ସାମାନ୍ୟ କଥା ପାଇଁ ୧୭ ବର୍ଷ ଯାଏଁ ଅଲଗା ରହୁଥିଲା ସ୍ୱାମୀ, ମନାଇବାକୁ ଲାଗିଲା ମାତ୍ର ୫୦ ଟଙ୍କା

1 min read

ମଧ୍ୟ ପ୍ରଦେଶ: ପ୍ରେମ ଏମିତି ଏକ ଅନୁଭବ… ଯାହାକୁ ହେଇଛି ସେ ଜାଣିଛି । ପ୍ରେମ କେବେ ଜୀବନର ଝଡ଼ଝଞ୍ଝାରେ ଶକ୍ତ ହୋଇ ଠିଆହୋଇଥାଏ ତ ପୁଣି କେତେବେଳେ ଏକ ସାମାନ୍ୟ କଥାରେ ଭାଙ୍ଗି ହୋଇଯାଏ ଚୁରମାର । ଖାସକରି ପତିପତ୍ନୀଙ୍କ ସମ୍ପର୍କ ଯେଉଁଠି ସାମାନ୍ୟ କଥାରେ ଭାଙ୍ଗି ଯାଏ ସାତ ଜନ୍ମର ସମ୍ପର୍କ ।  ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶରେ । ନିଜ ମନ ପସନ୍ଦର ତରକାରୀ ରୋଷେଇ କରିନଦେବାରୁ ସ୍ତ୍ରୀକୁ ଛାଡ଼ି ୧୭ ବର୍ଷ ଯାଏଁ ଅନ୍ୟ ରାଜ୍ୟକୁ ପଲାଇଲେ ସ୍ୱାମୀ । ୧୭ ବର୍ଷ ପରେ ମାମଲା ଯେତେବେଳେ ଅଦାଲତକୁ ଗଲା, ବିଚାରପତିଙ୍କ ଚତୁରତା ପାଇଁ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ୧୭ ବର୍ଷ ଧରି ଚାଲିଥିବା ରାଗ ଅଭିମାନରେ ପଡ଼ିଥିଲା ପୂର୍ଣ୍ଣଛେଦ ।

ଏହି ଘଟଣା ହେଉଛି ମଧ୍ୟ ପ୍ରଦେଶର ଦେବାଶ ସହରର । ୭୯ ବର୍ଷ ବୟସ୍କ ବିମଲ ରାଓ ୧୭ ବର୍ଷ ପୂର୍ବେ ଘର ଛାଡ଼ି ଚାଲିଯାଇଥିଲେ । ନିକଟରେ ତାଙ୍କ ସ୍ତ୍ରୀ ଜାଣିବାକୁ ପାଇଲେ ଯେ, ବିମଲ ରାଓ ମହାରାଷ୍ଟ୍ରର ବୁଲଢ଼ାନାର ମାତୋଡ଼ ଗାଁରେ ରହୁଛନ୍ତି । ଏହାପରେ ବିମଲଙ୍କ ସ୍ତ୍ରୀ ସେଠାରେ ପହଞ୍ଚି ସ୍ୱାମୀଙ୍କୁ ଘରକୁ ଫେରିବାକୁ ନିବେଦନ କରିଥିଲେ । କିନ୍ତୁ ବିମଲ ଏଥିରେ ରାଜି ନହେବାରୁ ମାମଲା ଅଦାଲତରେ ପହଞ୍ଚିଥିଲା ।

ବିମଲଙ୍କ କହିବା ମୁତାବକ, ୧୭ ବର୍ଷ ପୂର୍ବେ ଚାକିରିରୁ ଅବସର ନେବା ପରେ ସେ ତାଙ୍କ ସମସ୍ତ ସମ୍ପତ୍ତି ସହ ପେନସଟ ଟଙ୍କା ନିଜ ସ୍ତ୍ରୀ ନାଁରେ କରିଦେଇଥିଲେ । ସେ ନିଜ ସ୍ତ୍ରୀଙ୍କୁ ଖୁବ ଭଲପାଉଥିଲେ, ତେଣୁ ସେ ସବୁକିଛି ତାଙ୍କ ସ୍ତ୍ରୀ ନାଁରେ କରିଦେଲେ । ଦିନେ ବିମଲକୁ ନିଜ ସ୍ତ୍ରୀ ହାତ ରନ୍ଧା ସେଓ ତରକାରୀ ଖାଇବାକୁ ଇଚ୍ଛା ହେଲା, ତେଣୁ ସେ ସେଓ ତରକାରୀ କରିବା ପାଇଁ କହିଲେ, କିନ୍ତୁ ସ୍ତ୍ରୀ ରୋଷେଇ କରିପାରିବେ ନାହିଁ ବୋଲି କହିବାରୁ ବିମଲ ଏହି କଥାରେ ଅଭିମାନ କରି ଚୁପଚାପ ଘର ଛାଡ଼ି ଚାଲିଯାଇଥିଲେ ।

ତେବେ ଅନେକ ମାସ ଯାଏଁ ଖୋଜାଖୋଜି ପରେ ମଧ୍ୟ ବିମଲ ନମିଳିବାରୁ ସେ ଆଉ ଘରକୁ ଫେରିବେନି ବୋଲି ସ୍ତ୍ରୀ ମାନିନେଇଥିଲେ । କିଛି ଦିନ ପୂର୍ବରୁ ସ୍ତ୍ରୀ ଜାଣିବାକୁ ପାଇଲେ ଯେ ବିମଲଙ୍କ ପେନସନ ଟଙ୍କା ଉଠାଯାଉଛି । ଏହାପରେ ମହାରାଷ୍ଟ୍ରର ମାତୋଡ ଗାଁରୁ ଖୋଦ ବିମଲ ଟଙ୍କା ଉଟାଉଥିବା ଜାଣିପାରି ସ୍ତ୍ରୀ ସେଠାରେ ପହଞ୍ଚିଥିଲେ ।

ତେବେ ଅଦାଲତରେ ସ୍ୱାମୀ-ସ୍ତ୍ରୀ ନିଜ ନିଜ ତର୍କ ରଖିଥିଲେ । ବିଚାରପତି ପୂରା ଘଟଣା ଜାଣିବାପରେ ତୁରନ୍ତ ୫୦ ଟଙ୍କାରେ ସେଓ ମଗାଇ ବିମଲଙ୍କ ପତ୍ନୀଙ୍କୁ ଦେଇଥିଲେ ଏବଂ ଘରକୁ ଯାଇ ରୋଷେଇ କରି ବିମଲଙ୍କୁ ଖାଇବାକୁ ଦେବାକୁ ଆଦେଶ ଦେଇଥିଲେ । ଏହିପରି ଭାବରେ ଏକ ଖାଦ୍ୟକୁ ନେଇ ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଖାଦ୍ୟ ପାଇଁ ଯୋଡ଼ି ହୋଇଯାଇଥିଲା ।

ଏହି ମାମଲା ଅଦାଲତରେ ପହଞ୍ଚିଥିବା ପରେ ଖବରକାଗଜରେ ଏହାର ଚର୍ଚ୍ଚା ହେବା ଆରମ୍ଭ ହେଲା । ସୋସିଆଲ ମିଡିଆରେ ମଧ୍ୟ ଏହା ଭାଇରାଲ ହେବାକୁ ଲାଗିଲା ।

Leave a Reply