ଛୁଆ କାନ୍ଦିଲେ କୋଳରେ ଧରି ଗୀତ ଗାଇ ଶୁଆଇଦିଏ…

ପୁରୀ ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ। ପ୍ରତି ଦିନ ଶୁଭେ ବିଭିନ୍ନ ରକମର ଗୀତ। ଏ ଗୀତ ମା ମୁହଁରୁ ନୁହେଁ, ଶୁଭେ ବିନା ମୂଲ୍ୟରେ ସେବା କରୁଥିବା ଜଣେ ସେବକଙ୍କ ମୁଁହରୁ। ମୁ୍ହଁରେ ଥାଏ କେତେ କଣ ଅଧା ଖଣ୍ଡିଆ ଗୀତ। ଗୀତ ଆସୁକି ନଆସୁ ଶବ୍ଦକୁ ଯୋଡ଼ି ସେ ଗୀତ ବୋଲିବାରେ ମାହିର। ମଉସା, ମାଉସି, ନନା, ପକୁଡ଼ି, ବରାକୁ ନେଇ ସେ ଗୀତ ଗାନ୍ତି। ଆଉ ତାଙ୍କ ଗୀତରେ କଅଁଳ ଶିଶୁର ରାହା ଛାଡ଼ୁନଥିବା କୁଆଁ କୁଆଁ କାନ୍ଦ ମଧ୍ୟ ବନ୍ଦ ହୋଇଯାଏ। ଜନ୍ମ କଲା ମା ମାନଙ୍କର ସବୁ ଆବଶ୍ୟକତା ଗୋଟିଏ କଥାରେ ପୁରଣ ହୋଇଯାଏ। ଗରମ ଖିର ଠାରୁ ଆରମ୍ଭ କରି ଗରମ ପାଣି ସବୁ ଆସି ହାତ ପାହାନ୍ତାରେ ପହଞ୍ଚିଯାଏ। ଉପର ମହଲାରୁ ତଳ ମହଲାକୁ ଯାଇପାରୁନଥିବା ବୟସ୍କ ମହିଳାଙ୍କ ପାଇଁ ପାଲଟନ୍ତି ନିସ୍ୱାର୍ଥପରତାର ଲିଫ୍ଟ। ସେ ହେଉଛନ୍ତି ବିଜୟ କିନ୍ତୁ ସମସ୍ତେ ତାଙ୍କୁ ଭୋଳା ବୋଲି ଡାକନ୍ତି। କୌଣସି ସମ୍ପର୍କ ନଥାଇ ବି  ନିସ୍ୱାର୍ଥପରତାର ସମ୍ପର୍କ ଯୋଡ଼ି ଦିଅନ୍ତି ଭୋଳା। ପ୍ରକୃତ ଘର ହେଉଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ରାୟ ଚକ୍ରଧର ପୁର। କିନ୍ତୁ ଆଦରି ନେଇଥିବା ଘର ହେଉଛି ପୁରୀ ମୁଖ୍ୟ ଚିକିତ୍ସାଳୟ।

ପ୍ରତିଦିନ ଖରା ବର୍ଷା ଶୀତରେ ଦେଇ ଚାଲନ୍ତି ସେବା। ଡାକ୍ତରଖାନାରେ କଅଁଳ ଶିଶୁଟିଏ କିଭଳି ସୁରକ୍ଷିତ ରହିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେଇଥାନ୍ତି ଭୋଳା। ମଝିରେ ଛିଡ଼ା ହୋଇ ବାଣ୍ଟନ୍ତି ସଚେତନତାର ବାର୍ତ୍ତା। ଛୋଟ ପିଲାଙ୍କ ମୁଣ୍ଡ ଉପରେ ଫୋନ ରଖନ୍ତୁନି, ବୁଢୀ ମାଉସୀ ମାନେ ଗୁଡ଼ାଖୁ ଘସନ୍ତୁ ନାହିଁ, ବୋତଲରେ ମୁହଁ ଲଗାଇ ପାଣି ପିଅନ୍ତୁ ନାହିଁ, ଛୋଟ ଛୁଆକୁ ଧରିବା ସମୟରେ ପାନ କି ଗୁଟଖା ଚୋବାନ୍ତୁ ନାହିଁ ଭଳି ଅନେକ ବାର୍ତ୍ତା ଦେଇଥାନ୍ତି ଭୋଳା।

ଡାକ୍ତରଖାନାକୁ ନିଜ ଘର ବୋଲି ଭାବି ନେଇଥିବା ଭୋଳା ପାଣି ଏବଂ କ୍ଷୀର ଗରମ କରିବା ବାବଦକୁ ନିଅନ୍ତି ୫ ଟଙ୍କା। ସେହିଥିରେ ତାଙ୍କର ଗୁଜୁରାଣ ମେଣ୍ଟିଯାଏ। ଭୋଳାଙ୍କର ବାପା ଟେଲରିଂ କାମ କରୁଥିବା ବେଳେ ମାଆ ଘର କାମ କରନ୍ତି ଏବଂ ଭାଇ ଏକ ଡ୍ରେସ ଦୋକାନରେ କାମ କରନ୍ତି। ଅଧିକ ଟଙ୍କାର ଚାକିରୀକୁ ଆଶା ନକରି ସେବା ଧର୍ମରେ ଅପୂର୍ବ ଶାନ୍ତି ମିଳେ ବୋଲି କହିଛନ୍ତି ଭୋଳା।

ତେବେ ଡ଼ାକ୍ତରଖାନାରେ ଭୋଳାଙ୍କର ନିସ୍ୱାର୍ଥପର ସେବା ପାଇ ସମସ୍ତେ ଖୁସି। ଭୋଳା ହେଉଛି ଗୋଟେ ମାଇଣ୍ଡ ଫ୍ରେସ ପିଲା। ଭୋଳାର ଗୀତରେ ସ୍ୱର ନଥିଲେ ମଧ୍ୟ ତାଙ୍କ ଗୀତ ଶୁଣି ସବୁ ଛୁଆ ତୁନିଯାଆନ୍ତି ବୋଲି ମାଆ ମାନେ କହିଛନ୍ତି। କୋଉ ମାଆ ମଧ୍ୟ ଏଭଳି ଗୀତ ଗାଇଁ ତା ଛୁଆକୁ ଶୁଆଉନଥିବ ଯେମିତି ଭୋଳା ସୁଆଇ ଦିଅନ୍ତି।

ସେପଟେ ଭୋଳାଙ୍କୁ ସେହି ଡ଼ାକ୍ତରଖାନାରୁ ବାହାର ନକରିବା ପାଇଁ ଚିକିତ୍ସିତ ରୋଗୀ ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ପାଖକୁ ଚିଠି ମଧ୍ୟ ଲେଖିଛନ୍ତି। ଭୋଳାର ଆବଶ୍ୟକତା ସବୁ ସମୟରେ ଦରକାର ବୋଲି ଚିଠିରେ ଲେଖାଯାଇଛି।

Leave a Reply