ଏଣିକି ସ୍କୁଲରେ ମଧ୍ୟାହ୍ନ ଭୋଜନ ପରିଚାଳନା କରିବେ ସ୍ୱୟଂ ସହାୟିକା ଗୋଷ୍ଠୀ, ଜାରି ହେଲା ନିର୍ଦ୍ଦେଶନାମା

1 min read

ଭୁବନେଶ୍ୱର : ମା ମାନଙ୍କୁ ସ୍କୁଲର ହାଣ୍ଡିଶାଳ ଦାୟିତ୍ୱ । ମା ପରଷିବେ ପିଲାଙ୍କୁ ଖାଦ୍ୟ । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱ ଏଣିକି ସ୍କୁଲ ପରିଚାଳନା କମିଟି କରିବ ନାହିଁ । ପରିଚାଳନା ଦାୟିତ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରିବାକୁ ରାଜ୍ୟ MDM ନୋଡାଲ୍ ଅଫିସରଙ୍କୁ ଚିଠି କରିଛନ୍ତି ଅତିରିକ୍ତ ଶାସନ ସଚିବ ।

୧୦୦ରୁ ଅଧିକ ପିଲାଥିବା ସ୍କୁଲ ଗୁଡ଼ିକର ମଧ୍ୟାହ୍ନ ଭୋଜନ ପରିଚାଳନା ଦିୟିତ୍ୱ ନେବେ ସ୍ୱୟଂ ସହାୟିକା ଗୋଷ୍ଠୀ । ଜିଲ୍ଲା ଶିକ୍ଷା ଅଧିକାରୀ ଏଭଳି ସ୍କୁଲ ଚିହ୍ନଟ କରି ଜିଲ୍ଲାପାଳଙ୍କୁ ଜଣାଇବା ପରେ WSHG ମାନଙ୍କୁ ଏହାର ଦାୟିତ୍ୱ ଦିଆଯିବ । ସେପଟେ ସବୁ ଜିଲ୍ଲାରେ ଥିବା DSWO ମାନେ କେଉଁ କେଉଁ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ପରିଚାଳନା କରିପାରିବେ ତାର ଏକ ତାଲିକା ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ । ସେହି ଆଧାରରେ ସ୍କୁଲ ଆବଣ୍ଟନ କରାଯିବ । ଏମଡିଏମ୍ ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ଏସଏଚଜିମାନଙ୍କୁ ଚାଉଳ ହସ୍ତାନ୍ତର କରିବେ । ଏ ପ୍ରକ୍ରିୟାକୁ ସୁରୁଖୁରୁରେ ସମାପ୍ତ କରିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ବିଡିଓମାନେ ସ୍କୁଲକୁ ଅଚାନକ ପରିଦର୍ଶନରେ ଯିବେ । ମଧ୍ୟାହ୍ନ ଭୋଜନ ପରିଚାଳନା ଠିକ୍ ଠାକ୍ ହେଉଛି କି ନାହିଁ ତାର ରଦାରଖ କରିବାକୁ ନିର୍ଦ୍ଦେଶ ହୋଇଛି । ସେପଟେ ଶିକ୍ଷକମାନଙ୍କୁ ଚାପମୁକ୍ତ କରିବା ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଅଧିକ ଶସକ୍ତ କରିବାକୁ ସରକାର ଏଭଳି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଇଓମାନେ ଏସଏଚଜି ମାନଙ୍କୁ ୩ ମାସିଆ ବ୍ୟାଙ୍କ ଗ୍ୟାରେଣ୍ଟି ସଂପର୍କିତ କାଗଜପତ୍ର ପ୍ରସ୍ତୁତିରେ ସହାୟତା କରିବେ । ସିଡିପିଓଙ୍କୁ ସେମାନେ ସହାୟତା କରିବାକୁ ନିର୍ଦ୍ଦେଶ ରହିଛି । ସିଡିପିଓମାନେ ବିଇଓ ଏବଂ ଏସଏଚଜିଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର କରାଇବେ ।

ମଧ୍ୟାହ୍ନ ଭୋଜନକୁ ନେଇ ଯଦି କୌଣସି ସମସ୍ୟା ସୃଷ୍ଟି ହୁଏ ତେବେ ଜିଲ୍ଲାପାଳମାନେ ୧୫ ଦିନ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ପରାମର୍ଶ କରି ସମାଧାନ କରିବେ ।

Leave a Reply