଜ୍ କରାଯାଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଜୁନ୍ ୨୦୧୯ରେ ସଂରକ୍ଷଣ ସୀମାକୁ ୧୬ ପ୍ରତିଶତରୁ କମ କରି ଶିକ୍ଷା କ୍ଷେତ୍ରରେ ୧୨ ଓ ଚାକିରିରେ ୧୩ ପ୍ରତିଶତ କରିଥିଲେ । ତେବେ ଏହାସହିତ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ରାଜ୍ୟ ଚାହିଁଲେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଧାରିତ ୫୦ ପ୍ରତିଶତ ସଂରକ୍ଷଣ ସୀମା ବୃଦ୍ଧି କରିପାରିବେ ।

ବମ୍ବେ ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ୍ କରାଯାଇଥିଲା । ସୁପ୍ରିମକୋର୍ଟର ତିନି ଜଣିଆ ବେଂଚ୍ ମାମଲାର ଶୁଣାଣି କରି ଇନ୍ଦିରା ସାହାନୀ କେସ୍ କିମ୍ବା ମଣ୍ଡଳ କମିଶନଙ୍କ ଉଦାହରଣ ଦେଇ ମରାଠା ସଂରକ୍ଷଣ ଉପରେ ରହିତାଦେଶ ଲଗାଇ ଥିଲେ । ଏହା ସହିତ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏହାର ଶୁଣାଣି ଗୋଟିଏ ବଡ ବେଂଚ୍ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି ।

ଏବେ କାହାକୁ ମିଳୁଛି କେତେ ସଂରକ୍ଷଣ ବର୍ତ୍ତମାନ ଦେଶରେ ଅନୁସୂଚିତ ଜାତିଙ୍କୁ ୧୫ ପ୍ରତିଶତ,ଅନୁସୂଚିତ ଜନଜାତିଙ୍କୁ ୭.୫ ପ୍ରତିଶତ ଓ ଅନ୍ୟ ପଛୁଆ ବର୍ଗଙ୍କୁ ୧୭ ପ୍ରତିଶତ ସଂରକ୍ଷଣ ମିଳୁଛି । ଏହା ସହିତ ଆର୍ଥିକ ଅନଗ୍ରସର ଶ୍ରେଣୀକୁ ୧୦ ପ୍ରତିଶତ ସଂରକ୍ଷଣ ମିଳୁଛି  ।

Leave a Reply