ଧାର ଟଙ୍କା ଫେରସ୍ତ ମାଗିବାରୁ ବିଧବାଙ୍କୁ ଜୀଅନ୍ତା ଜାଳିଦେଲେ

ମହାକାଳପଡ଼ା: ଟଙ୍କା ଧାର ଦେଇଥିଲେ, ମାଗିବାରୁ ବିଧବା ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ। ଏଭଳି ଅମାନବୀୟ ଆଉ ହୃଦୟ ବିଦାରକ ଘଟଣା ଘଟିଛି ମାର୍ଶାଘାଇ ଥାନା ତିଖିରି ପଞ୍ଚାୟତ ଧନିଆପଡ଼ା ଗାଁରେ ।

ଧନିଆପଡ଼ା ଗାଁର ସୁଭଦ୍ରା ବେହେରାଙ୍କ ଠାରୁ ୫୦ ହଜାର ଟଙ୍କା ଧାର ନେଇଥିଲେ ସେହି ଗାଁର ବିଶ୍ୱଜିତ୍ ସ୍ୱାଇଁ । ଟଙ୍କା ଧାର ନେବା ପରେ ଏକ ମାସ ହେଲା ଯୁବକ ଜଣଙ୍କ ଗାଁରେ ରହୁ ନଥିଲେ । ସେ ଗାଁକୁ ଆସିଥିବା ଜାଣିବା ପରେ ରାତିରେ ସୁଭଦ୍ରା ତାଙ୍କ ଘରକୁ ଯାଇ ଟଙ୍କା ମାଗିଥିଲେ । ସ୍ୱାମୀଙ୍କୁ ହରାଇବା ପରେ ସୁଭଦ୍ରା ବହୁ କଷ୍ଟରେ ସେ ଯାହା କିଛି ଉପାର୍ଜନ କରିଥିଲେ ତାକୁ ବିଶ୍ୱଜିତ୍ ତାଙ୍କ ପାଖରୁ କୌଶଳକ୍ରମେ ନେଇଯାଇଥିଲେ ।କଷ୍ଟ ଉପାର୍ଜିତ ଧନକୁ ଫେରାଇ ଦେବାକୁ ସୁଭଦ୍ରା ବିଶ୍ୱଜିତ୍‌ଙ୍କୁ କହିଥିଲେ । ହେଲେ, ଧାର ଫେରସ୍ତ କରିବା ପରିବର୍ତ୍ତେ ହିଂସ୍ର ହୋଇ ଉଠିଥିଲେ ବିଶ୍ୱଜିତ ଆଉ ତାଙ୍କ ପରିବାର । ସୁଭଦ୍ରାଙ୍କୁ ଗାଁ ଦାଣ୍ଡରେ କିରାସିନି ଢାଳି ଜିଅନ୍ତା ଜାଳି ଦେଇଥିଲେ । ମରିଗଲି… ମରିଗଲି… ଚିତ୍କାର କରିଥିଲେ ସୁଭଦ୍ରା । ଚିତ୍କାର ଶୁଣି ଗାଁ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସୁଭଦ୍ରାଙ୍କର ୧୨ ବର୍ଷର ପୁଅଟିଏ ଅଛି । ମା’କୁ ହରାଇବା ପରେ ସେ ଅନାଥ ହୋଇଯାଇଛି ।ଘଟଣା ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ସୁଭଦ୍ରାଙ୍କ ଭାଇ କିଶୋର ବେହେରା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ବିଶ୍ୱଜିତ୍ ଫେରାର୍ ହୋଇଯାଇଛି ।

Leave a Reply