ପିଲାଙ୍କ ଅନଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍ କିଣିବାକୁ ବାପା ବିକିଲା ଗାଇ,ସୋନୁ କହିଲେ ଗାଇ ଫେରିବ…

1 min read

ମୁମ୍ବାଇ: ଲକଡାଉନ୍ କାଳର ସୁପରହିରୋ ସୋନୁ ସୁଦଙ୍କ ମିଶନ ଏବେ ବି ସରିନାହିଁ । ସେ ଏବେ ମଧ୍ୟ ପରିବାରକୁ ପରିବାର ସହ ମିଳାଉଛନ୍ତି । ତାଙ୍କ ମିଶନ ଏବେ ଭାରତର ସୀମା ଡେଇଁ କିର୍ଗୀସ୍ତାନ ପହଂଚିଛି । ସେଠାରେ ଅଟକି ରହିଥିବା ୩ ହଜାର ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କାମ ଆରମ୍ଭ କରିଛନ୍ତି ସୋନୁ ସୁଦ୍ । ତେବେ ସୋନୁଙ୍କ ଆଉ ଗୋଟିଏ କାମ ତାଙ୍କୁ ପୁଣି ଚର୍ଚ୍ଚା ଭିତରକୁ ଆଣିଛି । ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଗାଇ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ନିଜ ପିଲାଙ୍କ ଅନଲାଇନ୍ କ୍ଲାସ ପାଇଁ ଉକ୍ତ ବ୍ୟକ୍ତିଙ୍କୁ ନିଜ ଗାଇ ବିକିବାକୁ ପଡିଥିଲା ।

man sale cow to buy smart phone

ହିମାଚଳ ପ୍ରଦେଶର ପାଲମପୁରର ଜଣେ ବ୍ୟକ୍ତି ନିଜ ପିଲାଙ୍କ ପାଇଁ ସ୍ମାର୍ଟ ଫୋନ୍ କିଣିବା ଲାଗି ଗାଇ ବିକିଥିବା ଖବର ଏକ ଇଂରାଜି ଖବର କାଗଜରେ ପ୍ରକାଶିତ ହୋଇଥିଲା । ଖବର ଅନୁସାରେ ଲକଡାଉନ୍ ସମୟରେ ଅନଲାଇନ୍ କ୍ଲାସ୍ ଚାଲିଛି । କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିବାରୁ ସେମାନେ କ୍ଲାସ୍ କରିପାରୁନଥିଲେ । ବ୍ୟକ୍ତି ଜଣକ ନିଜ ପିଲାଙ୍କ ପାଇଁ ସ୍ମାର୍ଟ ଫୋନ୍ କିଣିବା ପାଇଁ ବ୍ୟାଙ୍କକୁ ଲୋନ୍ ପାଇଁ ଯାଇଥିଲେ । ବ୍ୟାଙ୍କ ତାଙ୍କୁ ଲୋନ୍ ଦେବାକୁ ମନା କରିଦେଇଥିଲା । ବ୍ୟାଙ୍କରୁ ନିରାଶ ହୋଇ ଫେରିବା ପରେ ସେ ସ୍ଥାନୀୟ ସାହୁକାର ତଥା ପରିଚିତ ଲୋକଙ୍କୁ ମାତ୍ର ୬ ହଜାର ଟଙ୍କା ଲୋନ୍ ମାଗିଥିଲେ । କିନ୍ତୁ କେହି ମଧ୍ୟ ତାଙ୍କୁ ଟଙ୍କା ଦେଇନଥିଲେ । ଏଭଳି ପରିସ୍ଥିତିରେ ଏହି ବ୍ୟକ୍ତି ଜଣକ ନିଜ ଗାଇକୁ ବିକ୍ରି କରି ପିଲାଙ୍କ ପାଇଁ ସ୍ମାର୍ଟ ଫୋନ୍ ଆଣିଥିଲେ । ଏହି ଖବର ସୋନୁଙ୍କ ନଜରକୁ ଆସିବା ପରେ ସେ ବିଚଳିତ ହୋଇ ପଡିଥିଲେ । ସେ ତୁରନ୍ତ ଟ୍ୱିଟ୍ କରି କହିଥିଲେ ଯେ, ଚାଲ ଏହି ବ୍ୟକ୍ତିଙ୍କ ଗାଇଁ ତାଙ୍କୁ ଫେରାଇ ଦେବା  ।ଏଥିସହିତ ସେ ଉକ୍ତ ବ୍ୟକ୍ତିଙ୍କ ସଂପର୍କରେ ସବିଶେଷ ବିବରଣୀ ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି । ସୋନୁଙ୍କ ଏହି ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ସୋନୁ ଲକଡାଉନ୍ କାଳରେ ଓଡ଼ିଶା ସମେତ ଅନେକ ରାଜ୍ୟର ପ୍ରବାସୀଙ୍କୁ ସେମାନଙ୍କ ଘରକୁ ଫେରିବାରେ ସାହାଯ୍ୟ କରିଛନ୍ତି । ନିକଟରେ ତାଙ୍କଠାରୁ ସାହାଯ୍ୟ ପାଇ ଗୁଜୁରାଟରୁ ଘରକୁ ଫେରିଥିବା କେନ୍ଦ୍ରାପଡାର ଜଣେ ଯୁବକ ତାଙ୍କ ନାମରେ ସୋନୁ ସୁଦ୍ ୱେଲ୍ଡିଂ ଦୋକାନ ଖୋଲିଥିବା ଖବର ଭାଇରାଲ ହୋଇଥିଲା । ଖୋଦ ସୋନୁ ନିଜ ଟ୍ୱିଟ୍ କରି ସେହି ଯୁବକଙ୍କୁ ଶୁଭକାମନା ମଧ୍ୟ ଜଣାଇଥିଲେ ।

ସୋନୁ ଲକଡାଉନ୍ କାଳରେ ଦୈନିକ ୪୫ ହଜାର ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ । ଲକଡାଉନ୍ କାଳର ଅନୁଭବକୁ ନେଇ ସୋନୁ ଏକ ପୁସ୍ତକ ମଧ୍ୟ ଲେଖୁଛନ୍ତି ।

 

Leave a Reply